ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ବଳ୍ପକାଳିନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର‌୍ୟ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଦେୟର ଅବଧି ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସମସ୍ତ ଫସଲ ଋଣ ଉପରେ ଏହି ସୁବିଧା ମିଳିବ । ୧ ମାର୍ଚ୍ଚରୁ ୩୧ ମେ ୨୦୨୦ ପର‌୍ୟ୍ୟନ୍ତ ଦେୟଯୋଗ୍ୟ ଥିବା ଋଣ ଉପରେ ଏହି ରିହାତି ପ୍ରଦାନ କରାଯିବ। ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା କାରଣରୁ ଚାଷୀମାନେ ସେମାନଙ୍କ ସ୍ବଳ୍ପକାଳିନ ଫସଲ ଋଣ ଦେୟ ପଇଠ କରିବା ଲାଗି ବ୍ୟାଙ୍କ ଶାଖାକୁ ଯାଇପାରୁନାହାନ୍ତି। ଏହାଛଡ଼ା କଟକଣା ଯୋଗୁ କୃଷି ଉତ୍ପାଦ ଠିକ ସମୟରେ ବିକ୍ରି ହୋଇପାରୁନାହିଁ କିମ୍ବା ବିକ୍ରି ଅର୍ଥ ଚାଷୀମାନେ ପାଇପାରୁନାହାନ୍ତି। ଫଳରେ ସେମାନେ ଋଣ ପରିଶୋଧ କରିବାରେ ସମସ୍ୟା ଭୋଗୁଥିବା ଦେଖାଯାଉଛି ।
ଏହି ସମସ୍ୟାକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ସୁଧ ଛାଡ଼ ଏବଂ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ପଇଠ ଲାଗି ଅତିରିକ୍ତ ଅବଧିର ଲାଭ ପ୍ରଦାନ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଚାଷୀମାନେ ୩୧ ମେ, ୨୦୨୦ ପର‌୍ୟ୍ୟନ୍ତ ଏପରି ଋଣ ଉପରେ ବାର୍ଷିକ ୪.୦ ପ୍ରତିଶତ ସୁଧ ହାରରେ ଋଣ ପରିଶୋଧ ଲାଗି ଅତିରିକତ ସମୟ ପାଇପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ନାହିଁ । ସରକାର ଚାଷୀମାନଙ୍କୁ ବ୍ୟାଙ୍କଗୁଡ଼ିକ ଜରିଆରେ ଫସଲ ଋଣ ଯୋଗାଇ ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଫସଲ ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧ ରିହାତି ସୁବିଧା ଦିଆଯାଉଛି। ଏହାଛଡ଼ା ନିର୍ଦ୍ଧାରିତ ସମୟରେ ଋଣ ପଇଠ ଉପରେ ଚାଷୀଙ୍କୁ ୩ ପ୍ରତିଶତ ଅତିରିକ୍ତ ରିହାତି ଦିଆଯାଉଛି। ଫଳରେ ଚାଷୀମାନେ ୪ ପ୍ରତିଶତ ବାର୍ଷିକ ସୁଧ ହାରରେ ସ୍ବଳ୍ପକାଳିନ କ୍ଷୁଦ୍ର ଋଣ ପାଇବାରେ ସକ୍ଷମ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ