କାଳିଆଗୁଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ; ଜଣେ ମୃତ ଜଣେ ଗୁରୁତର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ I ଏଥିରେ କାଳିଆଗୁଡାର ଡ଼ାକ୍ତର ରାଉତଙ୍କ ପୁଅ ଅମର ରାଉତ (୨୫) ର ଭଞ୍ଜନଗର ମେଡିକାଲ୍ ରେ ମୃତ୍ୟୁ ଘଟିଥିବା ବେଳେ କଂଗ୍ରେସ୍ ପ୍ରଧାନଙ୍କ ପୁଅ ଶିବରାମ ପ୍ରଧାନ (୨୧) ଭଞ୍ଜନଗର ମେଡିକାଲ୍ ରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇ ସେଠାରେ ଚିକିତ୍ସିତ ହେଉଛି I ମଙ୍ଗଳବାର ରାତ୍ର ୭ ଘଣ୍ଟା ୩୦ମିନିଟ୍ ସମୟରେ ଅମର ଏବଂ ଶିବ ଘରେ ଥିଲେ I ବଡ଼ବୋର୍ସିଂ ଗ୍ରାମରରୋଷଣ ମହାପାତ୍ର ଓରଫ ରାଜା ମାଳି ଏହି ଦୁଇଜଣଙ୍କୁ ଘରୁ ଡାକି ଧରି ଯାଇଥିଲା ବୋଲି ମୃତ ଅମରର ବାପା ଲିଖିତ ଏତଲାରେ ଦର୍ଶାଇଛନ୍ତି I କିଛି ସମୟ ପରେ ଅମର ଏବଂ ଶିବରାମର ମୋବାଇଲ୍ ସୁଇଚ୍ ଅଫ୍ ହୋଇଯିବା ସହିତ ଦୁଇଜଣ ରାତି ଦଶ ଘଣ୍ଟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ I ଅମରର ବାପା ଡାକ୍ତର କିଛି ସମୟ ଧରି ସେମାନଙ୍କୁ ଖୋଜାଖୋଜି କରିଥିଲେ I ଖାରୀଗୁଡାରୁ ବଡ଼ ବୋର୍ସିଂ ଫେରୁଥିବା ଦୁଇଜଣ ଲୋକ ରାସ୍ତାରେ ଦୁଇଜଣ ଯୁବକ ପଡି ଛଟପଟ ହେଉଥିବା ଖବର କାଳିଆଗୁଡା ଗ୍ରାମରେ ଜଣାଇଥିଲେ I ଖବର ପାଇ ଡ଼ାକ୍ତର କିଛି ସହଯୋଗୀଙ୍କ ସହ ଘଟଣା ସ୍ଥଳକୁ ଯାଇ ଅମର ଏବଂ ଶିବରାମ କୁ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ I ସେମାନଙ୍କୁ ସାଙ୍ଗେ ସାଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପୋଲିସ୍ ଟିମ୍ ଧରି ଘଟଣା ସ୍ଥଳରେ ପହଂଚିଥିଲେ I ଭଞ୍ଜନଗର ମେଡିକାଲ୍ ରେ ଅମରର ମୃତ୍ୟୁ ଘଟିଥିବା ବେଳେ ଶିବରାମଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଦିଆଯାଇଥିଲା I ବ୍ରହ୍ମପୁର ମେଡିକାଲରେ ଶିବରାମ ଜୀବନମରଣ ସହ ସଂଗ୍ରାମ କରୁଥିବା ବେଳେ ପୋଲିସ୍ ଅମରର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ୍ଏମଟିକୁ ପଠାଇ ଦେଇଛି I ଏନେଇ ଗାଙ୍ଗପୁର ଥାନାରେ ୬୦୬/୨୨ ରେ ଏକ ମାମଲା ରୁଜୁ କରି ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରୁ୍ଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ପ୍ରକାଶ ଥାଉକି ଗତ ନଭେମ୍ବର ୨୯ ତାରିଖ ଦିନ ତାରସିଂ ଥାନା ନିକଟସ୍ଥ ଏକ ଫରେଷ୍ଟ ରେଷ୍ଟସେଡ୍ ପାଖରେ ବଡ଼ବୋର୍ସିଂ ଗ୍ରାମର ସୋନମ୍ ମହାପାତ୍ର ଓରଫ ରାଜାକୁ ମରଣାନ୍ତକ ଆକ୍ରମଣ ହୋଇଥିଲା I ରାଜା ମେଡିକାଲ୍ ରେ ଚିକିତ୍ସିତ ହୋଇ କିଛିଦିନ ହେବ ଘରକୁ ଫେରିଥିବା ବେଳେ ଅମର ଏବଂ ଶିବରାମ ନାମରେ ଏତାଲା ଦେଇଥିଲା I ରାଜାଙ୍କ ଏତାଲା ପ୍ରକାରେ ଏକ ମାମଲା ରୁଜୁ ହୋଇ ଦୁଇଜଣଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା I ପୋଲିସ୍ କାଳିଆଗୁଡାରେ ଆସି ଚଢ଼ାଉ କରିଥିଲେ ମଧ୍ୟ ଅମର ଏବଂ ଶିବରାମର ସନ୍ଧାନ ପାଇନଥିଲା I ଗତକାଲି ଏମାନେ ଗାଆଁକୁ ଆସିଥିବା ଖବର ପାଇ ରାଜାର ଗୋଷ୍ଠୀ ସେମାନଙ୍କୁ ନେଇ ଆକ୍ରମଣ କରିଥିବା ପୋଲିସ୍ ସନ୍ଦେହ କରୁଛି I ଏନେଇ ଗାଙ୍ଗପୁର ଥାନାରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା ପୋଲିସ୍ ସୂତ୍ରରୁ ପ୍ରକାଶ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ