କୁକୁର କାମୁଡାରେ ହରିଣ ମୃତ ଞ୍ଚମୃତ ହରିଣକୁ ନେଲା ବନ ବିଭାଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ବଛାଳୋ ନିକଟରେ ଥିବା ଧାନ ବିଲରେ ଏକ ହରିଣ ବୁଲୁଥିବାର ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ହରିଣଟି ବୁଲିବା ସମୟରେ କିଛି କୁକୁର ତାକୁ ଦେଖି ଆକ୍ରମଣ କରିଥିଲେ । ହରିଣଟି ଇତଃସ୍ତତଃ ହୋଇ ଚାରିଆଡେ ଦୌଡୁଥିବା ବେଳେ କୁକୁରମାନେ ତା ପଛରେ ଦୌଡୁ ଥିଲେ । ହରିଣଟି ପ୍ରାଣ ବିକଳରେ ଜମି ମଝିରେ ଥିବା ଏକ ପମ୍ପ ହାଉସ ମଧ୍ୟରେ ପଶି ଯାଇଥିଲା । କୁକୁରମାନେ ଉକ୍ତ ଘରେ ପଶି ତାକୁ କାମୁଡି ଥିଲେ । ସ୍ଥାନୀୟ ଲୋକ ହରିଣକୁ ଉଦ୍ଧାର କରି ପଶୁ ଡାକ୍ତରଙ୍କୁ ଚିକିତ୍ସା ପାଇଁ ଯୋଗାଯୋଗ କରିଥିଲେ । ହେଲେ ଚିକିତ୍ସା ପୂର୍ବରୁ ଅଳ୍ପ ସମୟ ମଧ୍ୟରେ ହରିଣଟିର ମୃତ୍ୟୁ ହୋଇଯାଇଥିଲା । ପରେ କୁଜଙ୍ଗ ବନାଂଚଳକୁ ଯୋଗାଯୋଗ କରାଯାଇଥିଲା । କୁଜଙ୍ଗ ବନାଂଚଳ ଅଧିକାରୀ ମାନସ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ବନପାଳ ମଙ୍ଗଳ ହେମ୍ବ୍ରମ, ବନ କର୍ମଚାରୀ ଭଗବାନ ମିଶ୍ର, ହରିପଦ କାଣ୍ଡୀ, ଯାଦବ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଂଚି ମୃତ ହରିଣକୁ ଉଦ୍ଧାର କରିଥିଲେ । ଉକ୍ତ ହରିଣକୁ ନାଉଗାଁ ପଶୁଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ବନପାଳ ବନ୍ଦରରେ ପୋତା ଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜଙ୍ଗଲ ନଷ୍ଟ ହେବା ଫଳରେ ହରିଣମାନେ ଖାଦ୍ୟ ଅଭାବରୁ ଗାଁ ମୁହାଁ ହୋଇଥିବା ବେଳେ ଉକ୍ତ ହରିଣଟି କୋଣାର୍କ ଆଡୁ ଆସିଥିବାର ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ