କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତିପ୍ରିୟ ପ୍ରାସାଦ ବୃନ୍ଦାବନ ପ୍ୟାଲେସର ପୁରାତନ ସୌନ୍ଦର୍ଯ୍ୟ ଓ ଐତିହ୍ୟ ଲୋପ ହେବାକୁ ଯାଉଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ତତକାଳୀନ ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତିପ୍ରିୟ ବୃନ୍ଦାବନ ପ୍ରାସାଦ ବୃନ୍ଦାବନ ପ୍ୟାଲେସ ତାର ପୁରାତନ ମହକ, ସୌନ୍ଦର୍ଯ୍ୟ ଓ ଐତିହ୍ୟ ବର୍ତ୍ତମାନ ଲୋପ ହେବାକୁ ଯାଉଛି. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ମହେନ୍ଦ୍ର ତନୟା ତଟରେ ଗଜପତି ମହାରାଜାଙ୍କ ପରିବାର ଦ୍ୱାରା ବୃନ୍ଦାବନ ପ୍ୟାଲେସ ନିର୍ମିତ ହୋଇଥିଲା. ଏହି ପ୍ୟାଲେସର ଚର୍ତୁଦିଗରେ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବୃକ୍ଷଲତା, ଫଳ ଓ ପୁଲ ଗଛର ଆକାଶ୍ରଣ ସମସ୍ତଙ୍କୁ ଚକିତ କରୁଥିଲା. ପାରଳା ରାଜ ପରିବାର ସହ ଓଡିଶା ଓ ଓଡିଶା ବାହାରର ରାଜ ପରିବାରର ରାଜା ରାଣୀମାନେ ଆସି ଏହି ବୃନ୍ଦାବନ ପ୍ୟାଲେସରେ ବର୍ତ୍ତମାନର ପିକନିକ ଭଳି ସମୟ ଅତିବାହିତ କରୁଥିଲେ. ଏପରିକି ଏହି ପ୍ୟାଲେସକୁ ମଧ୍ୟ ବ୍ରିଟିଶ ଲାଟସାହେବମାନେ ଆସି ଅବସ୍ଥାନ କରି ଏଠାକାର ସବୁଜିମା ପ୍ରାକୃତିକ ପରିବେଶରେ ଅତ୍ୟନ୍ତ ଆନନ୍ଦିତ ହୋଇ ବୃନ୍ଦାବନ ପ୍ୟାଲେସକୁ ବହୁ ପ୍ରଂଶସା କରି ଫେରୁଥିଲେ. ଏଭଳି ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ବୃନ୍ଦାବନ ପ୍ୟାଲେସ ଆଜି ଲୁପ୍ତ ହେବାକୁ ଯାଉଛି. ବର୍ତ୍ତମାନ ଏହି ପ୍ୟାଲେସଟି ଓଡିଶା ସରକାରଙ୍କ ଅଧୀନରେ ରହିଛି ହେଲେ ଆବଶକ୍ୟ ରକ୍ଷାଣବେକ୍ଷଣ ଅଭାବରୁ ପ୍ରାସାଦଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି.ପ୍ୟାଲେସର ଚର୍ତୁଦିଗରେ ରହିଥିବା ସବୁଜିମା ବୃକ୍ଷରାଶିରୁ 50 ରୁ ଉର୍ଦ୍ଧ ଭାଗ ବୃକ୍ଷ ବିଗତ ବିଭିନ୍ନ ବାତ୍ୟାରେ କ୍ଷୟ ହେବା ସହ ଫଳ ପୁଷ୍ପ ଭରା ଗଛ ଗୁଡିକ ଆବଶକ୍ୟ ଯତ୍ନ ଅଭାବରୁ ଉଭେଇ ଯାଇଛି. ହେଲେ ସୁଦ୍ଧା ଆଜିବି ଓଡିଶା ତଥା ପଡୋଶୀ ଆନ୍ଧ୍ରରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ପ୍ରତେକ ଦିନ ଆସିଥାନ୍ତି. ସୌନ୍ଦର୍ଯ୍ୟ ଭରା ଏହି ପ୍ରାସାଦ ଅଞ୍ଚଳରେ ପିକନିକ ସ୍ପଟ୍ ବନେଇବା ସହ ବୃନ୍ଦାବନ ପ୍ୟାଲେସକୁ ପରିଦର୍ଶନ କରି ତାର ବର୍ତ୍ତମାନ ଲୋପ ପାଉଥିବା ସୌନ୍ଦର୍ଯ୍ୟ ଓ ପ୍ରାକୃତିକ କ୍ଷୟ ହେଉଥିବା ପ୍ରକୃତିକ ପରିବେଶକୁ ଦେଖି ଦୁଃଖ ପ୍ରକାଶ କରିବା ସହ ପୁରାତନ ଐତିହ୍ୟ ଫେରେଇ ଆଣିବା ପାଇଁ ଅବଶ୍ୟକ ପଦକ୍ଷେପ କାହିଁକି ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ କରି ଫେରୁଥିବା ବହୁ ସମୟରେ ଲକ୍ଷ୍ୟ କରାଯାଉଛି. ଏହି ବୃନ୍ଦାବନ ପ୍ୟାଲେସର ଅତିପ୍ରିୟ ନାମ ବସନ୍ତ ନିବାସ ଆଜି ଅସ୍ତିତ୍ବ ହରାଇବାକୁ ବସିଛି। ଏହି ପ୍ୟାଲେସ୍ ମହେନ୍ଦ୍ରତନୟା ନଦୀ ତଟରେ ସବୁଜିମା ଘେରାରେ ରହିଛି। ଏହା ଏକ ସୁନ୍ଦର ମନଲୋଭା ସ୍ଥଳ | ଏହି ପ୍ରାସାଦ ଓଡ଼ିଶା ତଥା ଗଜପତି ଜିଲ୍ଲାର ଐତିହାସିକ ସ୍ଥାନ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛି। ଇଟାଲୀ ଇଞ୍ଜିନିୟରଙ୍କ ଦ୍ବାରା ଦଶ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପ୍ୟାଲେସଟି ଅତି ପୁରାତନ କାଳରେ ନିର୍ମିତ ହୋଇଥିବା କୁହାଯାଏ । ଏହା ଏକ ଆକର୍ଷଣୀୟ ଐତିହାସିକ ସ୍ମାରକୀ ସ୍ଥଳ. ନିବାସକୁ ଲାଗି ପାଖାପାଖି 20 ଏକର ପରିମିତ ପରିସର ରହିଛି। ଉକ୍ତ ଐତିହାସିକ ସ୍ମାରକୀ ଏବଂ ଗଠନ ଶୈଳୀ ଓ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ | ବିଶେଷ କରି ପିକନିକ୍ ଋତୁରେ ଅଧୂକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଅସ୍ତିତ୍ବ ହରାଇବାକୁ ବସିଛି I ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପୁନରୁଉଦ୍ଧାରକରାଯାଉ ନ ଥିବାବେଳେ ଆବଶ୍ୟକ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଛି । କିଛି ବର୍ଷ ପୂର୍ବେ ଏହାର ବିକାଶ ପାଇଁ ବ୍ୟୟବରାଦ କରାଯାଇଥିଲା I ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏ ସବୁ ଏବେ ନଷ୍ଟ ହୋଇଯାଇଛି | କାମ ନାମରେ ବୃନ୍ଦାବନ ପ୍ୟାଲେସର ପୁରାତନ କଳାକୃତି ମୂର୍ତ୍ତିଗୁଡିକୁ କେହି ଦୁର୍ବୃତ୍ତ ନେଇଯାଇଥିବା ବେଳେରାଣୀ କୁଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇ ମାଟିରେ ମିଶାଇ ଦିଆଯାଇଥିଲା। ପର୍ଯ୍ୟଟକଙ୍କ ଲାଗି ଫେବର ବ୍ଲକରେ ଚଲାପଥ, ବସିବାସ୍ଥଳ, ପିକନିକ୍ ପାଇଁ ସ୍ଥଳ ଆଦି ନିର୍ମାଣ ହୋଇଥିଲା ତେବେ ସେସବୁ ଏବେ ନଷ୍ଟ ହେବାରେ ଲାଗିଛି। ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।।ସୌଧର ବିଭିନ୍ନ ସ୍ଥାନରେ ଫାଟ ଦେଇଥିବା ବେଳେ ଅନାବନା ବୃକ୍ଷଲତା ଉଠିଗଲାଣି। ଏହି ପ୍ରାସାଦର ବହୁ ଅଂଶ ଭଗ୍ନ ଅବସ୍ଥାରେ ରହିଛି । ତୃତୀୟ ମହଲାର ଗୋଟିଏ ପାର୍ଶ୍ବ ଛାତ ଦଢିବାରେ ଲାଗିଛି। ଏହାର ବିରାଟକାୟ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଛାତର ତଳପଟ ପଲସ୍ତରା ବାହାରି ପଡୁଛି। ତଥାପି ଏହି ଐତିହାସିକ ପ୍ରାସାଦକୁ ପ୍ରତିଦିନ ବହୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବିଶେଷ କରି ପଡୋଶୀ ରାଜ୍ୟ ଅନ୍ଧ୍ର ପ୍ରଦେଶରୁ ଆସୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି| ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବୃନ୍ଦାବନ ପ୍ୟାଲେସ । ସ୍ଥାୟୀ ଜଗୁଆଳୀ କିମ୍ବା କର୍ମଚାରୀ ନାହାନ୍ତି। ବର୍ତ୍ତମାନ ଏଠାରେ ଜଣେ ଅସ୍ଥାୟୀ ଜଗୁଆଳୀ ରହିଛନ୍ତି । ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସାକ୍ଷତ ବେଳେ ଜଣାଇଛନ୍ତିଯେ, ତାଙ୍କୁ ସରକାରୀ ଭାବେ କୌଣସି ମାସିକ ଭତ୍ତା କିମ୍ବା ଦୈନିକ ମଜୁରି ମଧ୍ୟ ଦିଆଯାଉ ନାହିଁ। ପର୍ଯ୍ୟଟକ ଯାହା ଅର୍ଥ ଦେଉଛନ୍ତି ତାକୁ ନେଇ ସେ କାମ କରୁଛନ୍ତି । ଏପରି ଏକ ଗୁରୁତ୍ବ ବହନ କରୁଥିବା ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଜିଲ୍ଲା ସଦର ମହକୁମାରେ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସରକାର ଅତି ତୁରନ୍ତ ଏହି ପ୍ୟାଲେସର ପୁନଃରୁଦ୍ଧାର ପାଇଁ ଆବଶକ୍ୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସର୍ବ ସାଧାରଣରେ ଦାବି କରିଛନ୍ତି.