କେନାଲ ବନ୍ଧ ପାଲଟିଛି କଣ୍ଟକିତ ପଥ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବଜାର ନିକଟ ବଡ଼କୋଳିପଦୀ ମାଇନର କେନାଲ ବନ୍ଧ ରାସ୍ତା ଜନସାଧାରଣଙ୍କ ପାଇଁ କଣ୍ଟକିତ ପଥ ପାଲଟିଛି । ପୂର୍ବରୁ ବନ୍ଧଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏବେ ବର୍ଷା ହେବାରୁ ଏହା ଲୋକ ମାନଙ୍କ ପାଇଁ ସତେ ଯେମିତି ମରଣ ଯନ୍ତା ପାଲଟିଯାଇଛି । ପୂର୍ତ୍ତ ବିଭାଗ ରାସ୍ତାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପ୍ରାୟ ଚାରି ଶହ ମିଟର କେନାଲ ବନ୍ଧ ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ରାତି ପାହିଲେ ଏହି ବାଟଦେଇ ସରସଦା, ରହଣିଆ, କୁରିଗାଁ, ମାଳଦା, ନପଙ୍ଗ, ଷୋଳମପୁର ପ୍ରମୁଖ ପଞ୍ଚାୟତର ହଜାର ହଜାର ଜନସାଧାରଣ ଭଣ୍ଡାରିପୋଖରୀ ଆସିଥାନ୍ତି । ସଂପ୍ରତି ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଯାତ୍ରୀବାହୀ ବସ ଓ ମାଲବାହୀ ଗାଡି ଗୁଡିକ ମଧ୍ୟ କେନାଲ ବନ୍ଧ ଦେଇ ସିଧା ସଳଖ ପୂର୍ତ୍ତ ବିଭାଗ ରାସ୍ତାକୁ ଯାଉଛନ୍ତି । ତେଣୁ ଗୁରୁତ୍ୱ ଦୃଷ୍ଟିରୁ ଉକ୍ତ ରାସ୍ତାର ନବୀକରଣ ପାଇଁ ବାରମ୍ବାର ଦାବି ଜଣାଯାଉଥିଲେ ସୁଦ୍ଧା ପ୍ରଶାସନ ଏହା ଉପରେ ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି। ବିଶେଷ କରି ସାଇକେଲ ଓ ମୋଟର ସାଇକେଲରେ ଯାତାୟତ କରୁଥିବା ଲୋକମାନେ ଦୈନନ୍ଦିନ ଦୁର୍ଘଟଣାରେ ଶିକାର ହେଉଥିବା ଜଣାଯାଇଛି । ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି । ଗର୍ତ୍ତ ଗୁଡିକ ଏତେ ବିପଦ ସଂକୁଳ ହୋଇଯାଇଛି ଯେ ବର୍ଷା ହୋଇ ସେଥିରେ ପାଣି ଜମିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। କେନାଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜଳ ସମ୍ପଦ ବିଭାଗ ଏହା ଉପରେ ଦୃଷ୍ଟି ଦେଉନଥିବାରୁ ଦୀର୍ଘ ବର୍ଷ ହେବ ଉକ୍ତ ବନ୍ଧ ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏନେଇ ବାରମ୍ବାର ଦାବି ସତ୍ତ୍ୱେ ବିଭାଗର ଯାଜପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସମ୍ପ୍ରତି କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ଉତ୍ତମ ଯାତାୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବଡ଼କୋଳିପଦୀ ମାଇନର ବନ୍ଧ ଉପରେ ସାମାନ୍ୟ ଚାରିଶହ ମିଟର ପାଇଁ କଂକ୍ରିଟ କିମ୍ବା ପିଚ ରାସ୍ତା ନିର୍ମାଣ ନହେବା ଦୁଃଖର ବିଷୟ ପାଲଟିଛି । ଏଥିପ୍ରତି ସ୍ଥାନୀୟ ବିଧାୟକ, ସାଂସଦ ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଛଅ ଗୋଟି ପଞ୍ଚାୟତର ଜନସାଧାରଣ ମାନେ କଣ୍ଟକିତ ଯାତାୟତ ପଥରୁ ମୁକ୍ତି ପାଇପାରିବେ ବୋଲି ମତ ପ୍ରକାଶ ପାଇଛି ।


