କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଅଟଳ ଟିଙ୍କରିଂ ବିଜ୍ଞାନାଗାର ଉଦ୍ଘାଟିତ
ବାଲେଶ୍ୱର, ,( ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ବାଲିଆ ବୃନ୍ଦାବତୀ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ ଅଟଳ ଟିଙ୍କରିଂ ବିଜ୍ଞାନାଗାର କେନ୍ଦ୍ର ଅଣୁ ଓ କ୍ଷୁଦ୍ରଶିଳ୍ପ ଏବଂ ମତ୍ସ ଓ ପଶୁସଂପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଭାରତ ବର୍ଷକୁ ଏକ ପରମ ବୈଭବଶାଳୀ ଓ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରାଇବାକୁ ହେଲେ ବିରାଟ ଭାରତ ଭୂଖଣ୍ଡରେ ଥିବା ଆମର ପିଢୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଅଧିକ ପାରଦର୍ଶିତା କରାଇବାରେ ଆବଶ୍ୟକତା ଦୃଷ୍ଟେ ଭାରତ ସରକାର ଏପରି ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ଏହାଦ୍ୱାରା ସରକାରୀ ଏବଂ ବେସରକାରୀ ସ୍ତରରେ ନିଷ୍ଠାର ସହିତ କାର୍ଯ୍ୟକାରୀ ହେଉଥିବା ଶିକ୍ଷାନୁଷ୍ଠାନଗୁଡିକୁ ଉକ୍ତ ସହାୟତା ପ୍ରଦାନ କରିଛନ୍ତି । ନିୟମିତ ଶିକ୍ଷା ପଦ୍ଧତି ସହିତ ଶିଶୁମାନଙ୍କର ଦକ୍ଷତା ବିକାଶ ନିମିତ ଭାରତ ସରକାରଙ୍କ ତରଫରୁ ଉକ୍ତ ଯୋଜନା କାର୍ଯ୍ୟକାରୀ ହେଉଅଛି । ବାଲିଆ ଶିଶୁମନ୍ଦିରର ଆବେଦନକୁ ଗ୍ରହଣ କରି ଭାରତ ସରକାର ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଧୁନିକ ବୈଜ୍ଞାନିକ କୌଶଳ ସମ୍ବଳିତ ଉକ୍ତ ବିଜ୍ଞାନାଗାର ଶିଶୁ ଭାଇ ଭଉଣୀମାନଙ୍କର ଭବିଷ୍ୟତ ପାଇଁ ଏକ ପ୍ରେରଣାଦୟୀ ପ୍ରକଳ୍ପ ଏଥିରେ ସନ୍ଦେହ ନାହିଁ । ବିଦ୍ୟାଳୟସ୍ତରରୁ ଶିଶୁ ଭାଇ ଭଉଣୀମାନଙ୍କର ଦକ୍ଷତା ବିକାଶ ହେବା ଦ୍ୱାରା ମହାବିଦ୍ୟାଳୟ ଓ ବିଭିନ୍ନ ଗବେଷଣାରେ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ଅଗ୍ରଗତିରେ ସହାୟକ ହେବ । ବିଦ୍ୟାଳୟର ସଭାପତି କାଞ୍ଚନବାଳାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଶିକ୍ଷାବିକାଶ ସମିତି ଓ ଓଡିଶାର ସମ୍ପାଦକ ଡ. ଲକ୍ଷ୍ମୀକାନ୍ତ ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ମହାନ୍ତ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ଉପେନ୍ଦ୍ରନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାବିକାଶ ସମିତିର ସ୍ଥାନୀୟ କାର୍ଯ୍ୟକର୍ତ୍ତା ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ । ଏଥିରେ ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ ଓ ସେବିକାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।