କେନ୍ଦ୍ରାପଡା ଜିଲ୍ଲା ୨୦୨୦-୨୧ ଖରିଫ ବର୍ଷ ନିମନ୍ତେ ଧାନସଂଗ୍ରହ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ଭର୍ଚୁଆଲ୍ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ , ଉପଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ, ବାଣିଜ୍ୟ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ସମବାୟ ସମିତି ସମୁହର ସହ -ନିବନ୍ଧକ , ମିଲର ପ୍ରତିନିଧି, ଚାଷୀ ପ୍ରତିନିଧି ଓ ସମସ୍ତ ସଭ୍ୟ ଏଥିରେ ଯୋଗଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ବୈଠକରେ ଅବଗତ କରାଇଥିଲେ ଯେ ଚଳିତ ବର୍ଷ ସରକାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଟ.୧୮୬୮ଙ୍କା ଏବଂ ଗ୍ରେଡ୍‌-ଏ ଧାନର ମୂଲ୍ୟ ଟ.୧୮୮୮ଙ୍କା ସ୍ଥିର କରିଛନ୍ତି ଏବଂ ଚାଷୀମାନେ ଧାନ ବିକ୍ରୟ କରିବାର ୨୪ ରୁ ୪୮ ଘଂଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାରେ ବିକ୍ରୟ ଅର୍ଥ ଜମା ହୋଇଯିବ ବୋଲି ଜଣାଇଥିଲେ । ଚଳିତ ବର୍ଷ ଚାଷୀମାନେ ଅଗ୍ରୀମ ଟୋକନ୍ ସଂପର୍କରେ ମୋବାଇଲ ଏସ୍‌.ଏମ୍‌.ଏସ୍ ଜରିଆରେ ସୂଚନା ପାଇପାରିବେ ଏବଂ ସମସ୍ତ ସୋସାଇଟି ଗୁଡିକ ନିଜ କାର୍ଯ୍ୟାଳୟ ଠାରେ ଟୋକନ ପାଇଥିବା ଚାଷୀମାନଙ୍କ ତାଲିକା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ରାଜନଗର ଧ୍ରୁବଚରଣ ସାହୁ ଚାଷୀମାନଙ୍କୁ ସୁବିଧାରେ ଧାନ ବିକ୍ରୟ କରିବା ପାଇଁ ରାଜନଗର ଅଂଚଳରେ ଦୁଇଟି ଅତିରିକ୍ତ ଧାନକ୍ରୟ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା ଚାଷୀମାନଙ୍କୁ ସୂଚାରୁ ରୂପେ ଟୋକନ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୋସାଇଟି ଗୁଡିକୁ ଅଧିକ ସତର୍କତା ଅବଲମ୍ବନ କରିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଧାନ କିଣା ପୂର୍ବରୁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା ପାଇଁ ନିୟନ୍ତ୍ରିତ ବଜାର କମିଟି ସଂପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାର୍ଯ୍ୟ ଉତ୍ପାଦନ ସମୟକୁ ଲକ୍ଷ୍ୟ କରି ଚାଷୀ ପ୍ରତିନିଧିମାନେ ଡିସେମ୍ବର ଶେଷ ସପ୍ତାହରେ ଧାନମଣ୍ଡି ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ । ଉକ୍ତ ପ୍ରସ୍ତାବକୁ ବୈଠକରେ ଗୃହୀତ କରାଯାଇଥିଲା । ପରିଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ