କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ଦଲାଲଙ୍କୁ ନେଇ ଚର୍ଚ୍ଚା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ଏବେ ଟିକେଟ ଦଲାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ପ୍ରମୁଖ ରାଜନୈତିକ ଦଳରୁ ଟିକେଟ ପାଇବା ପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିିଛି । ପୌର ନିର୍ବାଚନରେ ଏହି ରାଜନୈତିକ ଦଳ ବହୁ ସିଟ୍ରେ ବିଜୟୀ ହେବା ପରେ ଆଶାୟୀମାନେ ମହୁମାଛି ଭଳି ଏହି ଦଳରୁ ଟିକେଟ୍ ପାଇବା ପାଇଁ ଲାଇନ୍ ଲଗାଇଛନ୍ତି । ଏହି ପରିସ୍ଥିତିର ଫାଇଦା ଉଠାଇଛନ୍ତି ଜଣେ ଯୁବ ସଭାପତି । ସେ ଆଶାୟୀ ଓ ରାଜ୍ୟ ସ୍ତରୀୟ ନେତାଙ୍କ ମଧ୍ୟରେ ଏବେ ଦଲାଲ ସାଜିଛନ୍ତି । ଶୁଣା ଯାଉଛି ଏକ ନଗରପାଳ ଟିକେଟ କରାଇ ଦେବାକୁ ଦଲାଲ ଜଣଙ୍କ ଆଶୟୀ ପ୍ରାର୍ଥୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇଛନ୍ତି । ଠିକ ସେହିପରି କାଉସିଲର ପ୍ରାର୍ଥୀ କରାଇ ଦେବା ପାଇଁ ଆଶାୟୀଙ୍କ ଠାରୁ ୩ରୁ ୫ ଲକ୍ଷ ଟଙ୍କା ନେଉଛନ୍ତି । ଏହି ଯୁବ ସଭାପତି ଜଣଙ୍କର କେନ୍ଦ୍ରାପଡ଼ା ରାଜନୀତିରେ ବେଶ ଦବଦବା ରହିଥିବା ଆଲୋଚନା ହେଉଛି । ସବୁଠୁ ଅଧିକ ଦବଦବା ହେଉଛି ଅପରାଧୀମାନଙ୍କ ସହ ତାଙ୍କର ବହୁ ଘନିଷ୍ଠତା । ଏପରିକି ୧୯୯୭ମସିହାର ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ସେକ୍ସ ସ୍କାଣ୍ଡାଲର ଅଭିଯୁକ୍ତଙ୍କ ସହ ତାଙ୍କର ଘନିଷ୍ଠତା ରହିଛି । ତାଙ୍କ ଘନିଷ୍ଠତା ଏତେ ଗଭୀର ଯେ ସେକ୍ସ ସ୍କାଣ୍ଡାଲର ଅଭିଯୁକ୍ତଙ୍କ ଠାରୁ ଯୁବ ସଭାପତି ଜଣକ ମୋଟା ଅଙ୍କର ଅର୍ଥ ନେଇ କାଉନସିଲର ଟିକେଟ୍ କରାଇ ଦେଇଛନ୍ତି । ଏଭଳି ଅପାରାଧୀକ ରେକର୍ଡ ଥିବା ବହୁ ପ୍ରାର୍ଥୀମାନଙ୍କୁ ସେ ଟିକେଟ କରାଇଦବୋକୁ କହି ଅର୍ଥ ନେଇଥିବା ମଧ୍ୟ ଅଭିଯୋଗ ହେଉଛି । ଠିକ ସେହିପରି ଯେଉଁ ଆଶାୟୀ ପ୍ରାର୍ଥୀ ଯୁବ ସଭାପତିଙ୍କୁ ଆଶା ଓ ଆକାଂକ୍ଷାକୁ ପୁରଣ କରିପାରୁଛନ୍ତି ସେ ତାଙ୍କୁ ଟିକେଟ କରାଇ ଦେଉଛନ୍ତି । କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଏହି ପରମ୍ପରା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । କାରଣ ଗଣତନ୍ତ୍ର ପାଇଁ ଯୋଗ୍ୟ ପ୍ରାର୍ଥୀ ଟକେଟ ପାଇବା ଦରକାର । ଆସନ୍ତା ୫ ବର୍ଷ ପାଇଁ ଆମେ ଯେଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା ସେ ଆମର ଶାସନ ଭାର ସମ୍ଭାଳିବେ । ଆମେ ଯଦି ଅପରାଧୀଙ୍କୁ ଟିକେଟ ଦେବା ତାହା ହେଲେ ଅପରାଧୀ ଆସନ୍ତା ୫ ବର୍ଷ ପାଇଁ ଆମକୁ ଶାସନ କରିବେ । ଏହାଦ୍ୱାରା ସମାଜରେ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇବ । ତେଣୁ ଦଳ ହାଇକମାଣ୍ଡ ଏଭଳି ଜଣେ ଦଲାଲଙ୍କ ବିରୋଧରେ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।