ଗଂଜାମ ଜିଲ୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସମୀକ୍ଷା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗାଂଜମ ଜିଲ୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟ ସହିତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରତି ଧ୍ୟାନ ଦିଆଯିବ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରଖିବେ । ଘରୋଇ ବିଦ୍ୟାଳୟ ଭଳି ପିଲାମାନଙ୍କ ସମସ୍ତ ବିଷୟ ଉପରେ ଦୃଷ୍ଟି ଦିଆଯିବ । ଯେଉଁ କ୍ଷେତ୍ରରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି ତାକୁ ପିଲାମାନେ କିଭଳି ଭାବେ ଗ୍ରହଣ କରୁଛନ୍ତି, ଯଦି ପିଲାମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି ତେବେ କେଉଁ ପଦ୍ଧତିରେ ଶିକ୍ଷାଦାନ କରାଗଲେ ପିଲାଙ୍କୁ ବୁଝିବାରେ ସରଳୀ କରଣ ହେବେ ସେଥିପ୍ରତି ମଧ୍ୟ ଶିକ୍ଷକମାନେ ସଜାଗ ରହିବାକୁ ପଡିବ । ଏଥିପ୍ରତି ୍ଅବହେଳା କରାଗଲେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତ୍ୟେକ ସ୍କୁଲ ଗୁଡିକୁ ଦାୟିତ୍ୱରେ ଥିବା ନୋଡଲ ଅଫିସରମାନେ ନିୟମିତ ପରିଦର୍ଶନ କରି ସ୍କୁଲର ବିଭିନ୍ନ କାର୍ଯ୍ୟଶୈଳୀକୁ ତଦାରଖ କରିବେ । କୌଣସି ଗୋଟିଏ ସ୍କୁଲ ତଦାରଖ ନ ହୋଇ ରହିବ ନାହିଁ । ସେହିପରି ବିଦ୍ୟାଳୟକୁ ପିଲମାନେ ଆସିବା ଓ ଯିବା ଆସିବା ସମୟରେ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଶିକ୍ଷକମାନେ ଉପସ୍ଥିତ ରହି ସଠିକ୍ ଭାବେ ପିଲାଙ୍କ ସୁରକ୍ଷିତ ପ୍ରତି ଧ୍ୟାନ ଦେବ । ମାସକୁ ଥରେ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପିଲାମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ କହିଛନ୍ତି । ଯେଉଁ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ୍ ସେବା ନାହିଁ ସେହି ବିଦ୍ୟାଳୟ ଗୁଡିକର ତାଲିକା ସାଉଥ୍ କୋ ବିଭାଗକୁ ପ୍ରଦାନ କରାଯାଇଛି । ଯଥା ଶୀଘ୍ର ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯିବ । ସେହିପରି ପାନୀୟ ଜଳ ବ୍ୟବସ୍ଥା ନଥିବା ବିଦ୍ୟାଳୟ ଗୁଡିକରେ ଜଳ ଓ ପରିମଳ ବିଭାଗ ତୁରନ୍ତ ନଳକୂପର ବ୍ୟବସ୍ଥା କରିବାକୁ କୁହାଯାଇଛି । ଆଦର୍ଶ ବିଦ୍ୟାଳୟ ଗୁଡିକର କୋଠା ଗୁଡିକର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଯେଉଁ କୋଠା ଗୁଡିକର ଛୋଟ ଛୋଟ ସମସ୍ୟା ରହିଛି ସେଗୁଡିକୁ ସପ୍ତାହ ମଧ୍ୟରେ ସମାଧାନ କରିବାକୁ କୁହାଯାଇଛି । ସେହିପରି ଆଦର୍ଶ ବିଦ୍ୟାଳୟ ଗୁଡିକର ଅନ୍ୟାନ୍ୟ ଅଧପନ୍ତରିଆ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଆସନ୍ତା ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀମାନେ ବିଦ୍ୟାଳୟ ଗୁଡିକର ବିଭିନ୍ନ କାର୍ଯ୍ୟକଳାପ ଉପରେ ନିୟମିତ ପରିଦର୍ଶନ କରି ତଦାରଖ କରିବେ । ନିର୍ମାଣଧୀନ ଛାତ୍ରୀ ଆବାସ ଗୁଡିକୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରାଯିବ । ସେହିପରି ସାଥ୍ କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟକଳାପକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଲକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଭାଉସାହେବ ଦତ୍ତାତ୍ରେୟ ସିନେ୍ଧ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତ. ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ସମସ୍ତ ବିଇଓ, ସମସ୍ତ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ