ଗଜପତିରୁ ଗଞ୍ଜାମକୁ ଗଞ୍ଜେଇ ଚାଲାଣ : ଗିରଫ ହେଲେ ବାପ ପୁଅ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଦ୍ୱାରା ଗିରଫ ବାପ ପୁଅ ପାରଳାଖେମୁଣ୍ଡି ଜେଲକୁ ପଠାଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ,ଗତକାଲି ଗଜପତି ଜିଲ୍ଲାର ଅଡବା ପୋଲିସ ରାତ୍ରକାଳୀନ ପେଟ୍ରୋଲିଂ ସାରି ଅଡବା ଥାନାକୁ ଭୋର ସକାଳ ସମୟରେ ଫେରୁଥିବା ବେଳେ ସନ୍ଦେହ ଜନକ ଭାବେ ଏକ ଅଟୋ ଦୃତ ଗତିରେ ଯାଉଥିବା ଦେଖି ଚଢାଉ କରାଯାଇଥିଲା । ଏଥିରେ ୩ବସ୍ତା ଗଞ୍ଜେଇ ଗଛିତ ଥିବା ଦେଖାଯାଇଥିଲା । ଏହାର ଓଜନ ୭୦କେଜି ଅଟେ । ଏହି ଗଞ୍ଜେଇ ସହ ପୋଲିସ ଚୋରା ଚାଲାଣରେ ବ୍ୟବହୃତ ଅଟୋ ନଂ ଓଡି ୦୭-୬୭୩୭କୁ ଜବତ କରିଥିଲେ । ଚୋରା ଚାଲାଣକାରୀ ବାପ ଶତୃଘ୍ନ ନାୟକ(୫୦) ଓ ପୁଅ ଶ୍ରୀକାନ୍ତ ନାୟକ(୨୨)କୁ ଗିରଫ କରାଯାଇଥିବା ଅଡବା ଥାନା ଏସଆଇ ଉତ୍କଳ ପ୍ରଧାନ ସୁଚନା ଦେଇ କହିଛନ୍ତି,ଏ ନେଇ ଅଡବା ଥାନାରେ କେସ ନଂ ୪୮ରେ ମକଦ୍ଦମା ରୁଜୁ ହୋଇଛି । ସମ୍ପୃକ୍ତ ବାପ ପୁଅକୁ ଆଜି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି । କୋର୍ଟ ଏମାନଙ୍କୁ ଜେଲକୁ ପଠାଇ ଦେଇଥିବା ଜଣାଯାଇଛି ।