ଗଜପତିରେ ଧାନମଣ୍ଡି ଖୋଲିଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପରିସରରେ ଚାଷୀମାନଙ୍କର ଧାନଖରିଦ କରିବା ପାଇଁ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଯୋଗଦେଇ ଜିଲାର ଚାଷୀମାନେ ଧାନମଣ୍ଡି ସହାୟତାରେ ନିଜର ଧାନ ବିକ୍ରି କରିବା ସହ ଉଚିତ ମୂଲ୍ୟ ପାଇପାରିବେ ଏବଂ ସେମାନେ ୨୦୧୯-୨୦ ଖରିଫ ବର୍ଷରେ ଉତ୍ପାଦନ କରିଥିବା ଧାନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ଦେଇପାରିବେ ବୋଲି ସେ କହିଥିଲେ । ଚାଷୀମାନଙ୍କ ପାଇଁ ପ୍ରାଥମିକ କୃଷି ସମବାୟ ସମିତି, ବୃହତ୍ତାକାର କୃଷି ସମବାୟ ସମିତି ମାଧ୍ୟମରେ ମଧ୍ୟ ଧାନ କ୍ରୟ କରିବାପାଇଁ ବ୍ୟବସ୍ଥା ହୋଇଥିବା କୁହାଯାଇଥିଲା । ସେହିପରି ଚାଷୀମାନେ ସେମାନଙ୍କ ନିକଟସ୍ଥ ବ୍ୟାଙ୍କରେ ବିନା ଅର୍ଥ ଜମାରେ ଆକାଉଣ୍ଟ ଖୋଲି ସେମାନଙ୍କର ଧାନ ବିକ୍ରିର ପ୍ରାପ୍ୟ ବ୍ୟାଙ୍କ ଜରିଆରେ ପାଇପାରିବେ ବୋଲି କୁହାଯାଇଛି । ଧାନ ବିକ୍ରି କରିବା ସମୟରେ ନିଜର ଆଧାର କାର୍ଡ ବ୍ୟାଙ୍କ ପାସ୍ ବହିର ପ୍ରଥମ ପୃଷ୍ଠା ଇତ୍ୟାଦି କିଛି ଆବଶ୍ୟକୀୟ ନଥିପତ୍ର ଆଣିବା ବାଧ୍ୟତାମୂଳକ ରଖାଯାଇଛି । ସେହିପରି ସାଧାରଣ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୧୫ଟଙ୍କା ରଖାଯାଇଥିବାବେଳେ ଗ୍ରେଡ “ଏ” ଧାନର ସହାୟକ ମୂଲ୍ୟ ୧୮୩୫ଟଙ୍କା ରଖାଯାଇଛି । ସେହିପରି ଧାନର ମାନ ନିର୍ଦ୍ଧରଣ ପାଇଁ ମଧ୍ୟ ସରକାରୀ ଭାବେ ନିର୍ଦ୍ଧିଷ୍ଟ ନିତିନୀୟମ ରହିଥିବାର ଏକ ପ୍ରଚାର ପତ୍ର ଚାଷୀମାନଙ୍କୁ ବଣ୍ଟା ଯାଇଛି । ଚାଷୀମାନେ ନିଜର ଧାନକୁ ମଣ୍ଡି ଦ୍ୱାରା ବିକ୍ରୟ କରି ସରକାରଙ୍କ ଠାରୁ ଉଚିତ ସହାୟକ ମୂଲ୍ୟ ପାଇବାପାଇଁ ସଚେତନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏ.ଆର୍‌.ସି.ଏସ୍‌. ଟି.ଭି. ପ୍ରସାଦରାଓ, ଜିଲାଯୋଗଣ ଅଧିକାରୀ ମାନସରଂଜନ ପାତ୍ର, ନିୟନ୍ତ୍ରିତ ବାଜର କମିଟିର ସମ୍ପାଦକ ଡି.ଗଣପତି, ପୂର୍ବତନ ଜିଲା ଯୋଗାଣ ଅଧିକାରୀ ପ୍ରସନ୍ନ କୁମାର ନାୟକ ପ୍ରମୁଖଙ୍କ ସହ ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାମାନେ ଏବଂ ବହୁ ସଂଖ୍ୟାରେ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ