ଗଜପତିରେ ସ୍ୱାସ୍ଥ୍ୟ ବିଭାଗର ଜାଲିଆତି ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ କଲା କଂଗ୍ରେସ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅସ୍ଥାୟୀ ନିଯୁକ୍ତି ସକାଶେ ଅନୁଷ୍ଠିତ ସାକ୍ଷାତକାର ଓ ଯାଞ୍ଚରେ ଜାଲିଆତି ହୋଇଛି । ଏଥି ସହ ସ୍ଥାନୀୟ ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । କରୋନା ସଂକ୍ରମଣ ହୋଇଥିବା ଭଦ୍ରକ ଜିଲ୍ଲା ରେଡ୍ ଜୋନ୍ର ପ୍ରାର୍ଥୀକୁ ବିନା ସ୍ୱାସ୍ଥ୍ୟ ପରୀକ୍ଷାରେ କିପରି ଗଜପତିରେ ନିଯୁକ୍ତି ଦିଆଗଲା । ଏ ନେଇ ପାରଳାଖେମୁଣ୍ଡି ନଗର କଂଗ୍ରେସ କମିଟିର ସଭାପତି ବସନ୍ତ କୁମାର ପଣ୍ଡା ପ୍ରଶ୍ନ କରିଛନ୍ତି । ସମସ୍ତ ଘଟଣା ନେଇ ଏକ ଚିଠି ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଓ ଗଜପତି ଜିଲ୍ଲାପାଳଙ୍କୁ ଇ ମେଲ ଜରିଆରେ ପଠାଇଛନ୍ତି । ଅତି ତୁରନ୍ତ ବିହିତ ତଦନ୍ତ ଦ୍ୱାରା ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ଅଭିଯୋଗ କରିଛନ୍ତି ଯେ,ଗଜପତି ଜିଲ୍ଲାରେ ଗତ ୧୧ତାରିଖ ଦିନ ବାୟୋଲୋଜିଷ୍ଟ ପଦବୀ ସହ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ,ଲ୍ୟାବ ଟେକ୍ନିସିଆନ୍,ଫାର୍ମାସିଷ୍ଟ ଆଦି ପଦବୀ ପାଇଁ ସାକ୍ଷାତକାର ଓ ବିଭିନ୍ନ ଯାଞ୍ଚ ଏଠାରେ ହୋଇଥିଲା । ଏଥିରେ ଭଦ୍ରକ ଜିଲ୍ଲାର ଜଣେ ପ୍ରାର୍ଥୀଙ୍କୁ ବାୟୋଲୋଜିଷ୍ଟ ପଦବୀରେ ମନୋନୀତ କରାଯାଇଛି । ବର୍ତ୍ତମାନର ଲକ୍ଡାଉନ୍ ସମୟରେ ପ୍ରଥମତଃ ଗଜପତି ଜିଲ୍ଲାର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାକୁ ସ୍ପଷ୍ଟ ଥିଲେ ସୁଦ୍ଧା ଏଠାକାର ପ୍ରାର୍ଥୀ ଥାଇ ମଧ୍ୟ ସୁଦୁର ଭଦ୍ରକ ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ବେଆଇନ ଅଟେ । ଏଥି ସହ ସବୁ ଠାରୁ ଗୁରୁତର ହେଉଛି ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ଦେଖା ଦେଇଛି । ତେଣୁ ବର୍ତ୍ତମାନ ଭଦ୍ରକ ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ଭଦ୍ରକ ଜିଲ୍ଲାକୁ ବାହାର ଜିଲ୍ଲାର ବ୍ୟକ୍ତି ଯିବା କିମ୍ବା ଭଦ୍ରକ ଜିଲ୍ଲାର ଲୋକେ ଅନ୍ୟ କୌଣସି ଜିଲ୍ଲାକୁ ପ୍ରବେଶ କରିବା ନେଇ କଟକଣା ରହିଛି । ତଥାପି ଏହାକୁ କୌଣସି ଭାବେ ଗୁରତ୍ୱ ନ ଦେଇ ଭଦ୍ରକ ଜିଲ୍ଲାର ପ୍ରାର୍ଥୀଙ୍କୁ କୋଭିଡ-୧୯ ନିୟମ ଅନୁଯାୟୀ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ନ କରି ଗଜପତିରେ ନିଯୁକ୍ତି ଦିଆଗଲା ବୋଲି ପ୍ରଶ୍ନ କରି ଗଜପତିକୁ କରୋନା ମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ଗ୍ରହଣ କରି ଗଜପତିବାସୀଙ୍କୁ ସୁରକ୍ଷା ଦେଇଛନ୍ତି ତାହାର ଉଲଂଘନ ହୋଇଛି । କରୋନା ସଂକ୍ରମିତ ଭଦ୍ରକ ଜିଲ୍ଲାର ପ୍ରାର୍ଥୀଙ୍କୁ ଗଜପତିରେ ନିଯୁକ୍ତି ଦେବା ଅର୍ଥ ଏଠାରେ କରୋନା ସଂକ୍ରମଣକୁ ଆହ୍ୱାନ ଦେବା । ଏ ସବୁର ବିହିତ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ସେ ଦାବୀ କରିଛନ୍ତି । ଏହି ଘଟଣା ନେଇ ଗଜପତି ଜିଲ୍ଲା ଚିକିତ୍ସାଧିକାରୀ ଡ.ଗୁନୁରାଣୀ ପଟ୍ଟନାୟକଙ୍କୁ ପଚାରିବାରେ କହିଛନ୍ତି ଯେ,ଏଥିରେ କୌଣସି ଜାଲିଆତିର ପ୍ରଶ୍ନ ନାହିଁ ନିୟମ ଅନୁଯାଇ କରାଯାଇଛି । କରୋନା ସଂକ୍ରମଣ ଭଦ୍ରକ ଜିଲ୍ଲାରୁ ଆସିଥିବା ପ୍ରାର୍ଥୀଙ୍କୁ କାହିଁକି କ୍ୱାରେଣ୍ଟାଇନ୍ରେ ରଖାଗଲା ନାହିଁ କିମ୍ବା ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ନାହିଁ କହିଁକି ପ୍ରଶ୍ନରେ ସେଭଳି କୌଣସି ଆବଶ୍ୟକ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ ।


