କରୋନା ପାଇଁ ସହାୟତାର ହାତ ବଢାଇଲେ ଶହୀଦଙ୍କ ପତ୍ନୀ
ନାଉଗାଁ,(ଓ୍ବାଇଏନ୍ଏସ୍):ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତସ୍ଥିତ ପାରିଶିଖର ଗ୍ରାମର ଶହୀଦ ପ୍ରସନ୍ନ ସାହୁଙ୍କ ପତ୍ନୀମୀନା ସାହୁ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଛନ୍ତି । କରୋନା ପାଇଁ ସାରା ବିଶ୍ୱ ଏବେ ଆତଙ୍କିତ ଓ ଚିନ୍ତାଗ୍ରସ୍ତ ରହିଛନ୍ତି । ଏହି ସମୟରେ ରାଜ୍ୟ ସରକାର ଦୃଢ ଭାବେ କରୋନା ମୁକାବିଲା କରୁଛନ୍ତି । ରାଜ୍ୟର ଏହି ଦୁର୍ଦ୍ଦିନ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିଙ୍କୁ ମୀନା ଏକ ମାସର ପେନସନ ଅର୍ଥ ପ୍ରଦାନ କରିଛନ୍ତି । ମୀନା ଓ ତାଙ୍କ ପୁତ୍ର ଜଗନ ସାହୁ ରବିବାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ କାର୍ଯ୍ୟାଳୟକୁ ଯାଇ ୩୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଚେକକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଜଗତସିଂହପୁର ଜିଲ୍ଲା ସହକାରୀ ପଶୁ ଚିକିତ୍ସକ ଶଶାଙ୍କ ଶେଖର ଲେଙ୍କା ଗ୍ରହଣ କରିଥିଲେ । କରୋନା ସମୟରେ ରାଜ୍ୟ ପାଇଁ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ଓ ରାଜ୍ୟବାସୀଙ୍କ ସହାୟତା ପାଇଁ ମୀନା ଉକ୍ତ ଅର୍ଥ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି ।


