ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଅଭିନବ ପ୍ରୟାସ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାର ଗ୍ରାମାଂଚଳ ଓ ସହରାଂଚଳ ମାନଙ୍କରେ ଥିବା ଜଳାଶୟ ଗୁଡିକର ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନାକୁ “ଜଳ ସମୃଦ୍ଧି” ଯୋଜନା ଭାବେ ନାମକରଣ କରାଯାଇଛି । ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଏନଏସି ର ୧୨ ନମ୍ବର ୱାର୍ଡ ଅଧିନରେ ଥିବା ରିକାପଲ୍ଲୀ ଗେଟବନ୍ଧ ଠାରେ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ଜିଲ୍ଲାରେ ୧୦୦ ଟି ପୋଖରୀ ଚିହ୍ନଟ କରାଯାଇ ସେଥିରୁ ବାହାର ହେଉଥିବା ପଟୁ ମାଟିିକୁ ଚାଷ କ୍ଷେତରେ ଉର୍ବରକ ଭାବେ ବ୍ୟବହାର କରାଯିବ । ଏହା ଦ୍ୱାରା ଜଳ ଧାରଣ କ୍ଷମତା ବଢିବା ସହିତ ଚାଷ ଜମିର ଉର୍ବରତା ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ଏଣୁ ଯେଉଁ ଅଂଚଳର ଚାଷ ଜମି ରେ କୌଣସି ଅସୁବିଧା ରହିଥୀଲେ ଅଂଚଳର ପୋଖରୀ ଗୁଡିକରୁ ପୁନରୁଦ୍ଧାର ହୋଇଥିବା ପଟୁ ମାଟିକୁ ଚାଷୀ ମାନେ ନେଇ ନିଜ ନିଜ କ୍ଷେତରେ ପକାଇବାରେ ସହାୟକ ହେବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଆଜି ଏହି ଗେଟ ବନ୍ଧ ର ପଙ୍କୋଦ୍ଧାର କରାଯିବା ସହ ଏନଏସି ପକ୍ଷରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ, ୧୨ ନଂ କାଉନସିଲର ବି. ନିଶ୍ଚଳା, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ପୋଡାପଦର ସରପଂଚ ସୁଜତା ଦାସ, ରିକାପଲ୍ଲୀ କମିଟି ସଦସ୍ୟ ରବିନ୍ଦ୍ର ସାହୁ, ଛତ୍ରପୁର ଏନଏସିର ସମସ୍ତ କର୍ମଚାରୀ, ସ୍ୱଚ୍ଛ ସାଥି, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଏହି ବନ୍ଧର ପଟୁ ମାଟିକୁ ପୋଡାପଦର ପଂଚାୟତର ବହୁ ଚାଷୀ ମାନେ ନିଜ କ୍ଷେତ ରେ ବ୍ୟବହାର ନିମନ୍ତେ ନେଇଥିଲେ ।