ଗଞ୍ଜାମ ପାଇଁ ଆଶୀର୍ବାଦ;ଜିଲ୍ଲାପାଳଙ୍କ ପଞ୍ଚସୂତ୍ର ନିୟମ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ପଞ୍ଚସୁତ୍ର ନିୟମ କାର୍ଯ୍ୟକାରୀ ହେବା ପରେ ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କରୋନା ପଜିଟିଭ ସଂଖ୍ୟା କମିବା ସହ ସୁସ୍ଥ ହେବା ସଂଖ୍ୟା ବଢିବା ଦେଖା ଦେଇଛି। ଲକ ଡାଉନ ଆରମ୍ଭରୁ କୋଭିଡ ଆଇନ ଅନୁଯାୟୀ ଘରେ ରହିବା, ବାରମ୍ବାର ସାବୁନରେ ହାତ ସଫା କରିବା, ଅତି ଆବଶ୍ୟକ ସ୍ଥଳେ ବାହାରକୁ ଗଲେ ମାସ୍କ ପିନ୍ଧିବା ଓ ଘରକୁ ଫେରିବା ସାଙ୍ଗେ ସାଙ୍ଗେ ହାତ ସଫା କରିବା, ସାମାଜିକ ଦୂରତା ବଜାୟ ରଖିବା ପ୍ରଭୃତି ନିୟମକୁ କଠୋରତା ସହ କାର୍ଯ୍ୟକାରୀ କରିବା ଯୋଗୁଁ ଗଞ୍ଜାମକୁ କରୋନା ପଜିଟିଭ ସ୍ପର୍ଶ କରିପାରିନଥିଲା। ଯେତେବେଳେ ପ୍ରବାସୀ ଓଡ଼ିଆ ଭାଇମାନେ ଆମ ଜିଲ୍ଲାରେ ପ୍ରବେଶ କଲେ ଆସ୍ତେ ଆସ୍ତେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ଶୀର୍ଷରେ ରହିଲା। ଯାହା ଫଳରେ ପ୍ରଶାସନ କଟୁ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ଧର୍ଯ୍ୟର ସହ ମୁକାବିଲା କରି ଜିଲାପାଳଙ୍କ ପଞ୍ଚସୁତ୍ର ନିୟମ କାର୍ଯ୍ୟକାରୀ ହେବା ପରେ ଧୀରେ ଧୀରେ କରୋନା ପଜିଟିଭ ସଂଖ୍ୟା କମିବା ସହ ସୁସ୍ଥ ହେବା ସଂଖ୍ୟା ବୃଦ୍ଧି ଆରମ୍ଭ ହେଲା। ବର୍ତ୍ତମାନ ମଧ୍ୟ ଆମେ ପ୍ରଶାସନର କଠୋର ନୀତିକୁ ବିରୋଧ କରୁଛେ, ହେଲେ ଯେଉଁ ମାସ୍କ ପିନ୍ଧିବା ଦ୍ୱାରା ଆମେ କରୋନା ସଂକ୍ରମଣରୁ ଅଧାରୁ ଉର୍ଦ୍ଧ୍ବ ସୁରକ୍ଷିତ ହେଉଥିବା ବେଳେ ଅନେକ ଏହାର ଉଲଙ୍ଘନ କରୁଥିବା ଯୋଗୁଁ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଗଣୁଥିବା ପୋଲିସ ରିପୋର୍ଟରୁ ଜଣାପଡୁଛି। କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ଏହାର ପ୍ରବାହ କାୟା ବିସ୍ତାର କରିବା ଆରମ୍ଭ କରୁଥିବା ବେଳେ ପଞ୍ଚସୂତ୍ର ନିୟମ ପାଳନ କରି ଲକ ଡାଉନ ଆଇନ କୋହଳ କରାଯାଇଛି। ଯାହା ଫଳରେ ଦୋକାନ ଗୁଡିକ ସକାଳ ୫ ଘଣ୍ଟାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିପାରୁଛି। ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୨୦ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପଜିଟିଭ ସଂଖ୍ୟା ଯଥାକ୍ରମେ ୧୬୨, ୧୯୨, ୨୭୧,୧୭୯, ୨୧୨ ଓ ୧୯୬ ଥିବା ବେଳେ ସୁସ୍ଥ ହୋଇଥିବା ସଂଖ୍ୟା ଯଥାକ୍ରମେ ୩୬୫, ୧୯୦, ୨୧୬, ୨୬୫, ୨୩୬ ଓ ୨୬୬ ଅଟେ। ଅର୍ଥାତ ୨୦ ରୁ ୨୫ ତାରିଖ ମଧ୍ୟରେ ୧୨୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୫୩୮ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ସଂଖ୍ୟା ଅପେକ୍ଷା ସୁସ୍ଥ ସଂଖ୍ୟା ୬ ଦିନରେ ୩୨୬ ଅଧିକ। ଅଗଷ୍ଟ ୨୫ ତାରିଖ ପଜିଟିଭ ରିପୋର୍ଟକୁ ଯଦି ଅନୁଧ୍ୟାନ କରିବା ତେବେ ଖୋର୍ଦ୍ଧା ଓ କଟକ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ଗଞ୍ଜାମରେ ୧୯୬ ଜଣ ପଜିଟିଭ ଚିହ୍ନଟ ହୋଇ ତୃତୀୟ ସ୍ଥାନରେ ଅଛି। ସେହିପରି ଯାଜପୁର ଜିଲ୍ଲା ଚତୁର୍ଥରେ ରହି ୧୭୩ ଜଣ, ନୟାଗଡ଼ ପଞ୍ଚମରେ ରହି ୧୭୧ ଜଣ, ସୁନ୍ଦରଗଡ଼ ଷଷ୍ଠରେ ରହି ୧୫୪ ଜଣ, ରାୟଗଡା ସପ୍ତମରେ ରହି ୧୪୬ ଜଣ, ପୁରୀ ଅଷ୍ଟମରେ ରହି ୧୪୪ ଜଣ, ମାଲକାନଗିରି ନବମରେ ରହି ୧୩୪ ଜଣ ଓ ଭଦ୍ରକ ଦଶମରେ ରହି ୧୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୦ ଗୋଟି ଜିଲ୍ଲାର ଜନସଂଖ୍ୟାକୁ ଯଦି ହିସବାକୁ ନେବା ତେବେ ଗଞ୍ଜାମ ଦଶମ ସ୍ଥାନରେ ରହିବ। ଗତ ଜନଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ୩୫,୨୯୦୩୧ ଜଣ ରହି ଓଡ଼ିଶାରେ ପ୍ରଥମ ରହିଅଛି। ଅଗଷ୍ଟ ୨୫ ତାରିଖ କରୋନା ପଜିଟିଭକୁ ଜନସଂଖ୍ୟା ହିସାବରେ ନେଲେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପ୍ରଥମରେ ରହୁଛି ଖୋର୍ଦ୍ଧା ୨୪.୨୯ ଜଣ, ଦ୍ଵିତୀୟ ରେ ରହୁଛି ମାଲକାନଗିରି ୨୧.୮୫ ଜଣ, ତୃତୀୟରେ ରହିଛି ନୟାଗଡ ୧୭.୭୬ ଜଣ, ଚତୁର୍ଥରେ ରାୟଗଡା ୧୫.୧୬ ଜଣ, ପଞ୍ଚମରେ କଟକ ୧୩.୬୦ ଜଣ, ଷଷ୍ଠରେ ଯାଜପୁର ୯.୪୬ ଜଣ, ସପ୍ତମରେ ପୁରୀ ୮.୪୭ ଜଣ, ଅଷ୍ଟମରେ ଭଦ୍ରକ ୭.୫୬ ଜଣ, ନବମରେ ସୁନ୍ଦରଗଡ଼ ୭.୩୫ ଜଣ ଓ ଦଶମ ସ୍ଥାନରେ ରହୁଛି ଗଞ୍ଜାମରେ ୫.୫୫ ଜଣ। ଏଥିରୁ ଜଣା ପଡୁଛି ଗଞ୍ଜାମର ପଜିଟିଭ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଯଥେଷ୍ଟ କମ। ଏହିପରି ସ୍ଥଳେ ଜନସାଧାରଣ ପ୍ରଶାସନକୁ ସହଯୋଗ କଲେ ଗଞ୍ଜାମ ଜିଲ୍ଲା ପୁଣି କରୋନା ସଂକ୍ରମଣରୁ ମୁକ୍ତ ହୋଇ ପାରିବ।


