ଗଞ୍ଜେଇ ଜବତ ଘଟଣା: ୨ ଭାଇ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁଲିସ ବୁଧବାର ଛଣମେରୀ ଗ୍ରାମର ଲିକୁ ବେହେରା ଏବଂ ଗୌରା ବେହେରା ୨ ଭାଇଙ୍କୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ କରି ସନ୍ଧ୍ୟାରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୧୪/୨୬ ଏନଡିପିଏସ ଆକ୍ଟ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ଅପରାହ୍ନରେ ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ ବ୍ୟାଗ କୁ ପୁଲିସ ତନଖି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।ପୋଲିସ ଟିମ୍ ଉକ୍ତ ତାଙ୍କୁ ଦିଗପହଣ୍ଡି ଥାନାକୁ ଉଠାଇ ନେଇଥିଲେ।ପୁଲିସ ମାରାଥନ ଜେରା ପରେ ଯୁବକ ଜଣକ ମହାରାଷ୍ଟ୍ର ପୁଣେ ସହରର ସୁମା ଶିବାଜୀ ବଗର ବୋଲି ତାଙ୍କ ନାଁ ପ୍ରକାଶ କରିଥିଲେ। ସେ ଗଜପତି ଜିଲ୍ଲା ମୋହନାରୁ ଏକ ଯାତ୍ରୀବାହୀ ବସ ରେ ଗଞ୍ଜେଇ ଭର୍ତ୍ତି ବ୍ୟାଗ ନେଇ ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଓହ୍ଲାଇଥିଲେ। ସେଠାରୁ ସେ ଅନ୍ଯ କେଉଁ ଅଞ୍ଚଳକୁ ଯିବା ପାଇଁ ଯାତ୍ରୀବାହୀ ବସକୁ ଅପେକ୍ଷା କରିଥିଲେ । ସେଠାରେ ପୁଲିସ ଟିମକୁ ଦେଖି ଯୁବକ ଜଣକ ଇତଃସ୍ତତ ଦୌଡ଼ି ହଡବଡେଇ ଯାଇଥିଲେ। ସେଠାରେ ପଇଁତରା ମାରୁଥିବା କିଛି ପୁଲିସ କର୍ମଚାରୀ ଉକ୍ତ ଯୁବକଙ୍କ ଚଳପ୍ରଚଳ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଜଣେ ପୁଲିସ କର୍ମଚାରୀ ଯୁବକଙ୍କୁ ଡାକି ସେ ଧରିଥିବା ବ୍ୟାଗ୍ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଥାନା ଆଇଆଇସି କିଶୋର କୁମାର ସାମଲ ଙ୍କୁ ଫୋନ ଯୋଗେ ଜଣାଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଯୁବକ ଙ୍କୁ ଥାନାକୁ ନେଇ ଜେରା କରିବା ପରେ ସେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲେ। ଉକ୍ତ ଅଣଓଡିଆ ଯୁବକଙ୍କ ବ୍ୟାଗ ରୁ ୩ କେଜି ୯ ଶହ ୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ତଦନ୍ତ ପରେ ଛଣମେରୀ ଗ୍ରାମର ୨ ଭାଇ ତାଙ୍କ ଠାରୁ ଟଙ୍କା ନେଇ ରୀତିମତ ତାଙ୍କୁ ଗଞ୍ଜେଇ ଦେଉଥିବା ସେ କହିଥିଲେ। ସେମାନଙ୍କ ମଧ୍ୟରେ ଫୋନ – ପେରେ ଟଙ୍କା ଟ୍ରାଞ୍ଜେଶନ ହୋଇଥିବା ନେଇ ତଦନ୍ତ ରୁ ଜଣାପଡିଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। ମଙ୍ଗଳବାର ଉକ୍ତ ଅଣଓଡ଼ିଆ ଯୁବକ ଶିବାଜୀଙ୍କୁ ତଦନ୍ତକାରୀ ଅଧିକାରୀ ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଥିଲେ। ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା କ୍ରାଇମ୍ ସିଣ୍ଡିକେଟ ର ସଦସ୍ୟ ମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ୍ କହିଛନ୍ତି।


