ସୋସିଆଲ ମିଡିଆରେ ନାବାଳକଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ଶକ୍ତି ସଂଗଠନର ସ୍ୱାଗତ

ରାୟଗଡ଼ା, ( ଯୋଗେଶ୍ୱର ଦାସ ) ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମରେ ନାବାଳକଙ୍କ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ସୁଦୃଢ଼ କରିବା ଦିଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ରାୟଗଡ଼ାର ଶକ୍ତି ସ୍ଵେଚ୍ଛା ସେବୀ ସଂଗଠନ ସ୍ୱାଗତ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଅନ୍ୟାନ୍ୟ ଡିଜିଟାଲ ମଧ୍ୟସ୍ଥମାନେ ନାବାଳକଙ୍କ ସମ୍ପର୍କିତ ଭାରତୀୟ ଆଇନକୁ ଅନୁପାଳନ କରିବା ସହ ୧୮ ବର୍ଷ ବୟସ ପୂର୍ବରୁ ଶିଶୁମାନଙ୍କ ଦ୍ୱାରା ଡିଜିଟାଲ ପ୍ଲାଟଫର୍ମ ସହ ସ୍ୱାଧୀନ ଭାବେ ଚୁକ୍ତି କରିବା ସମ୍ପର୍କିତ ବିଷୟକୁ ଆଇନଗତ ଢାଞ୍ଚାରେ ଆଣିବାର ସମ୍ଭାବନା ନେଇ କେନ୍ଦ୍ର ସରକାର ବିଚାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଶକ୍ତି ସଂଗଠନ କହିଛି ଯେ, ଆଜିର ସମୟରେ ଶିଶୁମାନେ ସୋସିଆଲ ମିଡିଆ ଓ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ସମୟ ବିତାଉଥିବାରୁ ଅନଲାଇନ୍ ଗ୍ରୁମିଂ, ଯୌନ ଶୋଷଣ, ମାନବ ଚାଲାଣ, ସେକ୍ସଟର୍ସନ୍ ଓ ସାଇବର ବୁଲିଂ ଭଳି ବିପଦ ପ୍ରତି ସେମାନଙ୍କ ସୁରକ୍ଷା ଏକ ଗୁରୁତର ଚିନ୍ତାର ବିଷୟ ହୋଇଛି। ଶକ୍ତି ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା କହିଛନ୍ତି ଯେ, “ଶିଶୁମାନେ ଆଜି ନିଜ ଜୀବନର ଏକ ବଡ଼ ଅଂଶ ଅନଲାଇନ୍‌ରେ ବିତାଉଛନ୍ତି। ଅନେକ ଶିଶୁ ଅନଲାଇନ୍ ବିପଦ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ନଥିବାରୁ ସହଜରେ ଗ୍ରୁମିଂ, ଯୌନ ଶୋଷଣ ଓ ଅନ୍ୟାନ୍ୟ ଶୋଷଣର ଶିକାର ହୋଇପାରନ୍ତି। ଏହି ବିପଦ କେବଳ ଅନଲାଇନ୍‌ରେ ସୀମିତ ନୁହେଁ; ଶିଶୁମାନଙ୍କୁ ପ୍ରଲୋଭିତ କିମ୍ବା ପ୍ରଭାବିତ କରି ଯୌନ ଶୋଷଣ ଓ ମାନବ ଚାଲାଣ ଭଳି ପରିସ୍ଥିତିକୁ ମଧ୍ୟ ଠେଲି ଦିଆଯାଇପାରେ। ତେଣୁ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ଅଧିକ ଜବାବଦେହିତା ଓ ଶିଶୁମାନଙ୍କ ପାଇଁ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ।” ସୂଚନାଯୋଗ୍ୟ, ଶିଶୁମାନଙ୍କ ପାଇଁ ନ୍ୟାୟିକ ଅଧିକାର (ଜେ ଆର୍ ସି) ଏଲିଏନ୍ସ ପକ୍ଷରୁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରୁଥିବା ନାବାଳକଙ୍କ ପାଇଁ ଅଧିକ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ନାବାଳକମାନେ ଡିଜିଟାଲ ପ୍ଲାଟଫର୍ମରେ ସ୍ୱାଧୀନ ଭାବେ ଆକାଉଣ୍ଟ ଖୋଲିବା ଓ ପରିଚାଳନା କରିବା ସମ୍ପର୍କରେ ଆବେଦନରେ ଚିନ୍ତା ପ୍ରକାଶ କରାଯାଇଥିଲା। ଏହି ବିଷୟରେ କେନ୍ଦ୍ର ସରକାର ପକ୍ଷରୁ ମଧ୍ୟ ବିଚାର କରାଯିବ ବୋଲି କୋର୍ଟଙ୍କୁ ଜଣାଇଥିବା କୁହାଯାଇଛି। ଶକ୍ତି ସଂଗଠନ ଶିଶୁମାନଙ୍କ ପାଇଁ ନ୍ୟାୟିକ ଅଧିକାର (ଜେ ଆର୍ ସି)ର ଏକ ସହଯୋଗୀ ସଂଗଠନ ଭାବେ ଶିଶୁ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ ଓଡିଶା ରେ ରାୟଗଡା,କଳାହାଣ୍ଡି,ମାଲ୍କାଙ୍ଗୀରି ଓ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟ କରୁଛି। (ଜେ ଆର୍ ସି) ନେଟୱର୍କ ଦେଶର ବିଭିନ୍ନ ଜିଲ୍ଲାରେ ସମୁଦାୟ, ସରକାର ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ସମନ୍ୱୟରେ ଶିଶୁମାନଙ୍କ ପ୍ରତି ବିଭିନ୍ନ ବିପଦକୁ ଚିହ୍ନଟ ଓ ପ୍ରତିରୋଧ ପାଇଁ କାର୍ଯ୍ୟ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ