ଗର୍ଭବତୀଙ୍କୁ ଡାକ୍ତରଖାନାରେ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜନୈକ ଗର୍ଭବତୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିର୍ଯ୍ୟାତନା ଦେଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଗୁଆଳିଗାଁ ଗ୍ରାମର ଜଗନ୍ନାଥ ମଳିକ ଅଭିଯୋଗ କରିଛନ୍ତି ଯେ ଗତ ଗୁରୁବାର ତାଙ୍କ ଗର୍ଭବତୀ ପତ୍ନୀଙ୍କର ଲବର ପେନ ହେବାରୁ ତାଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କେନ୍ଦ୍ରାପଡା ସଦର ମହକୁମା ଡାକ୍ତରଖାନାରେ ପହଞ୍ଚିବା ପରେ ପୂର୍ବାହ୍ନ ୧୧ଟାରେ ସ୍ତ୍ରୀ ଓ ପ୍ରସୁତି ବିଭାଗରେ ତାଙ୍କୁ ଆଡମିସନ କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ନର୍ସ ତାଙ୍କ ପତ୍ନୀଙ୍କୁ ଅସ୍ତ୍ରପ୍ରଚାର ଗୃହକୁ ନେଇଥିଲେ ଓ ତାଙ୍କୁ ରକ୍ତ ଆଣିବା ପାଇଁ ନିର୍ଦେଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଜଗନ୍ନାଥ ଏବଂ ତାଙ୍କ ଗ୍ରାମର ଲୋକମାନେ ସମସ୍ତ ସହଯୋଗ କରିଥିବା ବେଳେ ଅପରାହ୍ନ ସାଢେ ଗୋଟାଏ ବେଳେ ସ୍ତ୍ରୀ ଓ ପ୍ରସୁତି ବିଭାଗର ନର୍ସ ଜଗନ୍ନାଥଙ୍କୁ କହିଥିଲେ ଯେ ଡାକ୍ତର କର୍ଣ୍ଣ ଓ ଡାକ୍ତର କର ତାଙ୍କୁ ୫ହଜାର ଟଙ୍କା ଦେବାକୁ କହିଛନ୍ତି । ନଚେତ ତାଙ୍କ ପତ୍ନୀଙ୍କର ଅସ୍ତ୍ରପ୍ରଚାର ହୋଇପାରିବନି ବୋଲି କହିଛନ୍ତି । ଜଗନ୍ନାଥ ଜଣେ ଦିନମଜୁରିଆ ହୋଇଥିବାରୁ ୫ହଜାର ଟଙ୍କା ଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ସେ ନର୍ସଙ୍କୁ କହିଥିଲେ । ଏହାପରେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଗନ୍ନାଥଙ୍କୁ କୁହାଯାଇ କଟକ ରେଫର କରିଦିଆଯାଇଥିଲା । ଶେଷରେ ଜଗନ୍ନାଥ ବାଧ୍ୟ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନା ନିକଟସ୍ଥ ଏକ ବେସରକାରୀ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨ଜଣ ଡାକ୍ତର ଯାଇ ବେସରକାରୀ ହସପିଟାଲରେ ତାଙ୍କ ପତ୍ନୀଙ୍କ ଅସ୍ତ୍ରପ୍ରଚାର କରାଇଥିଲେ । ତାଙ୍କ ପତ୍ନୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଜଗନ୍ନାଥ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଜଗନ୍ନାଥ ଏହି ଅଭିଯୋଗର ନକଲ ଜିଲ୍ଲାପାଳ, ୫-ଟି ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ