ଗାଙ୍ଗପୁର ଅଞ୍ଚଳରେ ଏକ ଜେଏମ୍ଏଫସି କୋର୍ଟ ସ୍ଥାପନ ପାଇଁ ଦାବି
ଗାଙ୍ଗପୁର ,(ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ବ୍ଲକ୍ ର ଗାଙ୍ଗପୁର ଅଞ୍ଚଳରେ ଏକ ଜେଏମ୍ଏଫସି କୋର୍ଟ ସ୍ଥାପନ କରିବା ପାଇଁ ଅଞ୍ଚଳରେ ବିଭିନ୍ନ ମହଲରୁ ଦାବି ହୋଇଛି |ସୂଚନା ପ୍ରକାରେ ଘର ପାଖରେ ଲୋକଙ୍କୁ ଆଇନ୍ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୬୫ ଟି ଜେଏମ୍ଏଫସି କୋର୍ଟ ସ୍ଥାପନ ପାଇଁ ଓଡ଼ିଶା ହାଇ କୋର୍ଟର ସ୍ଵତନ୍ତ୍ର ଅଧିକାରୀ ବାସୁଦେବ ଆଚାର୍ୟ୍ୟ ଗତ ୭ ଅଗଷ୍ଟ ୨୦୨୦ ରେ ଚିଠି ନମ୍ବର ୭୩୫୪(୨୪) ରେ ଜିଲ୍ଲା ଜଜ୍ ମାନଙ୍କୁ ସୂଚନା ଦେଇଛନ୍ତି | ଏହି ଚିଠି ଅନୁସାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ର ବେଲଗୁଣ୍ଠା ଠାରେ ଏକ ଜେଏମ୍ଏଫସି କୋର୍ଟ ସ୍ଥାପନ ପାଇଁ ସୂଚନା ରହିଛି ଯାହା ବ୍ଲକ୍ ର ୧୮ ଟି ପଞ୍ଚାୟତ ମଧ୍ୟରୁ ୧୧ ଟି ପଞ୍ଚାୟତ ଲୋକଙ୍କ ପାଇଁ ସୁବିଧା ହେବା ବଦଳରେ ବୁମେରାଂ ହେବାକୁ ଯାଉଛି | ବେଲଗୁଣ୍ଠା ବ୍ଲକ୍ ର କେଉଁ ବ୍ରିଟିଶ ଅମଳରୁ ଏକ ଥାନା ରହିଛି ଯାହା ବେଲଗୁଣ୍ଠା ବ୍ଲକ୍ ର ୧୧ ଟି ପଞ୍ଚାୟତ ସହ ଧରାକୋଟ, ଆସ୍କା, ସୋରଡା ବ୍ଲକ୍ ର କିଛି ଅଞ୍ଚଳରେ ମଧ୍ୟ କାର୍ଯ୍ୟ କରୁଛି ଓ ଏହି ଅଞ୍ଚଳ ଗୁଡ଼ିକର କେସ୍ କୁ ପୋଲିସ୍ ଭଞ୍ଜନଗର, ସୋରଡା ଏବଂ ଆସ୍କା କୋର୍ଟକୁ ହସ୍ତାନ୍ତର କରୁଛି ଯାହା ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି | ପୁନଶ୍ଚ ବେଲଗୁଣ୍ଠା ବ୍ଲକ୍ ର ଭୌଗୋଳିକ ସ୍ଥିତି ଅନୁସାରେ ବଡ଼ ନଦୀବେଲଗୁଣ୍ଠାକୁ ଦୁଇ ଭାଗରେ ବିଭକ୍ତ କରୁଛି ନଦୀର ଗୋଟିଏ ପଟେ ୧୧ ଟି ପଞ୍ଚାୟତ ରହିଥିବା ବେଳେ ଅନ୍ୟ ପଟେ ମାତ୍ର ୮ ଟି ପଞ୍ଚାୟତ ରହିଛି | ବେଲଗୁଣ୍ଠାକୁ ସବୁ ଦିନିଆ ପକ୍କା ସଡକଟିଏ ନଥିବାରୁ ନଦୀର ଗୋଟିଏ ପଟେ ଥିବା ୧୧ ଟି ପଞ୍ଚାୟତ ତଥା ଖଇରପୁଟି, ଗାଙ୍ଗପୁର,ପାଇଲିପଡ଼ା, କ୍ଷତ୍ରିୟବରପୁର ଶାସନ, ଗୋବରା, ବଡ଼ବୋର୍ସିଂ, ନେଟେଙ୍ଗା ,ବେଣୀପଲ୍ଲୀ,ବଡ଼ପଡ଼ା ଏବଂ ଇଙ୍ଗିନାଠି ପଞ୍ଚାୟତର ଜନ ସାଧାରଣ କୌଣସି କାର୍ଯ୍ୟ ପାଇଁ ବେଲଗୁଣ୍ଠଓ ଯିବାକୁ ହେଲେ ଭଞ୍ଜନଗର ପଟେ ପ୍ରାୟ ୩୫/୪୦ କିଲୋମିଟର ବୁଲି ବୁଲି ଯାଆନ୍ତି ଓ ବର୍ତ୍ତମାନ ଯଦି ବେଲଗୁଣ୍ଠାଠାରେ କୋର୍ଟ ସ୍ଥାପନ କରାଯାଏ ତେବେ ଏହି ୧୧ ଟି ପଞ୍ଚାୟତର ଜନ ସାଧାରଣଙ୍କ ପାଇଁ ସୁବିଧା ଅପେକ୍ଷା ଅସୁବିଧା ହିଁ ହେବ କାରଣ ଆଗରୁ ଲୋକେ ଗାଙ୍ଗପୁର ଅଞ୍ଚଳରୁ ଭଞ୍ଜନଗର, ଆସ୍କା କିମ୍ବା ସୋରଡା ଯିବାକୁ ହେଲେ ୨୨ ରୁ ୨୫ କିଲୋମିଟର ଦୂର ଯାଉଥିବା ବେଳେ ବେଲଗୁଣ୍ଠା ଯିବାକୁ ହେଲେ ସେମାନଙ୍କୁ ପ୍ରାୟ ୩୫ ରୁ ୪୦ କିଲୋମିଟର ଦୂର ଯିବାକୁ ପଡ଼ିବ ପୁଣି ବେଲଗୁଣ୍ଠା ବ୍ଲକ୍ ର ଅଶୀ ପ୍ରତିଶତ ଗରିବ, ଆଦିବାସୀ ଏବଂ ହରିଜନ ଲୋକ ଗାଙ୍ଗପୁର ଥାନା ଅଞ୍ଚଳରେ ବାସ କରନ୍ତି , ସେମାନଙ୍କୁ ସହଜରେ ଆଇନ୍ ବ୍ୟବସ୍ଥା ଯୋଗାଇ ଦେବାକୁ ହେଲେ ବେଲଗୁଣ୍ଠା ଅପେକ୍ଷା ଗାଙ୍ଗପୁର ଅଞ୍ଚଳରେ ଜେଏମ୍ଏଫସି କୋର୍ଟଟିଏ ସ୍ଥାପନ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି | ବର୍ତ୍ତମାନ ସ୍ଵତନ୍ତ୍ର ଅଧିକାରୀଙ୍କ ଚିଠି ଅନୁସାରେ ବେଲଗୁଣ୍ଠ ଏବଂ ଜଗନ୍ନାଥପ୍ରସାଦ ଠାରେ କୋର୍ଟ ସ୍ଥାପନ ପାଇଁ ସୂଚନା ରହିଛି ଏହା ପୂର୍ବରୁ ଭଞ୍ଜନଗର ଠାରେ କୋର୍ଟ ଟିଏ ଥିଲା | ପ୍ରକାଶ ଥାଉ କି ଭଞ୍ଜନଗର ଠାରୁ ବେଲଗୁଣ୍ଠ ୮ କିଲୋମିଟର ହୋଇଥିବା ବେଳେ ବେଲଗୁଣ୍ଠା ଠାରୁ ଜଗନ୍ନାଥପ୍ରସାଦର ଦୂରତା ୧୮ କିଲୋମିଟର ଏବଂ ବେଲଗୁଣ୍ଠା ଠାରୁ ବୁଗୁଡାର ଦୂରତା ୨୨ କିଲୋମିଟର ଓ ଯଦି ବେଲଗୁଣ୍ଠାରେ କୋର୍ଟ ସ୍ଥାପନ ହୁଏ ତେବେ ମାତ୍ର ୩୦ କିଲୋମିଟର ପରିଧି ଭିତରେ ୪ ଟି କୋର୍ଟ ରହିବା ବେଳେ ଭଞ୍ଜନଗର ଠାରୁ ଆସ୍କା ୪୦ କିଲୋମିଟର ଦୂରତା ମଧ୍ୟରେ କୌଣସି କୋର୍ଟ ସ୍ଥାପନ ନ ହେବା ବିଡମ୍ବନାର ବିଷୟ , ସୂଚନା ଥାଉକି ଗାଙ୍ଗପୁର ଭଞ୍ଜନଗର, ଆସ୍କା ଏବଂ ସୋରଡାର ଏକ ମଧ୍ୟବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଏଠାରେ ଏକ କୋର୍ଟ ସ୍ଥାପନ ପାଇଁ ବହୁ ପୂର୍ବରୁ ଦାବି ହେଉଛି ଓ ଏହା ପୂର୍ବରୁ ଗତ ୧୩/୦୫/୨୦୧୬ ରେ ଓଡ଼ିଶା ହାଇକୋର୍ଟ ଏକ ଚିଠି ଜରିଆରେ ଗାଙ୍ଗପୁରଠାରେ ଏକ କୋର୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିବା ବେଳେ ୨୨ ଜୁନ୍ ୨୦୧୬ ରେ ବ୍ରହ୍ମପୁର ଜଜ୍ ଅଞ୍ଚଳରେ କୋର୍ଟ ସ୍ଥାପନ ପାଇଁ ଷ୍ଟାଟିଷ୍ଟିକାଲ୍ ଇନ୍ଫର୍ମେସନ୍ ଦେବା ପାଇଁ ଚିଠି କରିଥିଲେ ଓ ସେହିପରି ବ୍ଲକ୍ ର ସରପଞ୍ଚ ମାନେ ମଧ୍ୟ ଏକ ଗ୍ରୀଭେନ୍ସରେ ଗାଙ୍ଗପୁର ଅଞ୍ଚଳରେ କୋର୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ ଓ ଏହି ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ଆଇନ୍ ସେବା ଯୋଗାଇବାକୁ ଗାଙ୍ଗପୁର ଅଞ୍ଚଳରେ ଏକ କୋର୍ଟ ସ୍ଥାପନ ଜରୁରୀ ବୋଲି ବୁଦ୍ଧିଜୀବି, ଆଇନଜୀବି ଏବଂ ଜନ ସାଧାରଣ ମହଲରେ ଦାବି ହୋଇଛି |


