ଗୁଟଖା ଦୋକାନରେ ମିଳିତ ଚଢ଼ାଉ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ମଙ୍ଗଳବାର ହିଞ୍ଜିଳିକାଟୁ ସହର ସମେତ ବୁରୁପୋଡା ଓ ଶ୍ୟାମଳାଇ ଛକର ବହୁ ଦୋକାନରେ ମିଳିତ ଚଢ଼ାଉ କରାଯାଇଛି । ତେଜରାତି, ପାନ ଓ ଚାହା ଦୋକାନ ଗୁଡିକରେ ବେଆଇନ ଭାବେ ବିକ୍ରି ହେଉଥିବା ବିଭିନ୍ନ ବ୍ରାଣ୍ଡର ଗୁଟଖା, ମାଓ୍ବା ମସଲା ଓ ରସାୟନଯୁକ୍ତ ତମାଖୁ ବିକ୍ରି ହେଉଥିବା ପ୍ରାୟ ୪୦ଟି ଦୋକାନ ଗୁଡିକରେ ଖାଦ୍ୟ ନିରାପତ୍ତା, ପୋଲିସ ଓ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂଯୋଜକ, ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଚଢ଼ାଉ ବେଳେ ବେଆଇନ ଭାବେ ବିକ୍ରିବଟା କରୁଥିବା ବ୍ୟବସାୟୀ ମାନଙ୍କ ଠାରୁ ୬ ହଜାର ୭ଶହ ୫୦ ଟଙ୍କା ଜୋରିମାନା ଅସୁଲ କରାଯାଇଛି । ଚଢ଼ାଉ ବେଳେ ଖାଦ୍ୟ ନିରାପତ୍ତା ଅଧିକାରୀ ଚିନ୍ମୟ ପାଢି, ସଂଯୋଜକ ଅନନ୍ତ କୁମାର ନାୟକ, ଡ୍ରଗ ଇନିସପେକ୍ଟର ଲଳିତ କୁମାର ସାହୁ, ସୁପରଭାଇଜର ସୁନିଲ କୁମାର ବେହେରା, ହିଞ୍ଜିଳି ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଧନଞ୍ଜୟ ସାହୁ, ଏଏସଆଇ ସୁଶାନ୍ତ ବେହେରା, ଏସ ଭିମାରାଓ, ଭୁବନି ବେହେରା, ଲୋଟେଶ୍ବର ପ୍ରଧାନ, ହିଞ୍ଜିଳି ଥାନା ଏସଆଇ କାମଲିନି ନାଇକ ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ । ଦୀର୍ଘ ଦିନ ପରେ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ ପରେ ଚୋରା ଗୁଟଖା ବେପାରୀ ମହଲରେ ଭୟ ଭାବ ଦେଖାଦେଇଛି । ଅନ୍ୟ ପକ୍ଷରେ ଏହି ଚଢାଉ ଲୋକ ଦେଖାଣିଆ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ