ପୋଲିସ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରି ବେଆଇନ ଭାବେ ବିକ୍ରୀ ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀ ନିର୍ମିତ ୫୨ ଟି କିସମର ବାଣ ଜବତ କରିଥିବା ଖବର ମିଳିଛି। ଗ୍ରାମର ସୁଦର୍ଶନ ସାହୁ ଙ୍କ ଘରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ମହଜୁଦ ଥିବା ଖବର ପାଇ ମଙ୍ଗଳବାର ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ଥାନା ଆଇଆଇସି ବିଶ୍ୱଜିତ ନାୟକ ଙ୍କୁ ଏନେଇ ଖବର ଦେବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ସୁଦର୍ଶନ ଙ୍କ ଘରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିଲେ। ପରେ ଜବତ ବାଣ ସହ ତାଙ୍କୁ ପୋଲିସ ଥାନା କୁ ଅଣାଯାଇଥିଲା। ବିନା ଲାଇସେନ୍ସ ରେ ବିକ୍ରୀ ଉଦ୍ଦେଶ୍ୟରେ ବେଆଇନ ଭାବେ ବିଭିନ୍ନ କମ୍ପାନୀ ନିର୍ମିତ ବାଣ ଓ ହାତ ତିଆରି ଦେଶୀ ବାଣ ଗୁଡ଼ିକୁ ସେ ଘର ଭିତରେ ମହଜୁଦ ରଖିଥିଲେ।ଜବତ ବାଣ ଗୁଡ଼ିକର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି।ଏନେଇ ଫାଣ୍ଡି ଅଧିକାରୀ ଥାନା ରେ ଏତଲା ଦେବାପରେ ଆଇଆଇସି ମାମଲା ନଂ.୨୮୨/୨୬ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ତାଙ୍କୁ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।


