ଗୋପିନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ବ୍ୟକ୍ତିଗତ ପ୍ଲଟରେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ଗୋପିନାଥପୁର, ତାଜିପୁର, ତୁଳିପଦା, ମାର୍କଣ୍ଡପୁର, ସାହୁପଡା, ଶ୍ରୀରାମପୁର, କାଣ୍ଡବା, ପାଣିଛତ୍ର, ପାହାଡପୁର, ବଡସନ୍ଦାଡୋ, ସାନସନ୍ଦାଡୋ ଆଦି ରାଜସ୍ୱ ଗ୍ରାମ ତଥା ୧୯ଟି ୱାର୍ଡକୁ ନେଇ ଗଠିତ ହୋଇଛି । ଗ୍ରାମ ପଞ୍ଚାୟତଟି ବନ୍ତ ବ୍ଲକର ଜନସଂଖ୍ୟା ଦୃଷ୍ଟିକୋଣରୁ ସର୍ବାଧିକ ଜନସଂଖ୍ୟା ଏବଂ ପରିସୀମା ଦୃଷ୍ଟିରୁ ସର୍ବବୃହତ ପରିସୀମା ଥିବା ଗ୍ରାମ ପଞ୍ଚାୟତ ଅଟେ । ଗ୍ରାମ ପଞ୍ଚାୟତଟି ଗୋଟିଏ ଶାନ୍ତିପ୍ରିୟ ଗ୍ରାମ ପଞ୍ଚାୟତ ଭାବେ ବନ୍ତ ବ୍ଲକରେ ପରିଗଣିତ । ଗ୍ରାମ ପଞ୍ଚାୟତ ଗଠନ ହେବା ଠାରୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଏଠାରେ ସରପଞ୍ଚ ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ଗ୍ରାମ ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟଟି ପ୍ଲଟ ନଂ-୩୩୦ରେ ଅବସ୍ଥିତ । ଯାହାକି ଗୋଟିଏ ବ୍ୟକ୍ତିଗତ ପ୍ଲଟ ଅଟେ । ଏହି ପ୍ଲଟି ଭାଗବତ ପଣ୍ଡାଙ୍କ ନାମରେ ଥିବା ବେଳେ ତାଙ୍କର ଉତ୍ତରାଧିକାରୀ ଭାବେ ଦୟାନିଧି ପଣ୍ଡା ପ୍ଲଟରେ ଖଜଣା ପ୍ରତିବର୍ଷ ଦେଇଆସୁଛନ୍ତି । ବିଭିନ୍ନ ସମୟରେ ଭାଗବତ ପଣ୍ଡାଙ୍କ ଉତ୍ତରାଧିକାରୀ ମାନେ ଉକ୍ତ ପ୍ଲଟକୁ ଛାଡିବାକୁ ସରପଞ୍ଚ ମାନଙ୍କୁ କହି ଆସୁଥିଲେ । ଅପରପକ୍ଷେ ପଞ୍ଚାୟତର ଗୋଦାମ ଗୃହଟି ଅପର୍ତ୍ତି ପଣ୍ଡା ଓଗେରଙ୍କ ବ୍ୟକ୍ତିଗତ ସ୍ଥାନରେ ହୋଇଛି । ଏବେ ଏକ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ପାଇଁ ବନ୍ତ ବିଡିଓଙ୍କ ଚିଠି ମୂଳେ ତହସିଲଦାର, ଆଗରପଡା ଆର.ଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର.ଆଇଙ୍କ ସର୍ଜମିନ୍ ତଦନ୍ତ ବେଳେ ଗୋପିନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଟି ପ୍ଲଟ ନଂ-୩୩୦ରେ ବ୍ୟକ୍ତିଗତ ପ୍ଲଟ ଉପରେ ଏବଂ ଗୋଦାମ ଘରଟି ମଧ୍ୟ ଗୋଟିଏ ବ୍ୟକ୍ତିଗତ ପ୍ଲଟ ଉପରେ ଥିବା ଜାଣିବାକୁ ପାଇଥିଲେ । ଏବେ ଏହା ଉଭୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ୩୩୦ ନଂ.ପ୍ଲଟର ଉତ୍ତରାଧିକାରୀ ମାନେ ପ୍ଲଟ ଦଖଲ ପାଇଁ ସଜବାଜ ହେଉଥିବା ଜଣାଯାଇଛି । ସେହିପରିି ନୂତନ ଗ୍ରାମ ପଞ୍ଚାୟତ ବିଲ୍ଡିଂ ପାଇଁ ଆର.ଆଇ ଗୋପିନାଥପୁର ମୌଜାର ୪୪୨ ନଂ.ପ୍ଲଟର ୮୪ ଡିସମିଲ୍ ମଧ୍ୟରୁ ୪୦ ଡିସିମିଲ ଜମି ଚିହ୍ନଟ କରିଛନ୍ତି ।