ଗ୍ରାମ୍ୟ ଗୃହ ନିର୍ମାଣ ଓ ସ୍ୱଛ ଓଡିଶା ସୁସ୍ଥ ଓଡିଶା ସମ୍ପର୍କୀତ କର୍ମଶାଳା
କେନ୍ଦ୍ରାପଡା : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମ୍ୟ ଗୃହ ନିର୍ମାଣ ଏବଂ ସ୍ୱଛ ଓଡିଶା ସୁସ୍ଥ ଓଡିଶା ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ବୈଷୟିକ) ଅଜୟ କୁମାର ବିଶ୍ୱାଳ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ କୁମାର ଦେହୁରୀ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଗୃହ ନିର୍ମାଣ,ସ୍ୱଛ ଓଡିଶା ସୁସ୍ଥ ଓଡିଶା,ଜଳ ଶକ୍ତି ମିଶନ ଓ ମିଶନ ଶକ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଅଗଷ୍ଟମାସ ୫ତାରିଖ ସୁଦ୍ଧା ଜିଲ୍ଲାରେ ସମସ୍ତ ବ୍ଲକରେ ପରିମଳ ବ୍ୟବସ୍ଥାରେ ପାଇଖିନା ନିର୍ମାଣ ଶେଷ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜଳଶକ୍ତି ମିଶନରେ ଓଡିଶାର ଏକମାତ୍ର ଜିଲ୍ଲା ଭାବେ କେନ୍ଦ୍ରାପଡାକୁ ବଛାଯାଇଥିବାରୁ ବର୍ଷାଜଳ ସଂରକ୍ଷଣ,ଜଳ ସଂରକ୍ଷଣ ଓ ଅମଳ ଏବେଠାରୁ ଆରମ୍ଭ କରାଯିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ସେହିପରି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଦିଆଯାଇଥିବା ଟାର୍ଗେଟ ଅନୁଯାଇ ପ୍ରତ୍ୟେକ ବ୍ଲକ ତୁରନ୍ତ ହିତାଧିକାରୀଙ୍କୁ କାର୍ଯ୍ୟାର୍ଦ୍ଦେଶ ଜୁଲାଇ ୧୦ତାରିଖ ସୁଦ୍ଧା ପ୍ରଦାନ ସହିତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏବଂ ସଠିକ ସମୟ ଭିତରେ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମିଶନଶକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଆବଶ୍ୟକ ସରକାରୀ ଯୋଜନା ପାଣ୍ଠି ଯୋଗାଇଦେବା ଉପରେ ଗୁରୁତ୍ୱାରୋପ ଜରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ଆର.ଏଚ.ବିପିସି, ବିପିଓ,ସମସ୍ତ ସହକାରୀ ପ୍ରକଳ୍ପ ନିର୍ଦେଶକ,ସିପିଓ,ବ୍ଲକ ଗୁଡିକର ସିପିମାନେ ଯୋଗଦେଇଥିଲେ ।