ଗ୍ରାସୀମ କାରାଖାନାରେ ଘଟିଥିବା ଦୁର୍ଘଟଣାର ପ୍ରଶାସନିକ ଏବଂ ବୈଷୟିକ ଯାଂଚ ନିମନ୍ତେ ବିଜେପି ପକ୍ଷରୁ ଦାବି

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ସ୍ଥିତ ଗ୍ରାସୀମ କେମିକାଲସ ରାସାୟନିକ କାରାଖାନାରେ ଘଟିଥିବା ଦୁର୍ଘଟଣାର ପ୍ରଶାସନିକ ଏବଂ ବୈଷୟିକ ଟିମ୍ ପକ୍ଷରୁ ମିଳିତ ଭାବେ ଯାଂଚ କରିବା ସହ କମ୍ପାନୀ ମୁଖ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି ହୋଇଛି । ଏନେଇ ବୁଧବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନମଣ୍ଡଳୀର ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ (ସାଧାରଣ) ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନାନୁସାରେ, ଗତ ୬ ତାରିଖରେ ଗ୍ରାସୀମ କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଇଞ୍ଜିନିୟର ଅଭିଷେକ ପାଲ ଏବଂ ଠିକାଶ୍ରମିକ ମନୋରଞ୍ଜନ ରାଉଳ ମୃତ୍ୟୁବରଣ କରିଥିଲେ । ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କମ୍ପାନୀ କର୍ତ୍ତୁପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କେଉଁ କାରଣରୁ ଓ କାହା ଅବହେଳାରୁ ଦୁର୍ଘଟଣା ହେଲା ତାହାର ତଦନ୍ତ କରାଯାଉ । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଇଞ୍ଜିନିୟରଙ୍କ ପରିବାରକୁ କ୍ଷତି ପୂରଣ ଦିଆଯିବା ସହ ତାଙ୍କ ପରିବାରର ଜଣଙ୍କୁ କମ୍ପାନିରେ ନିଯୁକ୍ତି ଦିଆଯାଉ ବୋଲି ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠି ଆଇନଜୀବି ତଥା ପୂର୍ବତନ ଛତ୍ରପୁର ଏନଏସି ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ,କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ,ଛତ୍ରପୁର ଏନଏସି ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ,ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଜେନା,ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା,ବଉଳଗାଁ ପୂର୍ବତନ ସରପଂଚ ସୁରେନ୍ଦ୍ର ସେଠୀ,ଶ୍ରୀଧର ନାହାକ,ବାବୁଲା ନାହାକ ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ