ଘନ କୁହୁଡି ଯୋଗୁଁ ଓଲଟିଲା ତମ୍ବାଖୁ ବୋଝେଇ ଟ୍ରକ

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ଥାନା ଠାରୁ କିଛି ଦୂରରେ ଘଟିଛି ସିରିଜ ଦୁର୍ଘଟଣା ।ଘନ କୁହୁଡି ଯୋଗୁଁ ଏକ ତମ୍ବାଖୁ ବୋଝେଇ ଟ୍ରକ ଓଲଟି ପଡ଼ିଥିଲା ।ତମ୍ବାଖୁ ବସ୍ତା ତଳେ ଚାପି ହୋଇ ବାପା ପୁଅଙ୍କ ଦୁଃଖଦ ମୃତ୍ୟୁ ହୋଇ ଯାଇଛି ।ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ରେ ଏକ ବୁଲେଟ ବୋଝେଇ କଣ୍ଟେନର ଓଲଟି ପଡିବାରୁ ବ୍ରହ୍ମପୁର–ଭୁବନେଶ୍ୱର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।ବ୍ରହ୍ମପୁର ପଟୁ ଆସୁଥିବା ଗାଡ଼ି ଗୁଡିକୁ ବଡ ଘାଟି ରାସ୍ତା ରୁ ଖଲ୍ଲିକୋଟ–କେଶପୁର ରାସ୍ତା ଦେଇ ଭୁବନେଶ୍ୱର ଯିବା ପାଇଁ ଛଡ଼ାଯାଉ ଥିଲା ।ଆଜି ଭୋର ସମୟରେ ଘନ କୁହୁଡି ଯୋଗୁଁ ବଡ଼ ଘାଟି ରାସ୍ତା ରୁ ଖଲ୍ଲିକୋଟ ରାସ୍ତା କୁ ଖସୁଥିବା ଏକ ତମ୍ବାଖୁ ଟ୍ରକ ଭାରସାମ୍ୟ ହରାଇ ଖଲ୍ଲିକୋଟ–କେଶପୁର ରାସ୍ତାରେ ଓଲଟି ପଡିଥିଲା ।କର୍ଣ୍ଣାଟକ ଠାରୁ ତମ୍ବାଖୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ଟ୍ରକ ନମ୍ବର ଏପି ୩୯ ୟୁ ୪୬୭୯ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିବାରୁ ଡ୍ରାଇଭର ଖଦାର ଅଲ୍ଲୀ ଓ ହେଲ୍ପର୍ ରମେଶ ଆହତ ହୋଇଥିଲେ ।ତାଙ୍କୁ ଖଲ୍ଲିକୋଟ ମେଡ଼ିକାଲ ରେ ଚିକିତ୍ସା କରାଯାଇଛି ।ତେବେ ସେହି ସମୟରେ କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମର ବାପା ବାବୁଲା ପ୍ରଧାନ(୫୨) ଓ ପୁଅ ରାକେଶ ପ୍ରଧାନ(୨୬) ଏକ ବଜାଜ ପଲସର ବାଇକ ନମ୍ବର ଓଡ଼ି ୦୭ ଏଜେ ୨୯୯୭ ଯୋଗେ ଖଲ୍ଲିକୋଟ ଦେଇ ଭେଜିପୁଟ ଯାଉଥିଲେ ।ଓଲଟି ଥିବା ତମ୍ବାଖୁ ବସ୍ତା ତଳେ ବାଇକ ସମେତ ବାପା ପୁଅ ଚାପି ହୋଇ ରହିଯାଇଥିଲେ ।କିନ୍ତୁ ଏ ସମ୍ପର୍କରେ କେହି ଜାଣି ପାରି ନ ଥିଲେ । ମଧ୍ୟାହ୍ନ ଗୋଟାଏ ରେ ତମ୍ବାଖୁ ବସ୍ତା ଗୁଡିକ ବାହାର କରିବା ସମୟରେ ପ୍ରଥମେ ପୁଅର ମୃତଦେହ ଦେଖିବାକୁ ମିଳିଥିଲା ।ପୁଅ ରାକେଶ ର ମୃତଦେହ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲ କୁ ପଠାଯାଇ ଥିଲା ।ଖବର ପାଇ ସମା ଗ୍ରାମ ରୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲ ରେ ପହଞ୍ଚି ଥିଲେ ।ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ବାପା ପୁଅ ଏକ ବାଇକ ରେ ଗାଁ ରୁ ବାହାରି ଥିବା ଜଣାପଡିଥିଲା ।ଏହାପରେ ପୁଣି ବସ୍ତା ଗୁଡିକ ବାହାର କରିବାରୁ ଅପରାହ୍ନ ୪ଟା ବେଳେ ବାପା ବାବୁଲା ପ୍ରଧାନ ଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।ମୃତ ବାପା ପୁଅ ଭେଜିପୁଟ ଗ୍ରାମ କୁ ମିସ୍ତ୍ରୀ କାମ କରିବା ପାଇଁ ଯାଉଥିବା ଜଣାପଡିଛି ।ମୃତ ବାବୁଲା ଙ୍କ ଘରେ ବିଧବା ପତ୍ନୀ ଓ ଦୁଇ ଅବିବାହିତ ଝିଅ ଥିବା ଜଣାପଡିଛି ।ତମ୍ବାଖୁ ବୋଝେଇ ଟ୍ରକ ଓଲଟି ବାର ପ୍ରାୟ ଏକ ଘଣ୍ଟା ପରେ ସେହି ସ୍ଥାନରେ ଆଉ ଏକ ଟ୍ରକ ଓଲଟି ପଡିଥିଲା ।ଚେନ୍ନାଇ ରୁ ଷ୍ଟିଲ କଞ୍ଚା ମାଲ ବୋଝେଇ କରି ଟ୍ରକ ନମ୍ବର ସିଜି ୦୪ ଏମ୍ ଏଚ ୦୧୬୬ ଯାଜପୁର ଅଭିମୁଖେ ଯାଉଥିବା ବେଳେ ଠିକ ସେହି ସ୍ଥାନରେ ବ୍ରେକ ଫେଲ ହୋଇ ଯିବାରୁ ଏକ ଇଣ୍ଡିଗୋ କାର ନମ୍ବର ଓଡ଼ି ୦୨ ବିୟୁ ୮୭୮୬ ଓ ଏକ ଅଟୋ କୁ ଧକ୍କା ଦେଇ ଓଲଟି ପଡିଥିଲା ।ଫଳରେ ଡ୍ରାଇଭର ପ୍ରଦୀପ କୁମାର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ