ଘରେ ପଶି ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ସୁନା ଅଳଙ୍କାର ଲୁଟିଲେ ଦୁଇ ଦୁବୃର୍ତ୍ତ ନାବାଳକ ସମେତ ଯୁବକ ଅଟକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଜକର ଗ୍ରାମର ନୂଆସାହି ବାସିନ୍ଦା ଏମ୍. କୁମାରୀ ସୁବୁଦ୍ଧି ନାମ୍ନୀ ଜଣେ ବୃଦ୍ଧାଙ୍କ ଘରେ ପଶି ସୋମବାର ଅପରାହ୍ନ ପ୍ରାୟ ୨ ଟାରେ ଦୁଇ ଦୁବୃର୍ତ୍ତ ମାଡ଼ ମାରି ସୁନା ଅଳଙ୍କାର ଲୁଟ୍ କରିଥିବା ଜଣାପଡିଛି । କେ . ନୂଆଗାଁ ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ଜଣେ ନାବାଳକ ସମେତ ଉକ୍ତ ଗ୍ରାମର ଚୁଡ଼ା ବିଷୋୟୀ ନାମକ ଯୁବକକୁ ଗିରଫ କରିଛି । ଲୁଟେରା ଦ୍ବୟ ଗତ କିଛିଦିନ ଧରି ବୃଦ୍ଧାଙ୍କ ଘରକୁ ଯାଇ ଭଲମନ୍ଦ କଥାବାର୍ତ୍ତା ହୋଇ ଆସୁଥିଲେ । ସୋମବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଘରେ ପୁଅ ବୋହୁ ନ ଥିବା ଦେଖି ଘରେ ପଶି ବୃଦ୍ଧାଙ୍କୁ ପ୍ରଥମେ ମାଡ଼ ମାରିଥିଲେ । ପରେ ବୃଦ୍ଧା ଜଣକ ତଳେ ପଡି ଯିବାପରେ ତାଙ୍କ ମୃତ୍ୟୁ ଘଟିଥିବା ଭାବି ଲୁଟେରା ମାନେ ତାଙ୍କ କାନ ଓ ନାକରୁ ସୁନା ଅଳଙ୍କାର ଛିଣ୍ଡାଇ ନେଇ ଘର ବାରିପଟ ରାସ୍ତାରେ ଚମ୍ପଟ ମାରିଥିଲେ । ପରବର୍ତ୍ତୀ ସମୟରେ ବୃଦ୍ଧାଙ୍କ ଚେତା ଫେରିବା ପରେ ବାହାରକୁ ଆସି ସାହି ପଡୋଶୀଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ସହ ଲୁଟେରାଙ୍କ ନାମ ପ୍ରକାଶ କରିଥିଲେ । ଏହାପରେ ଗ୍ରାମବାସୀ ବୃଦ୍ଧା ଙ୍କ ପୁଅ ରାମାରାଓ ସୁବୁଦ୍ଧି ଓ ବୋହୂକୁ ଖବର ଦେବା ସହ ଲୁଟେରା ଦୁଇଜଣଙ୍କୁ କାବୁ କରିଥିଲେ । ଆହାତ କୁମାରୀ ଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଥାନାରେ ପହଞ୍ଚି ଏତଲା ଦିଆଯାଇଥିଲା । ଅପରପକ୍ଷରେ ପୋଲିସ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ବାରା ଅଟକ ରଖାଯାଇଥିବା ଦୁଇଜଣଙ୍କୁ ଗିରଫ କରି ଲୁଟ୍ ଅଳଙ୍କାର କେଉଁଠାରେ ରହିଥିବା ନେଇ ଉଭୟଙ୍କୁ ଜେରା ଚଳାଇଛନ୍ତି । ଅନ୍ୟପକ୍ଷରେ ବୃଦ୍ଧା ଙ୍କ ପୁଅ ରାମାରାଓ ଙ୍କ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୦୫/୨୪ ଦଫା – ୪୫୨/୩୨୩/୩୦୭/୩୯୪/୩୪ ଆଇ ପି ସି ଅନୁଯାୟୀ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ଥାନା ଅଧିକାରୀ କିଶୋର ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି ।


