ଚତୁର୍ଦ୍ଧାମୂର୍ତିଙ୍କ ନିଳାଦ୍ରୀ ବିଜେ ଆଜିଠୁ ମିଳିବ ଅବଢ଼ା

ପୁରୀ, (ଓ୍ବାଇଏନ୍ଏସ୍) : ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିବାବେଳେ ଗୁଣ୍ଡିଚା ଯାତ୍ରାର ୧୧ ଦିନ ପରେ ଚତୁର୍ଦ୍ଧାମୂର୍ତି ନିଳାଦ୍ରି ବିଜେ କରିଛନ୍ତି । ସଂନ୍ଧ୍ୟା ଧୂପ ପରେ ରଥ ଉପରେ ଚାରମାଳ ବନ୍ଧା ଯାଇ ପ୍ରଭୁଙ୍କ ପହଣ୍ଡି ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡ଼ୋରୀ ଲାଗିଥିଲା । ପୁଷ୍ପାଳକ ମହାଜନ ମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହାତରେ ଧରି ଶ୍ରୀମନ୍ଦିର ଦକ୍ଷିଣୀ ଘରକୁ ବିଜେ କରିଥିଲେ । ପରେ ଗୋଟିପହଣ୍ଡିରେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ରତ୍ନ ସିଂହାସନକୁ ବିଜେ କରିଥିଲେ । ପୂର୍ବରୁ ମା ମହାଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କୁ ଜୟ ବିଜୟ ଦ୍ୱାରରେ କବାଟ ପକାଇ ଅଟକାଇଥିଲେ । ସେଠାରେ ଲକ୍ଷ୍ମୀଙ୍କ ପଟରେ ଥିବା ସେବକ ଓ ଶ୍ରୀ ଜଗନ୍ନାଥଙ୍କ ପଟରେ ଥିବା ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକି ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଦର୍ଶନ । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଭୋଗ କରାଯାଇ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରାଯିବା ପରେ ରତ୍ନ ସିଂହାସନକୁ ବିଜେ କରିଥିଲେ ମହାବାହୁ । ସକାଳୁ ରଥରୁଢ଼ ଶ୍ରୀବିଗ୍ରହ ମାନଙ୍କ ଦୈନନ୍ଦିନ ନୀତିକାନ୍ତି ମୁତାବକ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ ପରେ ସୂର୍ଯ୍ୟପୂଜାଓ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଏହା ପରେ ଅନ୍ୟାନ୍ୟ ନୀତି ସମାପନ ହୋଇଥିଲା । ଚତୁର୍ଦ୍ଧାମୂର୍ତିଙ୍କ ନିଳାଦ୍ରୀ ବିଜେ ପରେ ଆଜିଠାରୁ ନୀଳାଚଳ ଅବଢ଼ା ପାଇପାରିବେ ଭକ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ