ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ନିମନ୍ତେ ପ୍ରସ୍ତୁତ ଅନୁଧ୍ୟାନ ଓ ସମୀକ୍ଷା କଲେ ଜିଲ୍ଲାପାଳ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ମଂଗଳବାର ଅପରାହ୍ନ ୪ଘଟିକା ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗା ଠାରେ ପବିତ୍ର ମାଘସପ୍ତମୀ ବୁଡ ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିବା ସହ ଏହାର ସମୀକ୍ଷା କରିଛନ୍ତି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗାର ପ୍ରସିଦ୍ଧ ମାଘସପ୍ତମୀ ମେଳା ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ ଶେଷ କରାଯାଇଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଶ୍ରଦ୍ଧାଳୁ ଭକ୍ତମାନଙ୍କ ସ୍ନାନ ନିମନ୍ତେ ତୀର୍ଥ ପୁଷ୍କରିଣୀର ପାହାଚରେ ବାଲି ବିଛାଇ ସମତୁଲ କରିବା ସହ ବ୍ଲିଚିଙ୍ଗ ପକାଇ ବିଶୋଧନ ନିମନ୍ତେ ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ବର୍ମା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁ ବୁଡ ପକାଇବା ପାଇଁ କରାଯାଇଥିବା ବ୍ଯାରିକେଟ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଚଳିତ ବର୍ଷ ମେଳା ପଡିଆକୁ ଭଲ ଭାବେେ ବ୍ୟାରିକେଡ଼ରେ ଆବଧ କରାଯାଇଛି। ଫଳରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏହା ସମସ୍ୟା ହେବ ବୋଲି କୋଣାର୍କ ସୁରକ୍ଷା ସମିତି ଆବାହକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ପରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ପକ୍ଷରୁ ତୀର୍ଥ ପୁଷ୍କରିଣୀ ପଛପଟ, ଉଡେନ ରେଷ୍ଟୁରାଣ୍ଟ ପାର୍ଶ୍ବବର୍ତ୍ତୀ ଅଞ୍ଚଳ, କୋଣାର୍କ ହେଲିପ୍ୟାଡ, କୋଣାର୍କ ବସଷ୍ଟାଣ୍ଡ ଆଦି ଅଂଚଳରେ ମାଘସପ୍ତମୀ ବୁଡ ପକାଇବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ନିର୍ମାଣଧୀନ ପାଇଖାନା ଓ ପରିଶ୍ରାଗାର ଗୁଡିକର ସ୍ଥିତ ଅନୁଧ୍ୟାନ ସହ ସମୀକ୍ଷା କରିଥିଲେ। କୋଣାର୍କ ଏନଏସି ପକ୍ଷରୁ ମେଳା ପଡିଆକୁ ପରିଷ୍କାର ପରିଚ୍ଛନ୍ନ କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ସହ ମେଳା ପଡିଆ ତଥା ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଓ୍ବାଟକୋ ଦ୍ବାରା ବସା ଯାଉଥିବା ଅସ୍ଥାୟୀ ନଳକୂପ ଓ ଷ୍ଟାଣ୍ଡ ପଏଣ୍ଟ କାର୍ଯ୍ୟ ଶିଥିଳତା ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ସ୍ବଚ୍ଛ ପାନୀୟଜଳର ବନ୍ଦୋବସ୍ତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ନବଗ୍ରହ ମନ୍ଦିର ପରିଦର୍ଶନ କରିବା ସହ ଏହାର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏସକେ ସାଗିର , କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଡ୍ରେନେଜ ବିଭାଗ, ଓ୍ବାଟକୋ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ