ଚାଷୀମାନଙ୍କ ମଧ୍ୟରେ ଜୈବିକ ଚାଷର ପ୍ରସାର

କଳିଙ୍ଗନଗର,(ଯୁଗାବ୍ଦ ନ୍ୟୁଜ୍‌): ଚାଷ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ଦୀର୍ଘସ୍ଥାୟୀ ଚାଷ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପଙ୍କପାଳ ଓ ବାରବାଙ୍କି ଗ୍ରାମ ପଞ୍ଚାୟତରେ ଜୈବିକ ଚାଷ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । କୃଷି, ଶସ୍ୟ ଅମଳ ଓ ସ୍ଥାନୀୟ କୃଷି ଜାତ ଦ୍ରବ୍ୟ ଉତ୍ପାଦନ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଉକ୍ତ କର୍ମଶାଳାର ଆୟୋଜନ କରାଯାଇଥିଲା । ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୬୦ ଜଣ ଚାଷୀ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଯୋଗ ଦେଇଥିବା ଚାଷୀମାନଙ୍କୁ ଚାଷୀମାନେ ବ୍ୟବହାର କରୁଥିବା ବିଭିନ୍ନ ଜୈବିକ କୃଷି ପଦ୍ଧତି ଯଥା କମ୍ ମୂଲ୍ୟରେ ସାର ଓ ପ୍ରାକୃତିକ ପଦାର୍ଥରୁ କୀଟନାଶକପ୍ରସ୍ତୁତିଉପରେ ଭିଡ଼ିଓ ଦେଖାଯାଉଥିଲା । ଏହାପରେ କୋଲିବିରା କୃଷି ସାଧନ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶୀଷ ଦାସ ଉକ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ଆଶୀଷ କହିଥିଲେ ଯେ, “ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଜୈବିକ ଆନ୍ଦୋଳନର ପ୍ରଗତିକୁ ନେଇ ଆମେ ବେଶ ଉତ୍ସାହିତ ଅଛୁ ଓ ବର୍ତ୍ତମାନ ଚାଷୀମାନଙ୍କୁ ଅଭିନବ ସବୁଜ ପ୍ରଯୁକ୍ତି ବିଦ୍ୟା ଉପରେ ଜ୍ଞାନ ପ୍ରଦାନ କରିବାର ସଠିକ୍ ସମୟ । ଜୈବିକ ଚାଷ ଆସନ୍ତାକାଲିର ଆବଶ୍ୟକତା ବୋଲି ଆମେ ଏକ ବାର୍ତ୍ତା ପ୍ରେରଣ କରିବାକୁ ଚାହୁଁଛୁ” । ଏହି କର୍ମଶାଳାରେ ଯୋଗ ଦେଇଥିବା ଚାଷୀମାନଙ୍କୁ ଜମି ପ୍ରସ୍ତୁତି, ବିହନ ଚୟନ, ବିହନ ବୁଣିବା ଓ ତାର ଯତ୍ନ ନେବା, ରକ୍ଷଣାବେକ୍ଷଣ ଓ ଶସ୍ୟ ଉପରେ ପ୍ରଯୁକ୍ତିଗତ ଶିକ୍ଷା ପ୍ରଦାନ କରାଯାଇଥିଲା । ଜୈବିକ ଖତ ପ୍ରସ୍ତୁତି ଓ ଉଦ୍ଭିଦ ସମ୍ପର୍କିତ ରୋଗ, ଏହାର ନିବାରଣ ଓ ପ୍ରତିକାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଜଣେ ଚାଷୀ ଦାମୁ ମରାଣ୍ଡି କହିଥିଲେ ଯେ, “ଆମେ ବହୁ ଦିନ ଧରି ପନିପରିବା ଚାଷ କରୁଛୁୂ, କିନ୍ତୁ ସମୟର ପରିବର୍ତ୍ତନ ସହିତ ଜୈବିକ ଚାଷର ଗୁରୁତ୍ୱ ବୃଦ୍ଧି ପାଇଛି । ସହରରେ ମଧ୍ୟ ଜୈବିକ ପନିପରିବା ଚାହିଦା ବୃଦ୍ଧି ପାଉଛି ବୋଲି ଆମର ବିକ୍ରେତାମାନଙ୍କ ମତାମତକୁ ଦୃଷ୍ଟିରେ ରଖି ଆମ ମାନଙ୍କ ପାଇଁ ନିଜର ଦକ୍ଷତା ଓ ଉତ୍ପାଦର ଗୁଣବତ୍ତା ବଢାଇବା ନିହାତି ଜରୁରୀ” । ଆଗାମୀ ଦିନରେ ଜିଲ୍ଳାର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି କର୍ମଶାଳା ଆୟୋଜନ କରିବାର ଯୋଜନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ