ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ…

ବାଲେଶ୍ୱର, (ସରୋଜ ପଣ୍ଡା) :-ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ ଦାବିରେ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ତହସିଲ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ପରିଲକ୍ଷିତ ହୋଇଛି । ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ \”ଜମାକାରୀ ଗଣ ସତ୍ୟାଗ୍ରହ’ରେ ଆର୍ଥିକ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ରାଜ୍ୟ ଆବାହକ ତଥା ସଭାପତି ଜୟନ୍ତ ଦାସ, ବାଲେଶ୍ୱର ତହସିଲ ସମ୍ମୁଖରେ ପ୍ରଦୀପ ସାମଲ, ହରେକୃଷ୍ଣ ଦାସ, ସନୀ ଖାନ, ଜମାଲ ଅହମ୍ମଦ ଖାନ, ମାନସ ରଞ୍ଜନ ବାରିକ, ବିକାଶ ରଞ୍ଜନ ଦାସ, ଆବିଦ ଖାନଙ୍କ ସମେତ ବହୁ ଜମାକାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ଟଙ୍କା ଫେରସ୍ତ ଫାର୍ସକୁ ତୀବ୍ର ସମାଲୋଚନା କରିଥିଲେ । ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇ ମଧ୍ୟ ଜମକାରୀଙ୍କୁ ଟଙ୍କା ଫେରସ୍ତ ନଦେଇ ଏହି ଅର୍ଥକୁ ସରକାର ଚଳୁ କରିଦେଇଛନ୍ତି ବୋଲି ସେମାନେ ଆରୋପ ଉଠାଇଛନ୍ତି । ତଦନ୍ତ କମିଶନଙ୍କ ୭ ପର୍ଯ୍ୟାୟ ସୁପାରିସ କ୍ରମେ ତହସିଲ ଜରିଆରେ ଯାଞ୍ଚ ପରେ ସମସ୍ତଙ୍କୁ ଅର୍ଥ ଫେରାଇବା ପରିବର୍ତ୍ତେ ସରକାର କେବଳ କେତେକ କ୍ଷୁଦ୍ର ଜମାକାରୀଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରାଇବା ଏକ ନାଟକ ଥିଲା ବୋଲି ମଞ୍ଚର ସଭାପତି ଶ୍ରୀ ଦାସ କହିଛନ୍ତି । ସରକାରୀ ଘୋଷଣା କ୍ରମେ କ୍ଷତିଗ୍ରସ୍ତ ଜମାକାରୀ ଖର୍ଚ୍ଚାନ୍ତ ହୋଇ କୋର୍ଟ’ଫି ଦେଇ ରେଜିଷ୍ଟ୍ରି ଡାକ ଯୋଗେ ସତ୍ୟପାଠ ପଠାଇଲେ, ତଦନ୍ତ କମିଶନ ୭ଟି ପର୍ଯ୍ୟାୟରେ ଆପାତତଃ ୫ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ସୁପାରିଶ କରିଥିଲେ । ମାତ୍ର ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପାରିହେବାକୁ ପ୍ରାୟ ୫ଲକ୍ଷ ଜମାକାରୀଙ୍କ ମଧ୍ୟରୁ ୨୫/୨୬ ହଜାର କ୍ଷୁଦ୍ର ଜମାକାରୀଙ୍କୁ ସ୍ୱଳ୍ପ ପରିମାଣର ଅର୍ଥ ଫେରାଇଛନ୍ତି । କମ୍ପାନୀମାନେ ଜମାକାରୀଙ୍କ ଅର୍ଥ ବିନିଯୋଗ କରିଥିବା ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି, ହଜାର ହଜାର ଏକର ମୂଲ୍ୟବାନ ଜମି, ଶହ ଶହ କୋଠା-ବାଡ଼ି, ଗାଡ଼ି-ଘୋଡ଼ା, ଟିଭି ସଂସ୍ଥା ସମେତ ବିଭିନ୍ନ ଶିଳ୍ପ ସଂସ୍ଥାକୁ ସରକାର ଜବତ ସହ ଏହାକୁ ବିକ୍ରି କରି ଅର୍ଥ ମଧ୍ୟ ମହଜୁଦ ରଖିଛନ୍ତି । ମାତ୍ର ଜମାକାରୀଙ୍କୁ ଅର୍ଥ ଫେରାଇବାକୁ କାହିଁକି ଇଚ୍ଛା ପ୍ରକାଶ କହୁ ନାହାନ୍ତି ବୋଲି ମଞ୍ଚର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ସମସ୍ତ ଜମାକାରୀଙ୍କୁ ସେମାନଙ୍କ ଜମାର ପରିପକ୍ୱ ରାଶି ସରକାର ଫେରସ୍ତ ନ କରିବା ପର୍ଯ୍ୟନ୍ତ ଏହି ଗଣସତ୍ୟାଗ୍ରହ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅବସରରେ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ