ଚୀନକୁ ଚେତାବନୀ
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସାମ୍ବାଦିକ
ଲଦାଖର ଗଲୱାନଠାରେ ଗତ ଜୁନ୍ ୧୫ ତାରିଖ ଦିନ ଚୀନ ସେନାଙ୍କ ଅତର୍କିତ ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହୀଦ୍ ହେବା ଘଟଣାରେ ଭାରତ ଚୀନର ୫୯ଟି ଆପକୁ ନିଷିଦ୍ଧ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହର ସାମରିକ ଘାଟୀରେ କାହାର ନାମ ନେଇ ଯେଉଁ ଚେତାବନୀ ଦେଇଛନ୍ତି, ଭାରତ ଯେ, ଯବାନଙ୍କ ସହୀଦ୍ ଓ ଚୀନର ବିସ୍ତାରବାଦୀ ଆଭିମୁଖ୍ୟ ଯଥାର୍ଥ ଉତର ବୋଲି କୁହାଯାଇପାରିବ । ଭାରତ ନିଜର ସୀମା ସୁରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଓ ସଜାଗ ରହିଛି, ପ୍ରଧାନମନ୍ତ୍ରୀ ବିଶ୍ୱକୁ ଏହି ବାର୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଚେତାବନୀରେ ଆହୁରି ସଂକେତ ପ୍ରଦାନ କରିଛନ୍ତି ଯେ, ୧୯୬୨ ମସିହାର ପରିସ୍ଥିତି ଆଉ ନାହିଁ । ସବୁ ଦୃଷ୍ଟିରୁ ଭାରତୀୟ ସେନା ଯଥେଷ୍ଟ ସୁଦୃଢ ଏବଂ ଯେକୌଣସି ବାହ୍ୟ ଆକ୍ରମଣର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ । ଲଦାଖରେ ଭାରତୀୟ ଯବାନଙ୍କ ବୀରତା ଓ ସାହସ ସାରା ବିଶ୍ୱ ଦେଖିଛି । ଶତ୍ରୃ ମାଟି କାମୁଡିଛି । ପଛଘୁଂଚା ଦେଇଛି । ଏଥିପାଇଁ ଦେଶବସୀଙ୍କର ଛାତି ଫୁଲି ଉଠିଛି । କେବଳ ଏତିକି ନୁହେଁ, ଶାନ୍ତିର ଦେଶ ଭାବେ ପରିଚିତ ଭାରତ ଶ୍ରୀକୃଷ୍ଣଙ୍କ ଭଳି ବଂଶୀ ବଜାଇପାରେ, ଆବଶ୍ୟକ ସ୍ଥଳେ “ଚକ” ବି ଉଠାଇପାରେ । ପ୍ରଧାନମନ୍ତ୍ରୀ ଏଭଳି ବୟାନ ଦେଇ ଜଣାଇ ଦେଇଛନ୍ତି ଯେ, ଭାରତ ଯେତିକି କୋମଳ, ସେତିକି କଠୋର ମଧ୍ୟ । ଏଥିରେ ସନ୍ଦେହ ନାହିଁ । ଆହୁରି ମଧ୍ୟ ସୀମନ୍ତରେ ଭୂଖଣ୍ଡକୁ ନେଇ ଉତେଜନା ଲାଗି ରହିଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ଅଚାନକ ସୀମାନ୍ତରେ ବିଚରଣ କରିବା, ଶତ୍ରୃ ପକ୍ଷକୁ ସଂକେତ ଦେଇଛି ଯେ, ଗଲୱାନ ହେଉଛି ଭାରତର । ଭାରତର ରହିଛି ଓ ରହିବ ଏବଂ ଏହାକୁ କେହି ଆମକୁ ଛଡାଇ ନେଇ ପାରିବେ ନାହିଁ । ସେହିପରି ଚୀନର ବିସ୍ତାରବାଦୀ ନୀତିକୁ କଟାକ୍ଷ କରିବାରେ ମଧ୍ୟ କୁଣ୍ଠାବୋଧ କରିନାହାଁନ୍ତି । ବିସ୍ତାରବାଦୀ ନୀତି ଛାଡିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅତୀତରେ ବିସ୍ତାରବାଦୀଙ୍କ ସତା ଲୋପ ପାଇଯାଇଛି । ଏବେ ମଧ୍ୟ ଲୋପ ପାଇଯିବ । ବିସ୍ତାରବାଦ ବିନାଶର କାରଣ । ବର୍ତମାନର ଯୁଗ ହେଉଛି ବିକାଶର ଯୁଗ । ଚୀନ ବିସ୍ତାରବାଦ ନୀତି ନ ଛାଡିଲେ ଇତିହାସ ହୋଇଯିବ, ଏହା ହିଁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ପରେ ଚୀନ ମଧ୍ୟ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଛି, ସେଥିରୁ ତା’ର ସ୍ୱର ଯେ ନରମି ଯାଇଛି, ଏହା ବେଶ ଅନୁମାନ କରାଯାଇପାରେ । ଏହା ନିଶ୍ଚିତ ଯେ, ଚୀନର ବିସ୍ତାରବାଦ ନୀତି ଏବଂ ୨୦ଜଣ ଯବାନଙ୍କ ବଳିଦାନକୁ ଭାରତ ସହଜରେ ଗ୍ରହଣ କରିପାରିନାହିଁ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଲଦାଖ ମାଟିରେ ଛିଡା ହୋଇ କଡା ଚେତାବନୀ ଶୁଣାଇଥିବା ବେଳେ ଅନ୍ୟପଟେ ହାତରେ ନମାରି ଭାତରେ ମାରିବା ନୀତି ଆପଣେଇଥିବା ୫୯ଟି ଆପର ନିଷିଦ୍ଧ ଘୋଷଣା କରିବା ଘଟଣା ସ୍ପଷ୍ଟ ସନ୍ଦେଶ ପ୍ରଦାନ କରିଛି । ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ୬୯ କ ଆଧାରରେ ଚୀନର ୫୯ଟି ଆପକୁ ନିଷିଦ୍ଧ କରିଛି । ଏହାଦ୍ୱାରା ଚୀନ ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହୋଇଛି । କୁହାଯାଇଛି ଯେ, ଭାରତର ନିଷ୍ପତି ଯେ, ଚୀନ ବାର୍ଷିକ ୬ଲକ୍ଷ ବିଲିଅନ ଡଲାର କ୍ଷତି ସହିବ । କେବଳ ଏତିକି ନୁହେଁ, ଭାରତ ସମେତ ବିଶ୍ୱର ଖାଉଟି ବଜାର, ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ବଜାରରୁ ଚୀନ ପ୍ରଭୂତ ଆୟ କରିଥାଏ । ଟିକଟିକ୍, ଭିଗେ ଭିଡିଓ, ୟୁସି ବ୍ରାଉଜର, ଶେୟାର ଇଟ୍, ଜେଣ୍ଡର, କ୍ଲିନ୍ ମାଷ୍ଟର ଭଳି ଲୋକପ୍ରିୟ ଆପରୁ ଚୀନ ପ୍ରଚୁର ଆୟ କରିଛି, ଯେଉଁ ସମୟରେ କରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଲକଡାଉନରେ ରହିଥିଲା । ବୋଧେହୁଏ କରୋନା ଭଳି ମହାମାରୀ ଉତ୍ପନ୍ନ କରି ଚୀନ ବିଶ୍ୱ ଅର୍ଥନୀତିକୁ ପଙ୍ଗୁ କରିଦେଇ ନିଜେ ଅର୍ଥନୀତିକୁ ସୁଦୃଢ କରିପାରିଛି । ଏହା ସତ୍ୟ ଯେ, ଭାରତର ଡିଜିଟାଲ ଷ୍ଟ୍ରାଇକରେ ଚୀନ ଅର୍ଥନୀତି ଦୋହଲିବାକୁ ଯାଉଛି । ଆହୁରି ମଧ୍ୟ ଚୀନ ସଂସ୍ଥା ଦ୍ୱାରା ଭାରତରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଉପରେ ଭାରତ ସରକାର କଟକଣା ଜାରି କରିଛନ୍ତି । କେବଳ ଏତିକି ନୁହେଁ, ଚୀନ ସାମଗ୍ରୀର ଭାରତ ହେଉଛି ସବୁଠାରୁ ବଡ ବଜାର । ଲଦାଖରେ ୨୦ ଜଣ ଯବାନ ସହିଦ୍ ହେବା ପରେ ଏବେ ଦେଶବ୍ୟାପୀ ଚୀନ ସାମଗ୍ରୀ ବର୍ଜନ ପାଇଁ ଯେଉଁଭଳି ଜନମତ ପ୍ରକାଶ ପାଇଛି, ତାହା ଚୀନ ଅର୍ଥନୀତିକୁ ଧକ୍କା ପହଁଚାଇବ ନିଶ୍ଚିତ । ଚୀନ ସାମଗ୍ରୀ ବର୍ଜନ ଏତେ ଶୀଘ୍ର ସମ୍ଭବ ହେବା ସହଜସାଧ୍ୟ ହୋଇନଥିବା ସତ୍ୱେ କାରବାର ଆଶାତୀତ ହ୍ରାସ ପାଇଛି । ତେବେ ଚୀନ ବିସ୍ତାରବାଦୀ ଚିନ୍ତାଧାରା ପରିହାର ନକରିବା ପର୍ଯ୍ୟନ୍ତ ଭାରତୀୟ ଜନସାଧାରଣ ଚୀନ ସାମଗ୍ରୀକୁ ବର୍ଜନ କରିବା ଆବଶ୍ୟକ । ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଦେଶୀ ସାମଗ୍ରୀ ବର୍ଜନ ନେଇ ଯେଉଁ ଦେଶପ୍ରେମ ଭାବ ଜାଗ୍ରତ ହୋଇଥିଲା, ଏବଂ ବ୍ରିଟିଶ ସାମାଜ୍ର୍ୟ ଦୋହଲି ଯାଇଥିଲା, ଏବେ ଦେଶର ସୀମା, ସାର୍ବଭୌମତ୍ୱ ରକ୍ଷା ପାଇଁ ଆମେ ଭାରତୀୟ ସଂକଳ୍ପବାଦ ହେବା ସମୟ ଆସିଛି । ଏବେ ଚୀନକୁ ଉଭୟ ହାତରେ ଓ ଭାରତରେ ମାରିବା ସମୟ ଉପନୀତ ହୋଇଛି ।
୧୮୧୦, ଅନନ୍ତ ନଗର,
ମହତାବ ରୋଡ୍, ଓଲଡ୍ ଟାଉନ୍,
ଭୁବନେଶ୍ୱର-୭୫୧୦୦୨
୯୪୩୭୯୯୪୩୭୯