ଜନସମ୍ପର୍କ ଅଭିଯାନରେ ୬୦ହଜାର ପରିବାରକୁ ଭେଟିବେ ବିଜେପି କର୍ମୀ

ବାଲେଶ୍ୱର, (ସରୋଜ ପଣ୍ଡା):ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଭାଜପା ପକ୍ଷରୁ ଜିଲାରେ ଜନସମ୍ପର୍କ ଅଭିଯାନ କାର୍ଯ୍ୟକାରିତା ନେଇ ଜାରି ରହିଛି ଉଦ୍ୟମ । ଏନେଇ ବାଳେଶ୍ୱରରେ ପହଞ୍ଚିଛନ୍ତି ଦଳର ରାଜ୍ୟ ସହପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ ସିଂ ତୋମାର । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ତୋମାର ଯୋଗଦେଇ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ଗତ ୯ ବର୍ଷ ଭାରତବର୍ଷ ପାଇଁ “ନବନିର୍ମାଣ” ଏବଂ “ଗରୀବ କଲ୍ୟାଣ”ର ବର୍ଷ ବୋଲି ସେ କହିଛନ୍ତି । ଏହି ସମୟ ମଧ୍ୟରେ ଦେଶ ‘ପଲିସି ପାରାଲିସିସ୍‌’ ରୁ ‘ଡିସାଇସିଭ’(ନିର୍ଣ୍ଣାୟକ)କୁ’ ଏବଂ ଅର୍ଥନୀତିରେ ‘ଦୁର୍ବଳ ୫ ରୁ ଶ୍ରେଷ୍ଠ ୫’ କୁ ଯାତ୍ରା କରିଛି ବୋଲି ଶ୍ରୀ ତୋମାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମୋଦି ସରକାରଙ୍କ ସୁଶାସନ ଓ ୯ ବର୍ଷର ଗରୀବ କଲ୍ୟାଣ ସଫଳତାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଆହ୍ୱାନ କ୍ରମେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ ଜାରି ରହିଥିବା ସେ କହିଛନ୍ତି । ଏହି କ୍ରମରେ ଓଡ଼ଶାରେ ୪ଟି ମହାସଭା ଅନୁଷ୍ଠିତ ହେବା ସହିତ ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ରାଜ୍ୟରେ ୧ହଜାରରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ । ସେହିପରି ବାଲେଶ୍ୱର ଜିଲ୍ଲାର ସମସ୍ତ ୧୮୮୭ ବୁଥର ୬୦ହଜାର ପରିବାରକୁ ଦଳର କାର୍ଯ୍ୟକର୍ତ୍ତାମାନେ ସାକ୍ଷାତ କରି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ । ଏହି ଅଭିଯାନ ଅନ୍ତର୍ଗତ ୨୧ ତାରିଖର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳମାନଙ୍କରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ଏଥି ସହିତ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ରାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥରେ ସମର୍ଥକ, କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବେ ବୋଲି ଶ୍ରୀ ତୋମାର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, କାର୍ଯ୍ୟକ୍ରମର ରାଜ୍ୟ ସହ-ସଂଯୋଜକ ବିଷ୍ଣୁ ଦାସ, ଜିଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କ ସମେତ ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ସୁଷମା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲା ଉପ-ସଭାପତି କମଳା ବିନ୍ଧାଣୀ, କମଳ ଲୋଚନ ଦାସ ଓ ସାବିତ୍ରୀ ଜେନା, ଜିଲା ସମ୍ପାଦକ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଗଣମାଧ୍ୟମ ସହ-ସଂଯୋଜକ ରଞ୍ଜିତ ପୁଷ୍ଟି ଓ ଅନୀଲ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ