ଜନ୍ମମାଟିରୁ ସାଂସଦ ମହାରତ୍ନ ଭର୍ତ୍ତୃହରି ମହତାବଙ୍କୁ ଶୁଭେଚ୍ଛା ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):କଟକ ସାଂସଦ ତଥା ବରିଷ୍ଠ ଅଭିଜ୍ଞ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଚଳିତ ବର୍ଷର ସମ୍ମାନଜନକ ସଂସଦ ମହାରତ୍ନ ପୁରସ୍କାର-୨୦୨୦ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଚେନ୍ନାଇସ୍ଥିତ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଓ ସଂସଦ ରତ୍ନ ପୁରସ୍କାର କମିଟି ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ତର ଏପିଜେ ଅବଦୁଲ୍ କଲାମଙ୍କ ସମ୍ମାନ ଓ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ପୁରସ୍କାର ୨୦୧୦ ମସିହାରୁ ସଂସଦୀୟ ବ୍ୟପାର ରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ପ୍ରତି ୫ ବର୍ଷରେ ଥରେ ପ୍ରଦାନ କରାଯାଇ ଆସୁଛି । ସଂସଦରେ ସାଂସଦଙ୍କ ସାମାଜିକ ଦାୟୀତ୍ୱବୋଧ ଓ ସାମଗ୍ରିକ କୃତିତ୍ୱକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଏହି ମନୋନୟନ କରାଯାଇଥାଏ । ୧୭ତମ ଲୋକସଭାରେ ଗୁଣାତ୍ମକ କାର୍ଯ୍ୟାବଳୀ ଆଧାରରେ ଶ୍ରୀ ମହତାବ ମନୋନୀତ ହୋଇଛନ୍ତି । ଖବର ପ୍ରସାରଣ ପରେ ତାଙ୍କ ଜନ୍ମମାଟି ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଅଞ୍ଚଳରେ ଖୁସିରେ ଲହରୀ ଖେଳି ଯାଇଛି । ସି.ଏଫ.ଡବ୍ଲ୍ୟୁ.ଏସ୍.ଡି , ଲୋକଶକ୍ତି, ଜଗତଜ୍ୟୋତି ମହିଳା ମହାସଂଘ ପ୍ରଭୃତି ସଙ୍ଗଠନ, ଜନ ପ୍ରତିନିଧି ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ଶ୍ରୀ ମହତାବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ପ୍ରକାଶ ଥାଉକି, ଶ୍ରୀ ମହତାବ ୨୦୧୭ ମସିହାରେ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର ମଧ୍ୟ ପାଇଥିଲେ ।