ଜାତି, ଜାତୀୟତା ଓ ଜାତୀୟ ସଂହତି
ବିପିନ ବିହାରୀ ମହାନ୍ତି
ଚରମ ମହାଦେଶ ଏସିଆର ପରମ ଏବଂ ଚରମ ଦେଶ ଭାରତ । କଥାରେ କୁହାଯାଏ : ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ । ଅର୍ଥାତ୍ ଭାରତରେ ଯାହା ନାହିଁ ତାହା ବିଶ୍ୱରେ ନାହିଁ । ସବୁ ପ୍ରକାର ଭୌଗୋଳିକ, ଐତିହାସିକ, ରାଜନୈତିକ, ଧର୍ମନୈତିକ, ଉଦ୍ଭିଦ, ପ୍ରାଣୀ ଓ ଜଳବାୟୁ, ରଙ୍ଗ ବା ବର୍ଣ୍ଣର ମଣିଷ ଜାତି ଓ ତାଙ୍କ ଭାଷା ଇତ୍ୟାଦିର ସମାହାର ଏ ଭାରତ । ଏଣୁ ଏହା ଏକ ଚରମ ଭୂଖଣ୍ଡ । ଭାରତ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ସ୍ୱାଧୀନ ଧର୍ମନିରପେକ୍ଷ ଏବଂ ସାର୍ବଭୌମ ରାଷ୍ଟ୍ର । ତ୍ରିରଙ୍ଗା ଏହାର ଜାତୀୟ ପତାକା ‘ଜନଗଣ ମନ…’ ଏହାର ଜାତୀୟ ସଂଗୀତ ‘ଅଶୋକଚକ୍ର’, ଏହାର ଜାତୀୟ ପ୍ରତୀକ ଏବଂ ଧର୍ମଚକ୍ର । ଆମର ଦ୍ୱୈତ ନାଗରିକ ନାହିଁ । ଏହା ସମସ୍ତ ରାଜ୍ୟ ଓ କେନ୍ଦ୍ର ସହିତ ମିଶି ଗଢ଼ିଛନ୍ତି ରାଷ୍ଟ୍ରସଂଘ । ଯାହାର ନାଗରିକତା ହେଉଛି ଗୋଟିଏ : ଆମେ ଜାତି-ଧର୍ମ-ବର୍ଣ୍ଣ-ସଂପ୍ରଦାୟ-ବାଳବୃଦ୍ଧ ନିର୍ବିଶେଷରେ ଭାରତୀୟ । ଭାରତୀୟତା ଆମ ଗର୍ବ, ଗୌରବ ଏବଂ ସମ୍ମାନ ।
ବିଭିନ୍ନ ସମୟରେ ଭାରତକୁ ବୈଦେଶିକମାନେ ୧୭ ଥର ଆକ୍ରମଣ, ଲୁଣ୍ଠନ ବା ଶାସନ କରିଛନ୍ତି । ଏସବୁ ଜାତିମାନେ ହେଲେ ଆଫଗାନ ଅମୀର, ମଙ୍ଗୋ. ମୋଗଲ, ମରହଟ୍ଟା… ଏବଂ ଶେଷରେ ଇଂରେଜମାନେ ଶାସନ କରିଛନ୍ତି । ଷୋଡ଼ଶ ଶତାବ୍ଦୀରେ ପ୍ରଥମେ ପର୍ତ୍ତୃଗୀଜ ଓ ୧୬୦୦ ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କଂପାନୀ ବାଣିଜ୍ୟ ଉଦ୍ଦେଶ୍ୟରେ ଜଳପଥ ଭାରତକୁ ଆବିଷ୍କାର କାରଣରୁ ଆସିଥିଲେ ଏବଂ ପରେ ଏହା ଅଙ୍ଗୁଳି ପ୍ରବେଶଣ ବାହୁ ପ୍ରବେଶ ନ୍ୟାୟ ହେଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ଇଷ୍ଟ ଇଣ୍ଡିଆ କଂପାନୀ ଏବଂ ବଙ୍ଗର ନବାବ ସିରାଜ ଉଦ୍ଦୌଲାଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା ଏବଂ ସିରାଜ ପରାସ୍ତ ହେଲେ । ଏଇଠି କଂପାନୀର ଭାରତ ଶାସନ ଆରମ୍ଭ ହେଲା । ଏ ଶାସନ ଚାଲିଲା ୧୮୫୭ ମସିହା ଯାଏଁ । ୧୮୫୭ ମସିହାର କଂପାନୀ ବିରୁଦ୍ଧରେ ଯେଉଁ ସଂଗ୍ରାମ ଥିଲା ତାହା ଥିଲା ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଅଧ୍ୟାୟ । ଏହାପରେ କଂପାନୀ ଶାସନର ଇତିହେଲା ଏବଂ ଭାରତ ଶାସନ ଇଂରେଜ ସରକାରଙ୍କ ହାତକୁ ଚାଲିଗଲା । ଇଂରେଜ ବିରୁଦ୍ଧରେ ଆମ ସଂଗ୍ରାମ ଚାଲୁ ରହିଲା ଏବଂ ୧୯୪୭ ଅଗଷ୍ଟ ୧୫ରେ ଦୀର୍ଘ ୧୯୦ ବର୍ଷ ଲଢ଼େଇ ପରେ ଆମେ ମୁକ୍ତ ହେଲୁ ।
ଏଠାରେ ଗୋଟିଏ କଥା ସୂଚାଇଦେଉ ଯେ ସ୍ୱାଧୀନତା ପୂର୍ବରୁ ଭାରତବର୍ଷ ଛୋଟ ଛୋଟ ରାଜ୍ୟ ଦ୍ୱାରା ଶତଧା ବିଭକ୍ତ ଥିଲା ଏବଂ ଏସବୁ ରାଜ୍ୟରେ ରାଜା, ସମ୍ଭ୍ରାନ୍ତ ବା ସାମନ୍ତ ରାଜାମାନେ ଶାସନ କରୁଥିଲେ । ନିଜ ରାଜ୍ୟର ସରହଦ ଓ ପ୍ରତିପତ୍ତି ନେଇ ସେମାନେ ବାରମ୍ବାର ଯୁଦ୍ଧରେ ବ୍ୟାପୃତ ଥିଲେ । ଏମାନଙ୍କର ଭାଷାଗତ କିମ୍ବା ରାଜନୈତିକ ଏକତା ନଥିଲା । ଏମାନେ ଏହି କାରଣରୁ ବିଦେଶୀମାନଙ୍କୁ ପ୍ରତିରୋଧ କରିନପାରି ସେମାନଙ୍କର ଶିକାର ହେଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଶିଖାଇ ଦେଲା ଯେ, ଏକତା ହିଁ ବଳ । ଏକତା ବଳରେ ହିମାଳୟକୁ ବି ଟାଳି ହୋଇପାରେ ।
ଭାରତରେ ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ ସଂପ୍ରଦାୟ, ବୃତ୍ତି, ଖାଦ୍ୟ, ପାନୀୟ, ପୋଷାକ ଓ ଚଳଣିର ଲୋକ ଅଛନ୍ତି । ଏଣୁ ସାମଞ୍ଜସ୍ୟ ପରିବର୍ତ୍ତେ ବିଭିନ୍ନତା ଅଛି । ବିଭିନ୍ନତା ହିଁ ଏକତାର ଅନ୍ତରାୟ ହେବା ସ୍ୱାଭାବିକ । ଇଂରାଜୀରେ ଏକ କଥା ଅଛି- ୟୁନାଇଟେଡ୍ ଉଇ ଷ୍ଟାଣ୍ଡ ଏଣ୍ଡ ଡିଭାଇଡେଡ୍ ଉଇ ଫଲ୍ । ଅର୍ଥାତ୍ ଏକତା ବଳରେ ଆମେ ବଳିୟାନ୍ ଏବଂ ବିଭିନ୍ନତାରେ ଆମେ ପରାସ୍ତ ବା ଦୁର୍ବଳ । ଭାରତ ସ୍ୱାଧୀନତା ହେଲା ପରେ ଚିିନ୍ତା କଲା ଯେ ଆମ ବିଭିନ୍ନତା ମଧ୍ୟରେ ଏକତା ନରହିଲେ ଆମେ ଦୁର୍ବଳ ହୋଇଯିବା ଏବଂ ଦେଶ ପୁଣି ଖଣ୍ଡ ଖଣ୍ଡ ହୋଇଯିବ ଓ ଆମେ ସ୍ୱାଧୀନତା ହରାଇବା । ଏଣୁ ଏକତା ରହିବା ଜରୁରୀ । ବିଭିନ୍ନତା ମଧ୍ୟରେ ଏକତା ରହିବା ହିଁ ସଂହତି । ଭାରତୀୟଙ୍କ ପାଇଁ ଏ ସଂହତି, ଜାତୀୟ ସଂହତି । ମନେରଖିବା ଯେ ଭାରତର ସୀମା ସରହଦ ମଧ୍ୟରେ ବାସ କରୁଥିବା ଏକ ନାଗରିକପ୍ରାପ୍ତ ସମସ୍ତ ବ୍ୟକ୍ତି ଗୋଟିଏ ଜାତି : ଭାରତୀୟ, ଆମେ ଭାରତୀୟ ।
ବିଭିନ୍ନତା ମଧ୍ୟରେ ଏକତା ରଖିବା ଜାତୀୟ ସଂହତି ହେଲେ ହେଁ, ବିଭିନ୍ନତା ମଧ୍ୟ ସଂହତିର ପ୍ରତିବନ୍ଧକ । ଏହାର ବିଭିନ୍ନ କାରଣଗୁଡିକ ହେଲେ : ଦେଶର ବିଶାଳତା, ଧର୍ମଗତ ପାର୍ଥକ୍ୟ, ଭାଷାଗତ ପାର୍ଥକ୍ୟ, ନିରକ୍ଷରତା, ଜାତିଆଣ ଭାବ, ଦାରିଦ୍ର୍ୟ, ଆଞ୍ଚଳିକତା, ସାଂପ୍ରଦାୟିକତା, ବୈଦେଶିକ ହସ୍ତକ୍ଷେପ, ବିଚ୍ଛିନ୍ନତାବାଦୀ ସଂଗଠନର କୁପ୍ରଭାବ ଏବଂ ଏହିପରି ଅନେକ କିଛି ।
ଏକତା କ୍ଷେତ୍ରରେ ଯେପରି ବିଭିନ୍ନ ପ୍ରତିବନ୍ଧକ ଅଛନ୍ତି, ସେମିତି କିଛି ସହାୟକ ଉପାଦାନ ମଧ୍ୟ ସଂହତି ବୃଦ୍ଧିର ଉପାଦାନ । ସେମାନେ ହେଲେ- ସାଂସ୍କୃତିକ ଏକତ୍ରୀକରଣ, ଅର୍ଥନୈତିକ ବିକାଶ, ସହନଶୀଳତା, ଶିକ୍ଷାର ପ୍ରସାର, ଆଞ୍ଚଳିକ ବୈଷମ୍ୟ, ଦୂରୀକରଣ, ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷା, ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନ, ବିଭିନ୍ନ ଧର୍ମ ଓ ସଂପ୍ରଦାୟ ମଧ୍ୟରେ ଭାଇଚରା ସଂପର୍କ, ରାଜ୍ୟ-ରାଜ୍ୟ, କେନ୍ଦ୍ର ରାଜ୍ୟ ସ୍ତରରେ ପୂଜ୍ୟପୂଜା ଓ ଭାବର ଆଦାନ ପ୍ରଦାନ, କଳା-ସଂସ୍କୃତି-ସାହିତ୍ୟ ଓ ସାହିତ୍ୟିକଙ୍କ ପ୍ରତି ଯଥୋଚିତ ସମ୍ବର୍ଦ୍ଧନା, ମାନପତ୍ର ଓ ପୁରସ୍କାର ପ୍ରଦାନ ଇତ୍ୟାଦି ବିଚାରଯୋଗ୍ୟ । ଏକଥା ମାନିବାକୁ ହେବ ଯେ ଆମେ ଅନ୍ୟକୁ ଶ୍ରଦ୍ଧା ନକଲେ, ସେ ଆମକୁ ଶ୍ରଦ୍ଧା କରିବ କିଆଁ । ଆମେ ଅନ୍ୟ ଧର୍ମ ଓ ସଂସ୍କୃତିକୁ ଭଲ ନପାଇଲେ, ସେ ଆମକୁ ସେ ସମ୍ମାନ ଦେବ କିଆଁ ?
ଭାରତରେ ଜାତୀୟ ସଂହତି ବଜାୟ ରଖିବାରେ ଏବଂ ଏହାକୁ ଦୃଢ଼ କରିବାରେ ଏକ ଜାତୀୟ ସଂହତି ପରିଷଦ ଗଠନ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ସାତଜଣ ନେତା, ବିଶ୍ୱବିଦ୍ୟାଳୟ ମଂଜୁରୀ କମିଶନ ଅଧ୍ୟକ୍ଷ, କେତେକ ଶିକ୍ଷାବିତ୍ ଓ ସମାଜସେବୀଙ୍କୁ ନେଇ ଗଠିତ ।
ଜାତୀୟ ସଂହତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆମର ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍ ଦାର୍ଶନିକ ସର୍ବପଲ୍ଲୀ ରାଧାକିଷ୍ଣନ୍ କହିଛନ୍ତି : ଜାତୀୟ ସଂହତି କାଦୁଅ ଓ ଇଟାର ଏକ ଗୃହ ନୁହେଁ, ଏହା ଏକ ଶିଳ୍ପ ଯୋଜନା ନୁହେଁ ଯାହା ବି ବିଶେଷଜ୍ଞମାନଙ୍କ ଦ୍ୱାରା ଆଲୋଚିତ ବା କାର୍ଯ୍ୟକାରୀ ହୋଇପାରିବ । ଅପରପକ୍ଷରେ ଏହା ଏକ ଭାବନା ଯାହାକି ଲୋକଙ୍କ ମନରେ ପ୍ରବେଶ କରିବା ଦରକାର । ପରିଶେଷରେ ଏହି ଭାବନା ହିଁ ଲୋକମାନଙ୍କୁ ଜାଗ୍ରତ କରିପାରିବ । ଏହା ଫଳରେ ଆମେ ସକଳ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପାରିବୁ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍-୯୯୩୮୩୪୪୧୩୮
——-


