ଜାଲେଶପଟ୍ଟା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଓ ସ୍ବାମୀଜୀଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ ପାଳନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜାଲେଶପଟ୍ଟା ଆଶ୍ରମରେ ମହା ଆଡ଼ମ୍ବରରେ ପାଳନ ହୋଇଛି ଏହି ଉତ୍ସବ। ଏଥିସହିତ ଏହି ତିଥିରେ ପାଳନ ହୋଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳନ ହେଉଥିଲା କିନ୍ତୁ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ସ୍ବାଭାବିକ ଭାବେ ପାଳନ ହେଉଛି ଉତ୍ସବ । ଏଥିରେ ବହୁ ସାଧୁ,ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି ସକାଳୁ ପ୍ରଭାତ ଫେରି,କଳସ ଯାତ୍ରା, ନାମ ସଂକିର୍ତ୍ତନ ହେବାସହ ସୂର୍ଯ୍ୟ ପୂଜା, ଗୋ ପୂଜା, ହନୁମାନ ଚାଳିଶା ପାଠ ପ୍ରଭୃତି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଯଜ୍ଞ ଓ ଜନ୍ମାଷ୍ଟମୀ ପାଳନ କରାଯିବ । ପ୍ରକାଶ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜାଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବାବେଳେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ସ୍ବାମୀଜୀଙ୍କ ହତ୍ୟା ଘଟଣାରେ ସ୍ତବ୍ଧ ହୋଇପଡ଼ିଥିଲା ସାରା ରାଜ୍ୟ । ଏହାପରେ ଅଶାନ୍ତ ହୋଇ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ସାରା କନ୍ଧମାଳ ଜିଲ୍ଲାରେ । ବହୁ ଧନଜୀବନ ନଷ୍ଟ ହେବାସହ ବହୁ ଲୋକଙ୍କ ପ୍ରାଣହାନି ମଧ୍ୟ ଘଟିଥିଲା । ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ପୁରିଛି ୧୪ ବର୍ଷ । ସଂସ୍କୃତିକୁ ରକ୍ଷାକରିବା ସ୍ବାମୀଜୀଙ୍କ ମୁଳ ଲକ୍ଷ୍ୟ ଥିଲା । ସ୍ବାମୀଜୀଙ୍କୁ ସ୍ମରଣକରି ଆମେ ଆଜିବି ତାଙ୍କ ଚଲାପଥରେ ଚାଲିଛୁ ବୋଲି କହିଛନ୍ତି ଆଶ୍ରମ ମୁଖ୍ୟ। ଅନ୍ୟପଟେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନାହିଁ । ହତ୍ୟାକାରୀ ଙ୍କ ଠାରୁ ଅଧିକ ଦୋଷୀ ଷଡ଼ଯନ୍ତ୍ରକାରୀ ହେଲେ ସେମାନେ ଖୁଲମଖୋଲା ବାହାରେ ବୁଲୁଛନ୍ତି । କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି ହେଲେ ତାହାକୁ ସାର୍ବଜନୀନ କରାଯାଉ ନାହିଁ । ରାଜ୍ୟ ସରକାରଙ୍କ ଏଥିପ୍ରତି ଆନ୍ତରିକତା ନାହିଁ । ଯେତେଦିନ ପର୍ଯ୍ୟନ୍ତ ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ନମିଳିଛି ଏବଂ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇଛି ସେପର୍ଯ୍ୟନ୍ତ ଆମେ ଲଢ଼େଇ ଜାରୀ ରଖିବୁ । ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରରୂପ ଧାରଣ କରିବ ଏବଂ ଏହାର ପରିଣାମ ଭୟଙ୍କର ହେବ । ସେଥିପାଇଁ କେବଳ ରାଜ୍ୟ ସରକାର ହିଁ ସମ୍ପୃର୍ଣ ଦାୟୀ ରହିବେ ବୋଲି କହିଛନ୍ତି ବିଶ୍ବହିନ୍ଦୁ ପରିଷଦ ସଦସ୍ୟଙ୍କ ସମେତ ସମସ୍ତ ସାଧୁସନ୍ଥ ଓ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ । ସେପଟେ ଏହି ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ଜିଲ୍ଲା ପୋଲିସ । ତୁମୁଡିବନ୍ଧର ଜଲେଶପଟ୍ଟାରେ ଜଣେ ଡିଏସପି,ତିନିଜଣ କମାଣ୍ଡାଣ୍ଟ, ୯ଜଣ ଅଫିସର୍,୧ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କ ସମେତ ସ୍ଥାନୀୟ ପୋଲିସ୍ ମୁତୟନ ଅଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ସମସ୍ତ ସ୍ଥିତି ଉପରେ କଡ଼ାନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ