ଜାଲ ଦସ୍ତଖତରେ ହାଇସ୍କୁଲ ବ୍ୟାଙ୍କ ଏକାଉଣ୍ଟରୁ ୯୫ ହଜାର ଟଙ୍କା ହଡ଼ପ ଅଭିଯୋଗ
ବନ୍ତ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଓଡଙ୍ଗ ପଞ୍ଚାୟତ ସରମରାସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ବ୍ୟାଙ୍କ ଏକାଉଣ୍ଟରୁ ପ୍ରଥମେ ୯୫ ହଜାର ଟଙ୍କା ହଡ଼ପ କରାଯାଇଥିବା ବନ୍ତ ଥାନାରେ ମଙ୍ଗଳବାର ଅଭିଯୋଗ କରାଯାଇଛି। ତେବେ ଦୁର୍ବୃର୍ତ୍ତମାନେ ପ୍ରଥମ ଥର ଜାଲ ଦସ୍ତଖତରେ ଟଙ୍କା ଉଠାଣରେ ସଫଳ ହେବା ପରେ ୨ୟ ଥର ସୋମବାର ୬୨ ହଜାର ଟଙ୍କା ଉଠାଣ କରିବାକୁ ବ୍ୟାଙ୍କକୁ ଯିବା ବେଳେ ହଡ଼ପ ଉଦ୍ୟମ ପଣ୍ଡ ହୋଇଥିବା ଜଣାଯାଇଛି । ବ୍ୟାଙ୍କ ପକ୍ଷରୁ ଏନେଇ ହାଇସ୍କୁଲକୁ ଅବଗତ କରାଯିବା ପରେ ଘଟଣା ପଦାକୁ ଆସିଥିଲା। ଅଭିଯୋଗରୁ ପ୍ରକାଶ ଯେ, ସରମରାସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଜଏଣ୍ଟ ଏକାଉଣ୍ଟ କାଦବରାଙ୍ଗସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିଛି । ଉକ୍ତ ଆକାଉଣ୍ଟରେ ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନ ଏବଂ ଅନ୍ୟ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଯୁଗ୍ମ ଭାବେ ରହିଥିଲେ। ଉଭୟଙ୍କ ଦସ୍ତଖତରେ ଚେକ ମାଧ୍ୟମରେ ଟଙ୍କା ଉଠାଯାଏ। ସୋମବାର ୬୨ ହଜାର ଟଙ୍କାର ଏକ ଚେକ୍ ଅଭିଷେକ ସାହୁ ନାମକ ବ୍ୟକ୍ତି ବ୍ୟାଙ୍କରେ ପ୍ରଦାନ କରିଥିବା ଶାଖା ପରିଚାଳକ ଫୋନ୍ ଯୋଗେ ଉକ୍ତ ସହକାରୀ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ଏଥିସହ ଅଗଷ୍ଟ ୧୧ରେ ଏକ ଚେକ୍ ଦ୍ୱାରା ୯୫ ହଜାର ଟଙ୍କା ଉଠାଣ କରାଯାଇଥିଲା ବୋଲି ବ୍ୟାଙ୍କ ଶାଖା ପରିଚାଳକ ମଧ୍ୟ କହିଥିଲେ । ଏପରିସ୍ଥଳେ ସମ୍ପୃକ୍ତ ଶିକ୍ଷୟିତ୍ରୀ କୌଣସି ଚେକ୍ କିମ୍ବା ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ନାମରେ କୌଣସି ଚେକ୍ରେ ଦସ୍ତଖତ କରିନଥିବା ଶାଖା ପରିଚାଳକଙ୍କୁ ଜଣାଇଥିଲେ । ତେବେ ବିଦ୍ୟାଳୟ ପକ୍ଷରୁ ଉକ୍ତ ଚେକ୍ରେ ଟଙ୍କା ଉଠାଣ ନକରିବାକୁ ବ୍ୟାଙ୍କ ପରିଚାଳକଙ୍କୁ କୁହାଯାଇଥିଲା। ତେଣୁ ଅଗଷ୍ଟ ୨୫ରେ ୬୨ ହଜାର ଟଙ୍କାର ଚେକ୍ ଦେଇଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇନଥିବା ପରିଚାଳକ କହିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଶ୍ରୀମତୀ ରାଉତ ଉକ୍ତ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଗତ ଜୁନ୍ ୧୩ରେ ଯୋଗଦାନ କରିଥିଲେ । ଅପରପକ୍ଷେ ଏହା ମଧ୍ୟରେ ଅଢେଇ ମାସ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆର୍ଥିକ କାରବାର ଦାୟୀତ୍ୱ ହସ୍ତାନ୍ତର କରାଯାଇନଥିବା ଜଣାଯାଇଛି । ଏସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ଓ ବନ୍ତ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଖୁବ୍ ଶିଘ୍ର ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ହେବ ବୋଲି ସେ କହିଥିଲେ ।


