ଶ୍ରୀ ମନ୍ଦିରରେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମଉତ୍ସବ


ସନ୍ତୋଷ କୁମାର ଦାଶ

“ଦୋର୍ଭ୍ୟାଂ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ,ରତ୍ନାଢ଼୍ୟଂବର କୁଣ୍ଡଳଂ ଭୁଜବଳୈରାକ୍ରାନ୍ତଭୂମଣ୍ଡଳମ୍ ,
ବଜ୍ରାଭ ମଳଚାରୁ ଗଣ୍ଡଯୁଗଳଂ ନାଗେନ୍ଦ୍ର ଚୁଡ଼ୋ ଜ୍ୱଳଂ ,ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀ କାମପାଳଂ ଭଜେ।।”


ଶ୍ରାବଣ ମାସ ର ପୂର୍ଣ୍ଣିମାକୁ ଝୁଲଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା କୁହା ଯାଇଥାଏ। ପୁରୀ ଶ୍ରୀମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ଭକ୍ତି ଓ ନିଷ୍ଠାର ସହିତ ପାଳନ କରାଯାଇଥାଏ । ଜଗନ୍ନାଥ ଦାସ ଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ ର ଦଶମ ସ୍କନ୍ଧରେ ଶ୍ରୀ ବଳଭଦ୍ର ଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ସେଥିରେ କୁହାଯାଇଛି ଯେ, ଅସୁରଙ୍କ ଉତ୍ପାତରେ ଭୂମି ଥରହର ହୋଇ କମ୍ପିବାରୁ ପୃଥ୍ବୀଦେବୀ ମାୟା ସୁରଭି ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ। ଫଳରେ ବ୍ରହ୍ମା, ଶିବ ଓ ଅନ୍ୟାନ୍ୟ ଦେବତାଙ୍କୁ ନେଇ, କ୍ଷୀରସାଗର ରେ ଅନନ୍ତ ଶୟନ ରେ ଥିବା ଶ୍ରୀବିଷ୍ଣୁଙ୍କ ନିକଟକୁ ଯାଇ ଅସୁର ମାନଙ୍କ ଦୌରାତ୍ମ୍ୟ ସମ୍ପର୍କ ରେ କହିଥିଲେ।ସବୁ କଥା ଶୁଣି ବିଷ୍ଣୁ ତାଙ୍କୁ ଯାହା କହିଲେ, ସେହି ପ୍ରସଙ୍ଗରେ ଶ୍ରୀ ବଳଭଦ୍ର ଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ବ୍ରହ୍ମା ଦେବଗଣଙ୍କୁ କହିଲେ,ହେ ଦେବଗଣ, ଶୁଣ ! ପ୍ରଭୁ ନାରାୟଣ ଯାଦବ ବସୁଦେବ ଙ୍କ ଘରେ, ଦେବକୀଙ୍କ ପୁତ୍ର ରୂପେ ଜନ୍ମନେବେ। କିନ୍ତୁ ତାଙ୍କର କଳାରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ଦେବକୀଙ୍କର ଗର୍ଭଗତ ହେବେ। ମହାମାୟା ଯୋଗ ବଳରେ ସେହି ଗର୍ଭକୁ ଆକର୍ଷଣ କରି, ବା ହରଣ କରିନେଇ, ନନ୍ଦରାଜାଙ୍କ ଘରେ ଥିବା ରୋହିଣୀ ଙ୍କ ଗର୍ଭରେ ସ୍ଥାପନ କରିବେ। ଫଳରେ ‌ରୋହିଣୀଙ୍କ ଗର୍ଭରୁ ସଂକର୍ଷଣ ଶ୍ରୀବଳଭଦ୍ର ଜନ୍ମନେବେ। ଏ ସଂପର୍କରେ, ଭାଗବତର ଦଶମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ବର୍ଣ୍ଣନା ଅଛି ଯେ ବିଷ୍ଣୁଙ୍କ ପରାମର୍ଶରେ, ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କର ଗର୍ଭକୁ ହରିନେଇ ଗୋପନରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ତାହା ଫଳରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ର ଜନ୍ମ ନେଇଥିଲେ।ଏହି ପବିତ୍ର ଜନ୍ମୋତ୍ସବ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଦିନ ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୁଏ । ପରେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କଦ୍ୱାରା ସର୍ବାଙ୍ଗ ନୀତି ହୁଏ । ତା’ ପରେ ଦିଅଁମାନେ ବୋଇରାଣୀ ପତନି ନୂଆ ଲୁଗା ଲାଗି ହୁଅନ୍ତି ଓ ଦ୍ବିପ୍ରହର ଧୂପପାଇଁ ବେଶ ହୁଅନ୍ତି । ଏହି ବେଶରେ ତିନି ଖଣ୍ଡ ଆଜ୍ଞା ମାଳ (ଦକ୍ଷିଣ ଭୁଜ -୧, ବାମ ଭୁଜ-୨) ମହାପ୍ରଭୁ ଲାଗି ହୋଇଥାନ୍ତି । ଚାରିଟି ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି ହୁଏ । ପାଣି ପଡ଼ି ଭିତର ଧୋପଖାଳ ହୁଏ । ସିଂହାସନ ତଳେ ବଳଭଦ୍ର ଠାକୁରଙ୍କ ବାଡ଼ ଆଡ଼େ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାର ସୁଧ ସୁଆର କିମ୍ବା ଆସ୍ଥାନ ପଢ଼ିଆରୀ କରନ୍ତି ।ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଏହି ପୂଜା କରନ୍ତି । ଏହି ପୂଜା ଶେଷ ପରେ ଭିତର ପାଣି ପଡ଼ି ଧୋପଖାଳ ହୁଏ । ଏହା ପରେ ଦ୍ବିପ୍ରହର ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ପୂଜାପଣ୍ଡା ତିନି ଜଣ ଷୋଡଶ ଉପଚାରରେ ପୂଜା କରିଥାନ୍ତି । ମଣୋହି ପରେ ଟେରାଫିଟା ଆଳତି ହୁଏ । ସୁଧ ସୁଆର ବଡ଼ବାଡ଼ ବଳଭଦ୍ରଙ୍କ ବାଡ଼ରେ ମଙ୍ଗଳାର୍ପଣ ସାମଗ୍ରୀ ରଖନ୍ତି । ପୂଜାପଣ୍ଡା ବଡ଼ ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ମହାଜନେ ମଦନମୋହନଙ୍କୁ ରତ୍ନ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେଲା ପରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣମଣ୍ଡପକୁ ବିଜେ କରନ୍ତି ।ଏହାପରେ ସୁଦର୍ଶନଙ୍କ ବିଜେ ପାଇଁ ଦଇତାପତିମାନଙ୍କୁ ଡକାଯାଏ ।ଦଇତାପତିମାନେ ସିଂହାସନକୁ ଉଠନ୍ତି। ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଗୋଟିଏ ଆଜ୍ଞାମାଳ ସୁଦର୍ଶନ ପାଆନ୍ତି ।ଦଇତାମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ଚଉଦୋଳରେ ବସାନ୍ତି । ସେଠାରେ ପାଟପତନି, ଚୂଳ ଲାଗି କରାଯାଏ । ଏହା ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ଝୁଲଣ ମଣ୍ଡପରେ ବିଜେ କରାନ୍ତି । ସେଠାରେ ସୁଦର୍ଶନଙ୍କୁ ସୁବ କମରପଟି ଓ ହରଡ଼ମାଳ ଲାଗି କରାଯାଏ । ତା’ପରେ ବିମାନବଡୁ ମାନେ ସୁଦର୍ଶନଙ୍କୁ ବିମାନରେ ନେଇ ମାର୍କଣ୍ଡଙ୍କ ଆଶ୍ରମକୁ ଯାଆନ୍ତି ଓ ସେଠାରେ ମଣ୍ଡପ ଉପରେ ବିଜେ କରାନ୍ତି । ଏଠାରେ ସୁଧ ସୁଆର ଚିକିଟା ମାଟିରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି । ପୂଜାପଣ୍ଡା ଉକ୍ତ ମୂର୍ତ୍ତି କୁ ଜୀବନ୍ୟାସ ଦେଇ ଜାତକର୍ମ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ।ପୂଜାପଣ୍ଡା ପଞ୍ଚ ଉପଚାର ରେ ଶୀତଳ ମଣୋହି କରାନ୍ତି । ତା’ ପରେ ବନ୍ଦାପନା ହୋଇ, ବଳଭଦ୍ର ପିତୁଳାକୁ ଜଳରେ ବିସର୍ଜନ କରାଯାଏ । ଏହାପରେ ବିମାନବଡୁ ମାନେ ବିମାନରେ ସୁଦର୍ଶନଙ୍କୁ ନେଇ ଚାରି ଆଶ୍ରମ, ନଗର ଭ୍ରମଣ କରାଇ ଶ୍ରୀମନ୍ଦିରକୁ ବିଜେ କରାନ୍ତି । ସୁଦର୍ଶନ ରତ୍ନ ସିଂହାସନକୁ ବିଜେ କରିବା ପରେ ପାଳିଆ ମେକାପ ସିଂହାସନ ଧୁଅନ୍ତି । ସୁଧ ସୁଆର ଚାରି ବାଡ଼ରେ ସିଂହାସନ ତଳେ ମହାସ୍ନାନ ପୂଜା କରନ୍ତି । ଚାରିଜଣ ପୂଜାପଣ୍ଡା ଆସି ମହାସ୍ନାନ ବଢ଼ାନ୍ତି । ମହାସ୍ନାନ ପରେ ପୁଷ୍ପାଳକମାନେ ମଇଲମ କରି ଦିଅଁମାନଙ୍କର ବେଶ ବଢ଼ାନ୍ତି । ତା’ପରେ ସିଂହାସନରୁ ଓହ୍ଲାଇ ସଂଧ୍ୟା ଆଳତି କରନ୍ତି । ଏହା ପରେ ଧୋପଖାଳ ହୋଇ ସୁଆରବଡ଼ୁ ଥାଳି ପକାଇବା ପରେ ପାଳିଆ ପ୍ରତିହାରୀ ରୋଷକୁ ସଂଧ୍ୟା ଧୂପ ଡାକିଯାଏ ।ରୋଷରୁ ଭୋଗ ଆସିବା ପରେ ପତ୍ରିବଡ଼ୁ ଚାରିବାଡ଼ରେ ପୂଜା ଠା’ କରନ୍ତି ।ଚାରିଜଣ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ତିନିଜଣ ପୂଜାପଣ୍ଡା ସିଂହାସନ ଉପରେ ବସନ୍ତି ଓ ଜଣେ ତଳେ ସୁଦର୍ଶନଙ୍କ ବାଡ଼ରେ ବସନ୍ତି । ସଂଧ୍ୟା ଧୂପ ସମାପ୍ତି ପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ହୁଏ । ମୁଦିରସ୍ତ ସୁଦର୍ଶନଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥାଏ। ଶେଷ ହୋଇଥାଏ ଶ୍ରୀ ମନ୍ଦିର ରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ଜନ୍ମ ଉତ୍ସବ ନୀତି। ମହାପ୍ରଭୁ ଶ୍ରୀ ଅନନ୍ତ ନାରାୟଣ ଙ୍କ ଶେଷନାଗ ଙ୍କୁ ତାଙ୍କ ଅନୁରୋଧ କ୍ରମେ ତ୍ରେତୟା ଯୁଗ ରେ ଲକ୍ଷ୍ମଣ, ଦ୍ଵାପର ଯୁଗରେ ଶ୍ରୀ ବଳରାମ
ଓ କଳିଯୁଗ ରେ ଶ୍ରୀ ବଳଭଦ୍ର ରୁପରେ
ପୂଜା ପାଇ ଆସୁଥିବା ବିଶ୍ୱାସ ରହିଛି।
ଜୟ ବଡ଼ ଠାକୁର ଶ୍ରୀ ବଳଭଦ୍ର।

ତୁଳସୀପୁର, ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ