ଜିମ୍ ଭଙ୍ଗାରୁଜା, ପୋଲିସକୁ ଦୁର୍ବ୍ୟବହାର ଓ ଆକ୍ରମଣ ସହ ହତ୍ୟାଉଦ୍ୟମ ଘଟଣା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରରେ ଗତ କିଛିବର୍ଷ ହେଲା ଆତଙ୍କରାଜ ସୃଷ୍ଟି କରୁଥିବା ସାହାଣୀ ସାହି ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ର ୧୫ ଅଭିଯୁକ୍ତ ଙ୍କ ବିରୋଧରେ ଥାନା ଏସ.ଆଇ ଗୌତମ ସାହୁ ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୩୮୧/୨୨ ଦଫା – ୧୪୭/୧୪୮/୧୪୯/୩୦୭/୩୨୩/୩୩୨/୩୩୬/୩୩୭/୩୫୩/୫୦୬ ଆଇ ପି ସି ସମେତ ଅସ୍ତ୍ର ଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା – ୨୭ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ରବିବାର ବିଳମ୍ବିତ ସନ୍ଧ୍ୟା ରେ ଅଭିଯୁକ୍ତ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ଦିଗପହଣ୍ଡି ବସଷ୍ଟାଣ୍ଡ ରେ ମାର୍ଚିଂ କରିବା ସହ ଉତ୍କଳ ଗ୍ରାମୀଣ ବ୍ଯାଙ୍କ ନିକଟରେ ଥିବା ଜିମ୍ ରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଖବରପାଇ ଆଇଆଇସି ଦିପ୍ତିରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ବାହିନୀ ଜିମ୍ ନିକଟରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାଶୁଝା କରିବା ସମୟରେ ପୋଲିସ କର୍ମଚାରୀ ଙ୍କୁ ସେମାନେ ଦୁର୍ବ୍ୟବହାରର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ଏପରିକି ସେମାନେ ମିଲନ୍ ସାହୁ ନାମକ ଜଣେ ନିରୀହ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ସେମାନେ ମୁଖ୍ୟରାସ୍ତା ଉପରେ ତାଣ୍ଡବ ରଚାଇ ପୋଲିସ ଟିମ୍ କୁ ଚ୍ୟାଲେଞ୍ଜ କରିଥିଲେ। ପରେ ପୋଲିସ ଟିମ୍ ଜିମ୍ ନିକଟରୁ ସେମାନଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ। ପ୍ରକାଶ ଯେ , ଦିଗପହଣ୍ଡି ସାହାଣୀ ସାହି ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଭିନ୍ନ ସମୟରେ ସହରରେ ଆତଙ୍କ ସୃଷ୍ଟି କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି।ରବିବାର ସେମାନେ ଚୁଡୁଙ୍ଗପୁର ଗ୍ରାମ ନିକଟରେ ଥିବା ଏକ କ୍ରସର ୟୁନିଟ କୁ ଯାଇ ଚାନ୍ଦା ମାଗିଥିଲେ। ମ୍ୟାନେଜର ନିଜର ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ଧମକ ଚମକ ଦେଇଥିଲେ। ପ୍ରତିବାଦ କରିବାରୁ କିଛି କର୍ମଚାରୀ ଙ୍କୁ ସେମାନେ ମାଡ଼ ମାରି ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ କ୍ରସର ୟୁନିଟ ର କର୍ମଚାରୀ ମାନେ ସଂଘବଦ୍ଧ ହୋଇ ସେମାନଙ୍କୁ ପିଛା କରି ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତା ର ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ନିକଟରେ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ।ଏହି ଆକ୍ରମଣରେ ଶିବ ଦାସ ଏବଂ ସିମା ଦାସ ୨ ଯୁବକ ଗୁରୁତର ଆହାତ ହୋଇଥିଲେ।ଉଭୟଙ୍କୁ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଆକ୍ରମଣରେ ଦିଗପହଣ୍ଡି ବସଷ୍ଟାଣ୍ଡ ର ଜିମ୍ ମାଲିକ ଙ୍କ ହାତ ଥିବା ସନ୍ଦେହ ରେ ସାହାଣୀ ସାହିର ଶତାଧିକ ମହିଳା ପୁରୁଷ ହାତରେ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରି ଜିମ ଉପରେ ଚଢ଼ାଉ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୋଲିସ ପହଞ୍ଚିବାରୁ ପୋଲିସ ଟିମ୍ କୁ ମଧ୍ୟ ସେମାନେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିଛି ପୋଲିସ କର୍ମଚାରୀ ମାନଙ୍କ ସହ ସେମାନଙ୍କର ଧସ୍ତା ଧସ୍ତି ମଧ୍ୟ ହୋଇଥିଲା। ଜିମ ସମ୍ମୁଖ ମୁଖ୍ୟରାସ୍ତା କିଛି ସମୟ ରଣକ୍ଷେତ୍ର ପାଲଟିଥିଲା। ପରେ ପୋଲିସ ପ୍ରତି ଆକ୍ରମଣ କରିବାରୁ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସହର ର ବହୁ ରାଜନୈତିକ ଦଳର ନେତୃବୃନ୍ଦ, ବ୍ୟବସାୟୀ, ବୁଦ୍ଧିଜୀବୀ ଦାବି କରିଛନ୍ତି।


