ବାଲେଶ୍ୱରର ଯୁବନେତାଙ୍କ ଦୁଇଟି କିଡ଼ନୀ ଅଚଳ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତା ଦଳର ଅନ୍ୟତମ ଯୁବନେତା ଭାରତ ଭୂଷଣ ଦାସ (ଦୀପୁ) ଆଜି ଅସୁସ୍ଥ । ତାଙ୍କର ଦୁଇଟି ଯାକ କିଡ଼ନୀ କାମ କରୁନଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ କିଡ଼ନୀ ପ୍ରତ୍ୟାରୋପଣ ବା ଟ୍ରାନ୍ସପ୍ଲାଂଟ ହିଁ ଏବେ ବିକଳ୍ପ ହୋଇପଡିଛି । ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିବା ବେଳେ ଦୀପୁ ଉପାୟଶୂନ୍ୟ ଭାବେ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ନିଜର ସଂଚିତ ଅର୍ଥ କିଡନୀ ରୋଗ ନିରୂପଣ ପରେ ଆବଶ୍ୟକୀୟ ପରୀକ୍ଷା ନୀରିକ୍ଷା ଓ ଚିକିତ୍ସାରେ ସାରି ଦେଇଥିବା ବେଳେ ଏବେ ସେ ଅର୍ଥଶୂନ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ମିଳିଥିଲେ ବି କୋଲକାତାର ଆର ଏନ ଟାଗୋର ଇନ୍‌ଷ୍ଟିଚ୍ୟୁଟ ଅଫ କାରଡିଆକ ସାଇନ୍ସରେ କିଡ଼ନୀ ପ୍ରତ୍ୟାରୋପଣ ଅପରେସନ ପାଇଁ ଆବଶ୍ୟକ ୩୦ଲକ୍ଷରୁ ଅଧିକ ଟଙ୍କା । ତେବେ ନିଜ ପାଖରେ ସମ୍ବଳ ନଥିବା ସତ୍ୱେ ଜୀବନ ବଂଚାଇବା ଦୀପୁ ସହାୟତା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଥିରେ ତାଙ୍କ ପରିବାର ଓ ବନ୍ଧୁ ବର୍ଗ ସାଙ୍ଗସାଥିମାନେ ମଧ୍ୟ ଅଂଟା ଭିଡ଼ିଛନ୍ତି, ଯେମିତି ହେଲେ ଦୀପୁ ସମ୍ପୂର୍ଣ୍ଣ ସୁସ୍ଥ ହେବ ଓ ତାଙ୍କ ପରିବାର ମୁହଁରେ ପୁଣି ଥରେ ହସ ପୁଟିବ । ଏହି କ୍ରମରେ ଦୀପୁଙ୍କୁ ସହାୟତାର ହାତ ବଢାଇଛନ୍ତି ବାଲେଶ୍ୱରର ଦେବାଶିଷ ସେଠୀ ସ୍ମୃତି କମିଟିର କର୍ମକର୍ତାମାନେ । କମିଟିର ସଭାନେତ୍ରୀ ତଥା ବିଜୁ ମହିଳା ଜନତା ଦଳର ଜିଲ୍ଲା ସମ୍ପାଦିକା ମୀନତି ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୀପୁଙ୍କୁ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଦୀପୁ ଜଣେ ଦକ୍ଷ ସଂଗଠକ ଏବଂ ଅନେକ ସାଙ୍ଗଠନିକ କାର୍ଯ୍ୟ ଦକ୍ଷତାର ସହ କରିଛନ୍ତି । ବିଭିନ୍ନ ସମାଜିକ କାର୍ଯ୍ୟରେ ସେ ଅଗ୍ରଣୀ ଭୂମିକା ମଧ୍ୟ ଗ୍ରହଣ କରନ୍ତି । ସମସ୍ତଙ୍କ ସହଯୋଗରେ ଦୀପୁ ସୁସ୍ଥ ହୋଇ ପୁଣି ହସଖୁସିରେ ଜୀବନ ଅତିବାହିତ କରିପାରିବେ ବୋଲି ଶ୍ରୀମତି ସେଠୀ କହିଛନ୍ତିି । ଏହି ଅବସରରେ କମିଟି ପକ୍ଷରୁ ସେ ଦୀପୁଙ୍କୁ ୫ହଜାର ଟଙ୍କା ସହଯୋଗ ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝୁନୁରାଣୀ ବାରିକ, ରୀନାରାଣୀ ମଲ୍ଲିକ, ସସ୍ମିତା ରଣା, ସଞ୍ଜୁଲତା ଦାସ, ପ୍ରିୟଙ୍କା ଦଳେଇ, ମୀନତି ସାହୁ, ସୁଜାତା ବେହେରା, ଲଲିତା ତାଲଦି, ପ୍ରିୟଙ୍କା ଘଡେଇ, ନିଶାମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦୀପୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ କୌଣସି ସାମାଜିକ ସଂଗଠନ, ସ୍ୱେଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ଦୀପୁଙ୍କୁ ନିଜ ସାଧ୍ୟମତେ ନିମ୍ନ ବ୍ୟାଙ୍କ ଆକାଉଂଟ କିମ୍ବା ଫୋନ-ପେ ଅଥବା ଗୁଗୁଲ-ପେ ମାଧ୍ୟମରେ ସହାୟତା ପ୍ରଦାନ ପାଇଁ ଦୀପୁ ଓ ତାଙ୍କ ପରିବାରବର୍ଗ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ