ଜିଲାରେ ବନ୍ଦ ବାଲି ଖାଦାନ ନିଲାମ ପାଇଁ ଦାବିପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲାରେ ବନ୍ଦ ଥିବା ବାଲି ଖାଦାନଗୁଡ଼ିକୁ ନିଲାମ ପାଇଁ ଦାବି କରିଛି ଟ୍ରକ ମାଲିକ ସଙ୍ଘ । ଜିଲ୍ଲା ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତାମାନେ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କୁ ସାକ୍ଷାତ କରି ବାଲି ଖାଦାନ ବନ୍ଦ ଯୋଗୁଁ ଟ୍ରକ ମାଲିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତି କରିଥିଲେ । ବିଶେଷ କରି ବାଲେଶ୍ୱର ଜିଲାରେ ପ୍ରମୁଖ ସୌରାତ ବନ୍ଦ ରହିବା ଫଳରେ କେ’ ଫର୍ମ ଜରିଆରେ ସେମାନେ କେନ୍ଦୁଝର ଜିଲା ଆନ୍ଦପୁରର ବୈତରଣୀ ନଦୀରୁ ବାଲି ବାଲେଶ୍ୱରକୁ ଆଣୁଛନ୍ତି । ମାତ୍ର ବାଲେଶ୍ୱର ଜିଲାର ବିଭିନ୍ନ ତହସିଲଦାର ସେମାନଙ୍କ ଟ୍ରକକୁ ଜୋର ଜବରଦସ୍ତ ଜବତ କରିବା ଓ ଜରିମାନା ଆଦାୟ କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ପରି ତହସିଲଦାରଙ୍କ ବେଆଇନ ଜରିମାନା ଆଦାୟ ବନ୍ଦ ହେଉନାହିଁ । ଅତଏବେ ବାଲେଶ୍ୱରରେ ବନ୍ଦଥିବା ବିଭିନ୍ନ ନଦୀଘାଟରୁ ବାଲି ଉତ୍ତୋଳନ ଆରମ୍ଭ ହେଲେ ସେମାନଙ୍କୁ ଆଉ ସେଭଳି ସ୍ଥିତି ସାମ୍ନା କରିବାକୁ ପଡ଼ନ୍ତା ନାହିଁ ବୋଲି ଟ୍ରକ ମାଲିକ ସଂଘ କର୍ମକର୍ତ୍ତାମାନେ କହିଛନ୍ତି । ବିଶେଷ କରି ସମ୍ପ୍ରତି ଜିଲାରେ ଉପୁଜିଥିବା ବାଲି ଅଭାବ ସ୍ଥିତି ଯୋଗୁଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳଙ୍କୁ ପ୍ରଦାନ କରାଯାଇଛି । ବାଲି ସୈରାତଗୁଡ଼ିକ ନିଲାମ ପାଇଁ ପ୍ରଶାସନ ପକ୍ଷରୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ‘ଏନଜିଟି’ଙ୍କ ଅନୁମତି ଆବେଦନ କରାଯାଇଥିବା ବେଳେ ଆସନ୍ତା ୧୫ଦିନ ମଧ୍ୟରେ ନିର୍ଦ୍ଦେଶ ଆସିବା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।