ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତାଦଳ ବାଲେଶ୍ୱର ଜିଲା ଶାଖା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିବସ ରବିବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଂଧ୍ୟାରେ ଓଟିରୋଡ଼ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା ସାଙ୍ଗକୁ ୧୦୮ ଦୀପଦାନ ସହ ସାମୂହିକ ପ୍ରାର୍ଥନା କରାଯାଇଥିଲା । ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ବିଭିନ୍ନ କ୍ଷେତ୍ରରେ ନିର୍ବାଚିତ ଲୋକ ପ୍ରତିନିଧିମାନେ ଏଥିରେ ଯୋଗଦେଇ ଦୀପଦାନ ସହ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ, ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପରେ ନିକଟରେ ଥିବା ବିଜେଡି ଜିଲା କାର୍ଯ୍ୟାଳୟରେ ଜନ୍ମଦିନ କେକ କଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି ଶ୍ରୀ ଜେନା ଜନ୍ମଦିନ କେକ କାଟି ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସ୍ନେହ ଶ୍ରଦ୍ଧା ସର୍ବଦା ରହି ଆସିଛି ବୋଲି ସେ କହିଥିଲେ । ୭୭ତମ ଜନ୍ମ ଦିନ ଅବସରରେ ଠିକା କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ଭଳି ମୁଖ୍ୟମନ୍ତ୍ରୀଙ୍କ ସାଧୁ ନିଷ୍ପତ୍ତି ଆଜି ଓଡ଼ିଶାର ୫୭ ହଜାର କର୍ମଚାରୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳାଇ ଦେଇଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଦଳୀୟ କର୍ମୀମାନେ ପରସ୍ପରକୁ ଜନ୍ମଦିନ କେକ ଖୁଆଇଥିଲେ । ଜିଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁଙ୍କ ସମେତ ଜିଲାସ୍ତରୀୟ ବିଜେଡି କର୍ମକର୍ତ୍ତା, ଦଳୀୟ ନେତା, ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତର ଦଳୀୟ ସଂଗଠକ ଓ କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ ।