ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୁଲ୍ୟରେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ବୈଠକ ଆଜି ପୂର୍ବାହ୍ଣରେ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ ଦତ୍ତ, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ସୋର ବିଧାୟକ ଶ୍ରୀ ମାଧବ ଧଡ଼ା, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ମାନ୍ୟବର ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ଏନଏସି ଅଧ୍ୟକ୍ଷ/ଅଧ୍ୟକ୍ଷା ଯୋଗ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଠାକରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ବାସ୍ତବିକତାର ଦୃଷ୍ଟିକୋଣରୁ କାର୍ଯ୍ୟାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଯେଉଁ ମାନକ ସ୍ଥିର କରିଛି ତାହା ସବୁ ପରିସ୍ଥିତିରେ ବଜାୟ ରଖିବା ଜରୁରୀ ବୋଲି ସେ କହିଥିଲେ। ଯୋଗଦେଇଥିବା ଜନ ପ୍ରତିନିଧୀମାନେ ନିଜ ନିଜ ଅଞ୍ଚଳର ବପିର୍ଯ୍ୟୟ ଜନିତ ଅଭାବ ଅସୁବିଧା ବାବଦରେ ପ୍ରଶାସନର ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାହାର ସମାଧାନ ଦିଗରେ ପରାମର୍ଶ ଦେଇଥିଲେ। ବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତର ଏବଂ ବ୍ଲକ କାର୍ଯ୍ୟାଳୟସ୍ତରରେ କଂଟ୍ରୋଲରୁମର କାର୍ଯ୍ୟକାରିତା, ବିଭିନ୍ନ ନଦୀବନ୍ଧ ମରାମତି, ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା, ସହରାଞ୍ଚଳର ଡ୍ରେନେଜ ସଫେଇ, ଦୁର୍ଗମ ଅଞ୍ଚଳରେ, ଖାଦ୍ୟ, ଔଷଧ, ପାନୀୟଜଳ ଆଦି ମହଜୁଦ ରଖିବା ଏବଂ ପହଞ୍ଚାଇବାର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପ୍ରତ୍ୟକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା। ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ପିଆରଆଇମାନଙ୍କୁ ସଠିକ ଭାବେ ଉପଯୋଗ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଆଶ୍ରୟସ୍ଥଳୀ ଗୁଡିକର କାର୍ଯ୍ୟକାରିତା ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳ ସମସ୍ତ ତହସିଲଦାର ଓ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଜନସ୍ୱାସ୍ଥ୍ୟ ବିଭାଗ, ଜଳଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ, ଡ୍ରେନେଜ, ସାଧାରଣ ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ ତଥା ଅନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ନିଜ ନିଜର ବିପିର୍ଯ୍ୟୟ ପ୍ରସ୍ତୁତିର ଏକ ସଂପୃର୍ଣ ବିବରଣୀ ରଖିଥିଲେ। ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ପୁନଶ୍ଚ ବିଶେଷ ଭାବେ ବିଭିନ୍ନ ଦିଗ ଉପରେ ବୈଠକ ଆହ୍ୱାନ କରାଯିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ବାଲେଶ୍ୱର ଶ୍ରୀମତୀ ଶୁଭଶ୍ରୀ ରଥ, ସମସ୍ତ ବିଡ଼ିଓ, ତହସିଲଦାର ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ