ଶ୍ଵଶୁର ଘରେ ବିବାହିତା ନାବାଳିକା ଙ୍କ ସନ୍ଦେହଜନକ ମୃତ୍ୟୁ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରି ଗ୍ରାମରେ ଶନିବାର ଅପରାହ୍ନ ରେ ଜଣେ ବିବାହିତା ନାବାଳିକା ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ସ୍ବାମୀ ଓ ଶ୍ବଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ଗାଁ ରେ ଚର୍ଚ୍ଚା ଚାଲିଥିବା ବେଳେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ଏହି ଘଟଣା ସମଗ୍ର ଗାଁ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଭିଷ୍ମଗିରି ଗାଁ ର ମହାମାୟୀ ନଗର ପ୍ରଥମ ଲେନରେ ରହୁଥିବା ରମେଶ ବିଷୋୟୀଙ୍କ ପୁଅ ଜିତେନ୍ଦ୍ର ବିଷୋୟୀ ଜଣେ ନାବାଳିକା (୧୬) ଙ୍କୁ ପ୍ରେମ କରୁଥିଲେ। ଉଭୟ ପରିବାର ଜାଣିବା ପରେ ସେମାନେ ଗ୍ରାମରୁ ଫେରାର ହୋଇ ଯାଇଥିଲେ।କିଛି ଦିନ ବାହାରେ ବୁଲାବୁଲି କରି ପୁଣି ଗ୍ରାମକୁ ଫେରିବା ପରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତି ରେ ଗାଁ ନିକଟ ବଡପଦା ସ୍ଥିତ ଉଦୟନାଥେଶ୍ୱର ମନ୍ଦିର ରେ ଉଭୟଙ୍କ ବିବାହ ହୋଇଥିଲା। ନାବାଳିକା ପ୍ରେମିକା ଙ୍କୁ ଜିତେନ୍ଦ୍ର ସ୍ତ୍ରୀ ର ମାନ୍ୟତା ଦେଇ ନିଜ ଘରେ ରଖି ଆସିଥିଲେ।ଶନିବାର ଅଚାନକ ନାବାଳିକା ଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା।ଏପରିକି ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆନଯାଇ ତରବରିଆ ଭାବେ ମୃତଦେହକୁ ଶ୍ମଶାନକୁ ନିଆଯାଇ ପୋଡି ଦିଆଯାଇଥିବାରୁ ଗ୍ରାମବାସୀଙ୍କ ହତ୍ୟା ସନ୍ଦେହ ଅଧିକ ଦୃଢିଭୂତ ହୋଇଥିବା ଦେଖାଯାଇଛି।ତେବେ ଦିଗପହଣ୍ଡି ଥାନା ଆଇଆଇସି ବାବା ଶଙ୍କର ସରାଫ ଥାନାରେ ଏନେଇ କୌଣସି ଏତଲା ପହଞ୍ଚି ନଥିବା ଏବଂ ଏତଲା ମିଳିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


