ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜାରି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ବନ୍ୟାଜଳରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକ୍ ଅଞ୍ଚଳର ବନ୍ୟାର ପଞ୍ଚମ ଦିନରେ ବନ୍ୟାଜଳ କମିବା ଆରମ୍ଭ ହୋଇଥିବା ବେଳେ ରିଲିଫ୍ କାର୍ଯ୍ୟ ଅଭୂତପୂର୍ବ ସ୍ତରରେ ଜାରି ରହିଛି। ବନ୍ୟା ଆରମ୍ଭ ହେବା ପରଠାରୁ ପ୍ରତିଦିନ ହାରାହାରି ୨୦ ହଜାରରୁ ଅଧିକ ମାଗଣା ରୋଷେଇ (ଫ୍ରି କିଚେନ) ଦ୍ୱାରା ସ୍ଥାନାନ୍ତରିତ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଜି ସ୍ଥିତିରେ ସୁଧାର ଆସିବା ପରେ ୧୧ ହଜାର ମାଗଣା ରୋଷେଇ ଦ୍ୱାରା ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ଘରକୁ ଫେରିବା ଆରମ୍ଭ କରିଥିବା ବାସିନ୍ଦାଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ୟାକେଟ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରଦାନ କରାଯାଉଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସଆରସି, ଓଡ୍ରାଫ, ଅଗ୍ନିଶମ ସେବା ଏବଂ ଦେଶୀ ଡଙ୍ଗା ସମେତ ୨୫ରୁ ଅଧିକ ଡଙ୍ଗା ନିୟୋଜିତ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସମୟରେ ଯେପରି କୌଣସି ଜୀବନ ହାନି ନହୁଏ ସେଥିପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ରିଲିଫ କାର୍ଯ୍ୟରେ ସମ୍ପୃକ୍ତ ବ୍ଲକର ବିଡ଼ିଓ, ତହସିଲଦାର ଏବଂ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରମୁଖ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବିଶେଷ କରି ଆରଡବ୍ଲ୍ୟୁଏସଏସ, ସ୍ୱାସ୍ଥ୍ୟ, ପ୍ରାଣୀ ସମ୍ପଦ, ଟିପିଏନଓଡିଏଲ, କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟଚାଷ ଭଳି ବିଭିନ୍ନ ବିଭାଗରୁ ସ୍ୱତନ୍ତ୍ର ଟିମ୍ ପଠାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋବାଇଲ ମେଡିକାଲ ୟୁନିଟ୍ ନିୟୋଜିତ କରାଯାଇ ଅନ-ସାଇଟ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଅତ୍ୟାବଶ୍ୟକ ଔଷଧ ବଣ୍ଟନ କରାଯାଉଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ପରିମଳ ବ୍ୟବସ୍ଥା ପ୍ରତିଷ୍ଠା କରାଯାଉଛି। କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ଆକଳନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଉଛି। ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଚାଷୀଙ୍କ ଜଳକୃଷି ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରାଯାଉଛି। ପଶୁପାଳନ ପ୍ରାଣୀଧନର ଚିକିତ୍ସା ଓ ପଶୁଖାଦ୍ୟ ବଣ୍ଟନ ପାଇଁ ପଶୁ ଚିକିତ୍ସା ୟୁନିଟ୍ଗୁଡ଼ିକୁ ନିୟୋଜିତ କରାଯାଇଛି। ଟିପିଏନଓଡିଏଲ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରହିଛି।ସୂଚନାୟୋଗ୍ୟ ଯେ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ରିଲିଫ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରି ସମସ୍ତ ରିଲିଫ୍ କାର୍ଯ୍ୟ କରାଯାଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ