ଆସୁଛି ରଜ, ଜମୁଛି ପ୍ଳାଷ୍ଟିକ୍ ଦୋଳି ବେପାର
ଆସିକା (ୱାଇଏନ୍ଏସ୍) ସମାଜରେ ବଞ୍ôଚ ରହିବା ପାଇଁ ସାଧାରଣତଃ କୌଣସି କାର୍ଯ୍ୟ କରିବାକୁ ପଡିଥାଏ । ଦୈନନ୍ଦିନ ଜୀବନରେ ପେଟ ପାଇଁ ନାଟ ଭଳି ସମସ୍ତ ବୟସ୍କ ମନୁଷ୍ୟ କିଛି ନା କିଛି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଅଧିକାଂଶ ସାଧାରଣ ଜନତାଙ୍କୁ ବିଭିନ୍ନ କାର୍ଯ୍ୟରେ ଉପଯୁକ୍ତ ପାରିଶ୍ରମିକ ମିଳୁନଥିଲେ ମଧ୍ୟ ପୂର୍ବପୁରୁଷ ଅମଳରୁ ଚାଲି ଆସିଥିବା କାର୍ଯ୍ୟକୁ ବହୁ ବ୍ୟକ୍ତି ବଞ୍ଚାଇ ରଖିଥିବା ପରିଲକ୍ଷିତ ହେଉଛି । ଆସିକା ଅଞ୍ଚଳକୁ ବର୍ଷ ତମାମ ବିଭିନ୍ନ ସମୟରେ ରାଜ୍ୟ ବାହାରର ଶହଶହ ବ୍ୟବସାୟୀ ଆସି ବିଭିନ୍ନ କିସମର ସାମଗ୍ରୀ ବିକ୍ରୀ କରିଥାନ୍ତି । ଉକ୍ତ ରାଜ୍ୟ ବାହାରର ବ୍ୟବସାୟୀ ମାନେ ନିଜନିଜ ପରିବାରବର୍ଗଙ୍କ ସହ ଆସିକା ଅଞ୍ଚଳର ବିଭିନ୍ନ ସାହି ବସ୍ତିର ଖୋଲା ଆକାଶ ତଳେ ତମ୍ୱୁ ପକାଇ ରାତ୍ରରେ ପିଲା ଛୁଆଙ୍କୁ ଧରି ଆଶ୍ରୟ ନେଉଥିଲା ବେଳେ ଦିନରେ ସାହିବସ୍ତିକୁ ଘୁରିବୁଲି ବିଭିନ୍ନ ସାମଗ୍ରୀ କିଛିଦିନ ବିକ୍ରୀ କରିବା ପରେ ପୁଣି ଅନ୍ୟ ରାଜ୍ୟକୁ ଚାଲି ଯାଇଥାନ୍ତି । ଏଭଳି କେତେକ ପରିବାର ସୁଦୂର ଆନ୍ଧ୍ରପ୍ରଦେଶର ସିକାକୋଲମ୍ ଅଞ୍ଚଳରୁ ଆସି ଆସିକା ଅଞ୍ଚଳରେ ପ୍ଳାଷ୍ଟିକ୍ ଦୋଳି ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଆଉମାତ୍ର କିଛିଦିନ ପରେ ରଜପର୍ବ ଆରମ୍ଭ ହେବାକୁ ଥିବାରୁ ଏହି ଉଠା ବ୍ୟବସାୟୀ ମାନେ ଆସିକା ଅଞ୍ଚଳରେ ପ୍ଳାଷ୍ଟିକ୍ ବା ନାଇଲନ୍ ଦୋଳି ବିକ୍ରୀ କରି ବେଶ୍ ଦୁଇପଇସା ରୋଜଗାର କରୁଥିବା ଲକ୍ଷ୍ୟ କରାଯାଇଛି । ଆଉ ମାତ୍ର କିଛି ଦିନ ପରେ ରଜ। ଏଥି ପାଇଁ ଆସିକା ସହରବାସୀ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୋଳି। ଆଧୁନିକତାର ଛାପରେ ଅଧିକାଂଶ ଅଞ୍ଚଳରେ ସେହି ପାରମ୍ପରିକ ଦୋଳି ହଜିଯାଇଛି। ତଥାପି ଲୋକେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ରଜ ପର୍ବରେ ଦୋଳି ଖେଳିଥାନ୍ତି। ଏବେ ଆସିକା ଅଞ୍ଚଳରେ ପ୍ଳାଷ୍ଟିକ ଦୋଳି ବେପାର ଦିନକୁ ଦିନ ଜୋର୍ ଧରୁଥିବା ଦେଖିବାକୁ ମିଳୁଛି। ସକାଳୁ ସନ୍ଧ୍ୟା ଯାଏଁ ରାଜ୍ୟ ବାହାରର ବେପାରୀ ମାନେ ସାହିବସ୍ତିକୁ ବୁଲି ଗ୍ରାହକଙ୍କୁ ଦୋଳି ବିକ୍ରୀ କରୁଥିବା ପରିଲକ୍ଷିତ ହେଉଛି। ଦୋଳି ବେପାରି ମାନେ କଟନ, ନାଇଲନ ଓ ପ୍ଳାଷ୍ଟିକ ସୁତାରେ ବିଭିନ୍ନ ରଙ୍ଗରେ ପ୍ରସ୍ତୁତ ଦୋଳି ସୁଳଭ ଦଳରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି। ଆଧୁନିକତାର ଛାପରେ ହଜିଯାଇଛି ପରମ୍ପରା ଓ ଫିକା ପଡୁଛି ରଜମଉଜ। “ ବନସ୍ତେ ଡାକିଲା ରଜ , ବରଷକେ ଥରେ ଆସିଛି ରଜ” ଏଭଳି ଭଳିକି ଭଳି ଗୀତ ଆଉ ଶୁଣିବାକୁ ମିଳୁ ନାହିଁ। ଗାଁ ଆମ୍ବ ତୋଟାରେ ଆଉ ଦୋଳି ବନ୍ଧା ହେଉ ନାହିଁ। ବାଳିକା ମାନେ ଆଉ ଦଳ ଦଳ ହୋଇ ରଜ ଦୋଳି ଖେଳ ମଜା ନେଉ ନାହାଁନ୍ତି। ପୋଡ ପିଠା ହଜି ଗଲାଣି। ମିଠା ପାନ ଏବେ ସାତ ସପନ। ଆଧୁନିକତାର ଛାପରେ ହଜିଗଲାଣି ପରମ୍ପରା। ଏବେ କେବଳ ନାମକୁ ମାତ୍ର ପାଳିତ ହେଉଛି ରଜ ଉତ୍ସବ। କେବଳ ରଜ ପର୍ବ ନୁହେଁ ଅନେକ ଓଡିଆ ପର୍ବ ପର୍ବାଣୀ ଏବେ ଧିରେ ଧିରେ ମୌଳିକତା ହରାଇଲାଣି। ଆଜିର ବଜାରୀକରଣ ଯୁଗରେ ରଜ ପର୍ବ କେବଳ ଏକ ପୁରୁଣା ଛାପ ହୋଇ ରହିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି।


