ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ପ୍ରକୃତିକ ବିପର୍ଯ୍ୟୟ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମଙ୍କ ସହାୟତା କ୍ରମେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଯୋଗଦାନ କରି କର୍ମଶାଳାର ଶୁଭାରମ୍ଭ କରି ଅବଗତ କରାଇଥିଲେଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ କିମ୍ବା ଅନ୍ୟ ସମୟରେ ଦେଖାଯାଉଥିବା ବିପର୍ଯ୍ୟୟର ମୁକାବିଲା ଦିଗରେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ସୁରକ୍ଷା ଦେଇ ପାରିବ । ବିଶେଷ କରି ସାପ ଫସଲକୁ ସୁରକ୍ଷା କରିବା ଦିଗରେ ଆମକୁ ଅନେକ ସହଯୋଗ କରେ । ମୂଷା ମାନନଙ୍କୁ ନଷ୍ଟ କରିବାରେ ସାପଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆମେ କିନ୍ତୁ ସେହି ଜୀବକୁ ମାରି ଦେଉଛୁ । ଏହି ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି । ଆଜିର ଦିନରେ ଜୈବ ବିବିଧତା କୁ ସୁରକ୍ଷା ଦେବା ଜରୁରୀ ଅଟେ । କର୍ମଶାଳାରେ ଗୋପାଳପୁର ଟାଟା ମୁଖ୍ୟ ରକି ମାର୍ଟିନ୍ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଗଞ୍ଜାମ ତହସିଲଦାର ଅରୁଣ ନାୟକ ଏବଂ ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିଭିନ୍ନ ପ୍ରସ୍ତୁତି କରାଯାଉଛି ତାହା ସେମାନଙ୍କ ଅନୁଭୂତି ସମ୍ପର୍କରେ ଅବଗତ କରାଇ ଥିଲେ । ଇଣ୍ଡିଆନ୍ କୋଷ୍ଟଗାର୍ଡ ଷ୍ଟେସନ୍ , ଗୋପାଳପୁରର କମାଣ୍ଡାଣ୍ଟ ପ୍ରତୀକ୍ ମୋଦକ୍ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ର ମଧ୍ୟରେ ସମସ୍ତ ବିଭାଗର ସହଯୋଗ କ୍ରମେ କିଭଳି ସୁରକ୍ଷା ପ୍ରଦାନ କରାଯାଉଛି ତାହା ଜଣାଇଥିଲେ । ଓଡିଶା ରାଜ୍ୟର ପ୍ରକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଭାରତର ଅନ୍ୟ ରାଜ୍ୟରେ ଅନୁକରଣ କରାଯାଉଥିବା ପ୍ରକାଶ କରିଥିଲେ । ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍ , ଓଡ୍ରାଫ୍ ସହକାରୀ ଦୂର୍ଗାପତି ଲକ୍ଷ୍ମୀ ନାରାୟଣ ବେହେରା ଆପତି ବିପତ୍ତିରେ ଓଡ୍ରାଫ୍ ଦଳ କିଭଳି ଜନଜୀବନକୁ ସୁରକ୍ଷା କରିବା ଦିଗରେ କାର୍ଯ୍ୟ କରନ୍ତି ସେସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ଜଣାଇଥିଲେ । ସତର୍କତା ହିଁ ଉଚ୍ଚତର ଜୀବନ ଯାପନ ପାଇଁ ମାର୍ଗ ପ୍ରସ୍ତୁତ କରେ ବୋଲି ମତ ରଖିଥିଲେ । ବିପର୍ଯ୍ୟୟ ସମୟରେ ସାପ କାମୁଡାର ସୁରକ୍ଷା କିପରି କରିହେବ ସେ ସମ୍ପର୍କରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଆଶୀଷ କୁମାର ଦାଶ ସମ୍ପୂର୍ଣ୍ଣ ବିବରଣୀ ରଖିଥିବା ବେଳେ ଏହାର ଚିକିତ୍ସା କିଭଳି କରିଜନଜୀବନକୁ ସୁରକ୍ଷିତ କରିହେବ ସେସମ୍ପର୍କରେ ଛତ୍ରପୁର ଉପଖଣ୍ଡ ମେଡିକାଲ ଅଧିକାରୀ ଡଃ ହର ମୋହନ ପଣ୍ଡା ଅବଗତ କରାଇଥିଲେ । ଟାଟା କର୍ତ୍ତୃପକ୍ଷର ପରିଚାଳକ ପ୍ରମୋଦ କୁମାର ପାତ୍ର କର୍ମଶାଳାଟିକୁ ପରିଚାଳନା କରିଥିବା ବେଳେ ଈଶ୍ବର କୁମାର ପରିଡା କର୍ମଶାଳାଟିରେ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ୍ ର ସମସ୍ତ କୂଳବର୍ତ୍ତି ଅଞ୍ଚଳର ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ, ଓଡ୍ରାଫ୍ ଟିମ୍ ର କର୍ମକର୍ତ୍ତା, ଭାରତୀୟ ସାମୁଦ୍ରିକ ତଟରକ୍ଷୀ, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର କର୍ମକର୍ତ୍ତା, ଅଧିକାରୀ, କ୍ଷେତ୍ର ସ୍ତରୀୟ କାର୍ଯ୍ୟକାରିଣୀ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ