ଜୀବନ ଏକ ଦ୍ଵନ୍ଦ

ଦିପ୍ତିମୟୀ ନାୟକ
ଶବ୍ଦ ଯେବେ ଅଧୁରା ରୁହେ | ନିରୋଳା ରାତିର ପ୍ରଶ୍ନ ଭିତରେ ମଣିଷ କେବଳ ନିଜକୁ ପାଏ | କାରଣ ସେ ଜାଣିଥାଏ ଯେଉଁ ପ୍ରଶ୍ନର ଉତ୍ତର ପାଇବାପାଇଁ ସେ ଏତେ ବ୍ୟାକୁଳ ଏହି ପ୍ରଶ୍ନର ଉତ୍ତର କେବଳ ତା ଏକୁଟିଆପଣ ହିଁ ଦେଇପାରିବ | ଆଉ ଯେବେଯେବେ ସେ ଏକୁଟିଆ ରୁହେ ପ୍ରଶ୍ନ ଘେର ଭିତରେ ସେ ଭ୍ରମିତ ହୁଏ | ସେତେବେଳେ ସେ ବିଚଳିତ ହେବାକୁ ଲାଗେ | କେତେବେଳେ ଜୀବନରେ ଘଟିଥିବା ଘଟଣା ଗୁଡିକୁ ମନେ ପକାଏ ତ ଆଉ କେତେବେଳେ ଜୀବନକୁ ନୂଆ କରି ଗଢିବାର ରାସ୍ତା ଖୋଜୁଥାଏ | ହେଲେ ବେଳେବେଳେ ଏହି ମଣିଷ ଭୁଲ ନିଷ୍ପତି ନେଇଯାଏ କାରଣ ଯେତେବେଳେ ଏହି ରାତିକୁ ତାର ସାଥି ଭାବି ନିଜେ ଏକୁଟିଆ ରହି ନିଜ ମନର ପ୍ରଶ୍ନ ସହ ମନକୁ ତା ମନ ଭିତରର ଆଲୋଚନା ଘେର ଭିତରକୁ ନେଇଯାଏ ସେତେବେଳେ ସେ କିଛି ପ୍ରଶ୍ନର ଉତ୍ତର ପାଇଯାଏ ତ ଆଉ କେତେବେଳେ ନିଜ ପ୍ରଶ୍ନର ଉତ୍ତର ନପାଇ ଭୁଲ ରାସ୍ତାକୁ ଆପଣାଇ ଥାଏ | ହେଲେ ଏହି ଅଧା ଅଧୁରା ଶବ୍ଦ ଗୁଡିକ ଯେତେବେଳେ ଏକା ଏକା ପଡିଯାଆନ୍ତି ସେତେବେଳେ ସେହି ଅଧା ଶବ୍ଦକୁ ବୁଝିବାକୁ ହେଲେ ମନରେ ପୁଣି ଏକ ନୂଆ ଦ୍ଵନ୍ଦ ସୃଷ୍ଟି ହୋଇଯାଇଥାଏ | କେତେବେଳେ ରାତିର ଅନ୍ଧକାର ଭିତରେ ବିଛଣା ତଳେ ଶୋଇ ଗୁମୁରି ଗୁମୁରି କାନ୍ଦେ ତ ଆଉ କେତେବେଳେ ଅନ୍ୟ ଆଗରେ ହସିବାର ଅଭିନୟ କରେ | କିନ୍ତୁ ଏହି ମନର ଦ୍ଵନ୍ଦ ଯେ ତାକୁ ପ୍ରତିମୁହୂର୍ତ୍ତରେ ଜାଳି ମାରୁଥାଏ ସେ ଏକଥା କାହାକୁ କହିପାରେନି | କାହିଁକି ନା ସେ ଭାବୁଥାଏ ଯଦି ସେ ତା ମନର କଥାକୁ ଅନ୍ୟ ଆଗରେ ଖୋଲିକି କହିବ ଆଉ ଯଦି କିଏ ପରିହାସ କରିବ ତେବେ ସେ ଦ୍ଵନ୍ଦରୁ ସେ କେମିତି ମୁକୁଳିବ | ଅବଶ୍ୟ ଛୋଟବେଳେ ମନରେ କିଛି ଦ୍ଵନ୍ଦ ରହୁଥିଲେ ପରିବାର ଲୋକ କିମ୍ବା ଗୁରୁଜନ ମାନଙ୍କୁ ପଚାରିଦେଲେ ସବୁ ଦ୍ଵନ୍ଦ ଦୂର ହୋଇଯାଉଥିଲା | ସ୍କୁଲ ସମୟରେ ମଧ୍ୟ ସାଙ୍ଗସାଥି, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହଯୋଗରେ ଅନେକ ଦ୍ଵନ୍ଦ ଦୂର ହୋଇପାରୁଥିଲା କିନ୍ତୁ ସମୟ କ୍ରମେ ଆମେ ଯେଉଁ ସମାଜରେ ରହୁଛେ ସେହି ସମାଜର ଲୋକ ହୁଅନ୍ତୁ କିମ୍ବା ଘର ଲୋକ ଯଦି ବିନା କାରଣରେ କିଏ ରାଗିବାର କିମ୍ବା ରୁଷିବାର ଅଭିମାନ କରନ୍ତି ସେତେବେଳେ ଏହି ମନକୁ ମଧ୍ୟ ଅନେକ ପ୍ରଶ୍ନ ଆସିଥାଏ | ଆରେ ମୁଁ ୟାକୁ କଣ କିଛି ୟାଡୁସିଆଡୁ କହିଦେଲି କି | ମୋ ଦ୍ୱାରା କିଛି ଭୁଲ ହୋଇଗଲା କି | ମୋ ଅଜାଣତରେ କିଏ ଆଘାତ ପାଇଲା କି | ମୁଁ ଆଉ ମୋ ବ୍ୟବହାର କିଛି ବଦଳି ଯାଇନି କି | ଯଦି ମୋ ବ୍ୟବହାର ବଦଳି ଯାଏ ସେତେବେଳେ ଏହି ଲୋକମାନେ ମୋତେ ସ୍ୱାର୍ଥପର ଲୋକ କହିଦେବେ କି | ଯଦି ମୁଁ ଏତେ ଭଲ ମଣିଷ ହୋଇ ଏତେ ନିନ୍ଦା ପାଉଛି ତେବେ ଏହି ଜୀବନ ଏଇଠୁ ଶେଷ କରିଦେବା ଉଚିତ କି | ତେବେ ଏମିତି ଅନେକ ପ୍ରଶ୍ନ ଅନେକ ଲୋକଙ୍କ ମନକୁ ଆସିଥାଏ | ଯଦି ମଣିଷ ମନରେ ଦ୍ଵନ୍ଦ ରହିବନି ତେବେ ଏହି ମଣିଷ କେମିତି ନିଜ ଦ୍ଵନ୍ଦ ଦୂର କରିବ |ତେବେ ଏହି ଜୀବନ ହିଁ ଗୋଟେ ଦ୍ଵନ୍ଦ | ପ୍ରତ୍ୟେକ ମଣିଷଙ୍କ ମନରେ କିଛି ନା କିଛି ଦ୍ଵନ୍ଦ ରହିବା ସ୍ୱାଭାବିକ କଥା କିନ୍ତୁ ଏହି ଦ୍ଵନ୍ଦ ଯେତେବେଳେ ମୁଣ୍ଡ ଭିତରକୁ ଘାଣ୍ଟି ଚକଟି ଦିଏ ସେତେବେଳେ ଏହି ମନ ଅସ୍ଥିର ହେବାକୁ ଲାଗେ | ଆଉ ସେଥିପାଇଁ ଆଜିର ଦିନରେ ଅନେକ ଲୋକ ନିଜ ମନର ଦ୍ଵନ୍ଦକୁ ଦୂର ନକରିପାରି ଆଜିର ଦୁନିଆରେ ନିଜକୁ ବହୁତ ଏକୁଟିଆ ଅନୁଭବ କରନ୍ତି |ତେବେ ଏହି ମନର ଦ୍ଵନ୍ଦ ସେତେବେଳେ ଦୂର ହେବ ଯେତେବେଳେ ଚିନ୍ତାମୁକ୍ତ ରହିବ ଏବଂ ତା ମନର ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ପାଇବାପାଇଁ ଯେତେବେଳେ ସେ ନିଜ ପାଖରେ ନିଜ ଧର୍ଯ୍ୟ ରଖିବ ସେତେବେଳେ ହୁଏତ ଏହି ଅଧର୍ଯ୍ୟ ମନର ସବୁ ପ୍ରଶ୍ନର ଉତ୍ତର ଖୋଜିକି ପାଇବ | ଆଉ ଏହି ଅଧା ଅଧୁରା ଶବ୍ଦ ଗୁଡିକ ଭିତରେ ସବୁ ଶବ୍ଦର ଯେମିତି ପୂର୍ଣ୍ଣତା ପାଇ ନିଜକୁ ସେହି ଦ୍ବନ୍ଦରୁ ବାହାର କରି ଶାନ୍ତିରେ ନିଜ ଜୀବନ ଅତିବାହିତ କରିବ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ