ଜୁନ୍ ୭ରେ ମେଧା ପାଟେକର ବାଲିଆପାଳ ଆସିବେ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚିର ଶସ୍ୟଶ୍ୟାମଳା ବହୁଫସଲି ଘନ ଜନାକୀର୍ଣ୍ଣ ବିରଳ ଜୈବ ବିବିଧତାରେ ଭରପୂର କଙ୍କଡ଼ାପାଳରୁ ହଂସକରା ମୁହାଣ ଯାଏଁ ଦୀର୍ଘ ୨୪/୨୫କି.ମି. ବ୍ୟାପୀ ଉର୍ବର ଉପକୂଳିଆ ଅଞ୍ଚଳରେ ହେବାକୁଥିବା ବିନାଶକାରୀ ବନ୍ଦର ଓ ମାରାତ୍ମକ ପେଟ୍ରୋକେମିକାଲ୍‌ସ ପ୍ରକଳ୍ପ-ଶିଳ୍ପାୟନ ବିରୋଧରେ ଦୀର୍ଘବର୍ଷ ଧରି ଚାଲିଥିବା ଭିଟାମାଟି ସୁରକ୍ଷା ଆନ୍ଦୋଳନକୁ ବଳଦେବା ପାଇଁ – ବିଜୟର ସୋପାନରେ ପହଞ୍ଚାଇବା ଲାଗି ଆସନ୍ତା ଜୁନ୍ ୭ ତାରିଖ ବାଲିଆପାଳଗସ୍ତରେ ଆସୁଛନ୍ତି ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ପ୍ରଖ୍ୟାତ ସମାଜସେବୀ ତଥା ଜନଆନ୍ଦୋଳନ ସମୂହର ରାଷ୍ଟ୍ରୀୟ ସମନ୍ୱୟର ଅଧ୍ୟକ୍ଷା ସୁଶ୍ରୀ ମେଧା ପାଟେକର । ଐତିହାସିକ ବିଜୟୀ ବାଲିଆପାଳ ଜନଆନ୍ଦୋଳନର ୩୭ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ସଂପ୍ରତି ଜଳବାୟୁ ପରିବର୍ତ୍ତନର ଭୟାବହତା ଓ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବିତ୍ପାତ ସଂପର୍କରେ ସଚେତନତା ସୃଷ୍ଟିକରିବା ସହ ଏହାର ମୁକାବିଲା ଦିଗରେ ଆମର ପାରମ୍ପରିକ ଜମି, ଜଳ, ଜଙ୍ଗଲ, ହେନ୍ତାଳବଣ, ଆର୍ଦ୍ରଭୂମି, ଉପକୂଳ ଜୈବବିବିଧତା, ତଥା ଚାଷବାସ, ଗଛବୃଚ୍ଛ ଓ ପ୍ରକୃତି ପରିବେଶର ସୁରକ୍ଷା ଲାଗି ଦେଶ ଆଗାମୀ ପିଢ଼ିକୁ ଦିଗ୍‌ଦର୍ଶନ ଦେବା ନିମନ୍ତେ ଆସନ୍ତା ୭ ତାରିଖ ବେତଗଡ଼ିଆ (ନହରା ଛକ ପ୍ରାଙ୍ଗଣ) ଠାରେ ହେବାକୁ ଥିବା ‘ଭିଟାମାଟି ବଞ୍ଚାଅ, ବନ୍ଦର ଓ ଶିଳ୍ପାୟନ ହଟାଅ’ ମହାସମାବେଶରେ ଶ୍ରୀମତୀ ପାଟେକର ଉଦ୍‌ବୋଧନ ଦେବେ । ତାଙ୍କ ସହିତ ଗ୍ରୀନ୍ ନୋବେଲ୍ ବିଜେତା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା କିଶାନ୍ ସଂଘର୍ଷ ମୋର୍ଚ୍ଚାର କୃଷକ ନେତା ଲିଙ୍ଗରାଜ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ରାଧାକାନ୍ତ ସେଠୀ, ବାଲେଶ୍ୱର ବାର୍ ଆସୋସିଏସନ୍ ସଭାପତି ମନୋଜ ନାୟକଙ୍କ ସମେତ କଂଗ୍ରେସ୍‌, ସି.ପି.ଆଇ., ସି.ପି.ଆଇ.(ଏମ୍‌.), ଫର୍‌ୱାର୍ଡ଼ ବ୍ଲକ୍‌, ଏସ୍‌. ୟୁ. ସି. ଆଇ. , ଆମ୍ ଆଦ୍‌ମୀ ପାର୍ଟି, ସି.ପି.ଆଇ.(ଏମ୍‌.ଏଲ୍‌) ଓ ସମାଜବାଦୀ ପାର୍ଟିର ତୁଙ୍ଗ ନେତୃତ୍ୱ ଏହି ସମାବେଶରେ ଯୋଗଦେବେ ବୋଲି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମ୍ପର୍କରେ ଆଜି ପୂର୍ବାହ୍ନରେ ବେତଗଡ଼ିଆ ଗ୍ରାମପଞ୍ଚାୟତ ନଗେନ୍ ଗିରିଙ୍କ ବାସଭବନରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଏକ ଜରୁରୀ ବୈଠକ ସଭାପତି ସୁବାସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମାବେଶକୁ ସର୍ବାନ୍ତକରଣରେ ସଫଳ କରିବାଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉକ୍ତ ବୈଠକରେ କମିଟିର ଆବାହକ ଅରୁଣ ଜେନା, ଶ୍ରୀମତୀ ପାଟେକର ଓ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ୭ ତାରିଖ ବାଲିଆପାଳ ଗସ୍ତ ଓ ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । କମିଟିର ଉପଦେଷ୍ଟା ତଥା ବାଲିଆପାଳ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବିଜନ ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ମୁଖପାତ୍ର କୁଶଧ୍ୱଜ ଜେନା, ସଂଯୋଜକ ଅନୁଜ ମହାପାତ୍ର, ଯୁବନେତା ତୀର୍ଥ ନାଗ, ରବୀନ୍ଦ୍ର ଜେନା, ମାୟାଧର କୁହ୍ଲାରୀ, ୨୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ସମିତି ସଦସ୍ୟ ରାଜୀବ ରାୟ, ସରପଞ୍ଚ ସୁପ୍ରଭା ପାଢ଼ି, ପ୍ରାକ୍ତନ ସରପଞ୍ଚ ଜଗନ୍ନାଥ ଜେନା, ପ୍ରାକ୍ତନ ସରପଞ୍ଚ ଅନନ୍ତ ଜେନା, ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ନୂଆଗାଁ ସରପଞ୍ଚ ପ୍ରତିନିଧି ଯୁବନେତା ପ୍ରଶାନ୍ତ ଦାସ, ମଣ୍ଟୁ ମହାନ୍ତି, ହୃଷିକେଶ ପଣ୍ଡା, ହରେକୃଷ୍ଣ ସେନାପତି, ଏକାଦଶୀ ମାଝୀ ଓ ନାରୀନେତ୍ରୀ ଜାୟତ୍ରୀ ବାରିକ ପ୍ରମୁଖ ବହୁ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ଜୁନ୍ ୭ ତାରିଖ ମେଧା ପାଟେକରଙ୍କର ଏହି ବିଶାଳ ଜନସଭାକୁ ସର୍ବାନ୍ତକରଣରେ ସଫଳ କରିବାପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଆଗାମୀ ଦିନରେ ଭିଟାମାଟି ସୁରକ୍ଷା ଆନ୍ଦୋଳନକୁ ବ୍ୟାପକ କରିବା ଏବଂ ସରକାର ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ଲୋକଙ୍କର ଜନମତ (ସମ୍ମତି) ବିନା ପଦକ୍ଷେପ ନେଲେ ଭବିଷ୍ୟତର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା । ଉକ୍ତ ସମାବେଶରେ ହଜାର ହଜାର ଜନଗଣ ଯୋଗଦେବାପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ