ଝରକା ଗ୍ରୀଲ୍ ଭାଙ୍ଗି ପିଏନ୍ବି ବ୍ୟାଙ୍କ ଲୁଟ୍ ଉଦ୍ୟମ ପୋଲିସର ତଦନ୍ତ ଜାରି
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବିଳମ୍ବିତ ରାତ୍ରରେ ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ ପାଶ୍ୱର୍ ତଥା ବନ୍ତ ଲକ୍ଷ୍ମୀ ବଜାରସ୍ଥିତ ପିଏନବି ବ୍ୟାଙ୍କ ଶାଖାରୁ ଲୁଟେରା ମାନେ ପଛ ପାଖ ଝରକା ଗ୍ରୀଲ୍ ଭାଙ୍ଗି ଲୁଟ୍ ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସମଗ୍ର ଦେଶରେ ଲକ୍ ଡାଉନ୍ ପରିସ୍ଥିତି ଚାଲିଥିବା ବେଳେ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କଫ୍ୟୁ ବଳବତ୍ତର ରହିଛି । ଏପରିସ୍ଥିତିରେ ବିଳମ୍ବିତ ରାତ୍ରରେ ଲୁଟେରା ମାନେ ବ୍ୟାଙ୍କର ଝରକା ଗ୍ରୀଲ୍ କାଟି ଚୋରି ଉଦ୍ୟମ କରିବା ଘଟଣା ପୋଲିସ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି । ଲୁଟେରା ମାନେ ଚୋରି ଉଦ୍ୟମ କରୁଥିବାର ଦୃଶ୍ୟ ବ୍ୟାଙ୍କ ଭିତରେ ଥିବା ସିସିଟିଭି କ୍ୟାମେରାରେ ରେକଡିଂ ହୋଇଥିବା ପ୍ରମାଣ ପୋଲିସ ହାତରେ ଲାଗିଛି । ମଙ୍ଗଳବାର କର୍ମଚାରୀ ମାନେ ବ୍ୟାଙ୍କ ଖୋଲି ଭିତରକୁ ଯିବା ପରେ ବ୍ୟାଙ୍କ ଭିତରେ ବିଭିନ୍ନ ସାମଗ୍ରୀ ବିଛାଡି ହୋଇ ପଡିଥିବାର ଦେଖାଯାଇଥିଲା । ସେହିପରି ପଛ ପାଖ ଝରକା ଗ୍ରୀଲ୍ ଭଙ୍ଗା ଯାଇଥିବା ବେଳେ ଆଇରେନ୍ ଚେଷ୍ଟକୁ କୌଣସି ଲୁହା ରଡରେ ତଡା ଯାଇଥିବାର ଦେଖାଯାଇଥିଲା । ହେଲେ ଲୁଟେରା ମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ବ୍ୟାଙ୍କ ପରିଚାଳକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ତଦନ୍ତ ଜାରି ରଖିଛି । ମିଳିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ତେବେ ବ୍ୟାଙ୍କ ଲୁଟ୍ ଉଦ୍ୟମ ବନ୍ତ ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ସାଧାରଣରେ ଭୟର ବାତାବରଣ ଖେଳି ଯାଇଛି ।