ଆଜିଠୁ ଟାଟା କୋଭିଡ୍ ହସ୍ପିଟାଲ ଦାୟିତ୍ୱ ନେବେ ହାଈଟେକ୍ ଗ୍ରୁପ୍

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଶୀତଳାପଲ୍ଳୀ ସ୍ଥିତ ଟାଟା କୋଭିଡ଼୍ ହସ୍ପିଟାଲର ପରିଚାଳନା ଭାର ହାଇଟେକ୍ ଗ୍ରୁଫ ହାତକୁ ଯିବ । ଏଥିଲାଗି ହାଇଟେକ୍ ଗ୍ରୁଫ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସରିଛି । ଆସନ୍ତା ବୁଧବାର ହାଇଟେକ୍ ଗ୍ରୁଫ ପରିଚାଳନା ଭାର ନେବ । ଶୁକ୍ରବାର ତଥା ଆସନ୍ତା ୨୪ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।କରୋନା ରୋଗୀଙ୍କ ଚିକିତ୍ସା ଲାଗି ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଳୀ ଠାରେ ପ୍ରତିଷ୍ଠା ହୋଇଛି ୨ଶହ ଶଯ୍ୟା ବିଶିଷ୍ଟ ଟାଟା କୋଭିଡ଼୍-୧୯ ହସ୍ପିଟାଲ । ଏହି ଅତ୍ୟାଧୁନିକ ହସ୍ପିଟାଲରେ ୪୦ଟି ଆଇସିୟୁ ରହିଛି । ଏପ୍ରିଲ ୧୦ତାରିଖରୁ ଏହି ହସ୍ପିଟାଲ କାର୍ଯ୍ୟକ୍ରମ ହୋଇଛି । ବ୍ରହ୍ମପୁର ବଡଡାକ୍ତରଖାନା ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ଦ୍ୱାରା ଏହି ହସ୍ପିଟାଲ ପରିଚାଳିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ଼୍-୧୯ ହସ୍ପିଟାଲରେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହି ହସ୍ପିଟାଲର ପରିଚାଳନାକୁ ଆହୁରି ଅଧିକ ସଶକ୍ତ ଓ ସୁଦୃଢ କରିବା ଲାଗି ଘରୋଇ ସଂସ୍ଥାକୁ ପରିଚାଳନା ଭାର ଦେବା ଲାଗି ମନସ୍ଥ କରିଥିବା ଜଣାପଡିଛି ।ହାଇଟେକ୍ ଗ୍ରୁଫର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ବ୍ରହ୍ମପୁର କୋଭିଡ଼୍ -୧୯ ହସ୍ପିଟାଲ ପରିଚାଳନା ଲାଗି ରାଜ୍ୟ ସରକାର ହାଇଟେକ୍ ସହିତ ଚୁକ୍ତି କରିଛନ୍ତି । ବୁଧବାର ଆମର ଟିମ୍ କୋଭିଡ଼୍-୧୯ ହସ୍ପିଟାଲରେ ପହଞ୍ଚି ଶୁକ୍ରବାର ଠାରୁ କାମ ଆରମ୍ଭ କରିବେ । ବର୍ତ୍ତମାନ କୋଭିଡ୍-୧୯ ହସ୍ପିଟାଲରେ ଯାହା ଡାକ୍ତର ଓ ପାରାମେଡିକାଲ କର୍ମଚାରୀ କାର୍ଯ୍ୟ କରୁଛନ୍ତି ସେମାନେ କାର୍ଯ୍ୟ କରିବେ । ଯେଉଁମାନେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବେ ସେଭଳି କ୍ଷେତ୍ରରେ ଆମ ଡାକ୍ତର କାମ କରିବେ। ଏଥିଲାଗି ଆଉ ୨୩ଜଣ ଅଭିଜ୍ଞ ଡାକ୍ତରଙ୍କୁ ଆମେ ନିଯୁକ୍ତ କରିବୁ । ହାଉସ୍‌କିପିଙ୍ଗ ଓ ସିକ୍ୟୁରିଟି ବଦଳାଯିବ । ଫୁଡ୍ ଓ ବିଭରେଜ୍ ଯାହା ରହିଛି ତାହା ରହିବ କି ବଦଳାଯିବ ଏଯାବତ୍ ସ୍ଥିର ହୋଇନାହିଁ । ଆଇସିୟୁ ପରିଚାଳନାକୁ ସଶକ୍ତ କରାଯିବ । ଆସିୟୁକୁ ଟେକନିକ୍ ଓ ଟେକ୍ନୋଲୋଜି ଦ୍ୱାରା ପରିଚାଳନା କରାଯିବ । ଏଥିଲାଗି ଆବଶ୍ୟକ ନର୍ସ, ଟେକ୍ନିସିଆନ୍ ଓ ବିଶେଷଜ୍ଞ ଆମେ ଯୋଗାଇବୁ । ଆଇସିୟୁ ପରିଚାଳନାକୁ ପ୍ରାଥମିକତା ଦିଆଯିବ । ଏଥିସହ ଜେନେରାଲ ମେଡିକାଲର ବି ପରିଚାଳନା କରାଯିବ । ବର୍ତମାନ କାମ କରୁଥିବା ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆମେ ପରିଚାଳନା କରିବୁ ।ହାଇଟେକ୍ ଗ୍ରୁପ୍ ପକ୍ଷରୁ ସମୁଦାୟ ୧୩୦ଜଣ କର୍ମଚାରୀ କାମ କରିବେ । ହାଇଟେକ୍ ପକ୍ଷରୁ କୋଭିଡ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଗ୍ରାମ ପାତ୍ର, ମେଡିକାଲ ସୁପରିଟେଣ୍ଡ ପି.କେ.ସେଠୀ, ଆସିୟୁ ଲାଗି ଚିଫ୍ କନ୍ସଲଟାଣ୍ଟ ଭାବେ ଡଃ.ଶରତ ବେହେରା କାର୍ଯ୍ୟ କରିବେ । ରାଉରକେଲା, ଝାରସୁଗୁଡ଼ା, ଗଜପତି, ଭୁବନେଶ୍ୱର ଠାରେ କୋଭିଡ଼୍-୧୯ ହସ୍ପିଟାଲ ହାଇଟେକ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଥିବା ହାଇଟେକ୍ ଗ୍ରୁଫ ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ